ଠକାମୀର ଶିକାର ଗାଡ଼ିମାଲିକ

 ଆଠମଲ୍ଲିକ :  ଅନଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଚାରିଜଣ ଗାଡିମାଲିକ ମହାନଦୀରୁ ବାଲି ବୋଝଇ କରି ବଡ ଠକାମୀର ଶିକାର ହୋଇଥିବା ଜଣାପଡିଛି । ଆଠମଲ୍ଲିକ ପୁଲିସ ରାତିରେ ବାଲି ବୋଝେଇ ଗାଡିଗୁଡିକ ଯାଞ୍ଚ କରୁଥିବା ବେଳେ ନକଲି ରୟାଲଟି ପେପର ଥିବା ଚାରୋଟି ଗାଡିକୁ ଜବତ କରି ଥାନାରେ ପୁରାଇଛି । ଗାଡି ମାଲିକମାନେ ଧାର୍ଯ୍ୟ ମୂଲ୍ୟର ରୟାଲଟି ଦେଇ ବାଲି ବୋଝଇ କରିଥିବାବେଳେ ନକଲି ରୟାଲଟି ପେପର ତାଙ୍କୁ ମିଳିଥିବା ଜଣାଯାଇଛି । ଗାଡି ମାଲିକମାନେ ଠକାମୀର ଶିକାର ହୋଥିବାବେଳେ ଏଣେ ଲିଜଧାରୀ ଏଭଳି କାର୍ଯ୍ୟ କରି ରାଜସ୍ୱ ଫାଙ୍କିବା ସହିତ ବେଆଇନ ଭାବେ ପୁଳାପୁଳା ଅର୍ଥ ଉପାର୍ଜନ କରି ମାଲେମାଲ ହେଉଥିବା ଦେଖିବାକୁ ମିଳିଛି ।
  ସୂଚନାଯେ, ଆଠମଲ୍ଲିକ ସହର ସ୍ଥିତ ମହାନଦୀର ଘୋଡାମରା ସରକାରୀ ସ୍ୱୀକୃତି ପ୍ରାପ୍ତ ବାଲିଘାଟ ଅଟେ । ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ବାଲି ଉତ୍ତୋଳନ କରି ବାହାରକୁ ସ୍ଥାନାନ୍ତରିତ କରିବାର ସରକାରୀ ନିୟମ ରହିଛି । ଏଥିଅନୁସାରେ ଗତ ବୁଧବାର ସନ୍ଧ୍ୟା ସମୟରେ ଉକ୍ତ ଘାଟରୁ ମେସିନ ଯୋଗେ ଅନେକ ହାଇୱା ଓ ଟିପରରେ ବାଲି ଲୋଡିଂ ହୋଇଥିଲା । ଗାଡିମାଲିକମାନେ ଲିଜଧାରୀଙ୍କୁ ହାଇୱା ପିଛା ୧୦ହଜାର ୫୦୦ଟଙ୍କା ଧାର୍ଯ୍ୟ ମୂଲ୍ୟ ଦେଇ ରୟାଲଟି ଇ-ପେପର ନେଇ ବାଲି ବୋଝଇ କରି ନିଜ ନିଜ ଗନ୍ତବ୍ୟ ପଥରେ ବାହାରି ଯାଇଥିଲେ । କିଛି ଗାଡି ପଳାଇ ଯାଇଥିବାବେଳେ ହଠାତ ଆଠମଲ୍ଲିକ ପୁଲିସ କଲେଜ ନିକଟରେ ଯାଞ୍ଚ କରିବା ଆରମ୍ଭ କରିଥିଲା । ଯାଞ୍ଚ ବେଳେ ଗାଡି କାଗଜ ପତ୍ର ଠିକ୍ଠାକ ଥିବାବେଳେ ଚାରୋଟି ଗାଡିର ରୟାଲଟି ପେପର ନକଲି ଥିବା ଦେଖିବାକୁ ପାଇଥିଲା । ଏଣୁ ବେଆଇନ ବାଲି ଉତ୍ତୋଳନ ମାମଲାରେ ପୁଲିସ ଏହି ଗାଡିଗୁଡିକ ଜବତ କରି ଥାନାରେ ଅଟକ ରହିଛି ।  ତେବେ  ଗାଡି ମାଲିକ ଏହାଦେଖି ଚକିତ ହୋଇ ପଡ଼ିଥିଲେ । ସଠିକ୍ ଧାର୍ଯ୍ୟ ମୂଲ୍ୟ ଦେଇ ବାଲି ବୋଝଇ କରି ନେଉଥିବାବେଳେ ମାଲିକମାନେ  କାହାର ରୟାଲଟି ପେପର ଟି ଅସଲି ନା କାହାର ନକଲି ଜାଣିବାର ସୁଯୋଗ ନଥିଲା । କାରଣ ମିଳିଥିବା ଇ-ରୟାଲଟି ପେପର ରେ ଥିବା କୁ୍ୟଆର କୋଡ଼କୁ ସ୍କାନ କରି ଏହା ଅସଲି କି ନକଲି ଜାଣିବାର ଆପ୍ ଅଦ୍ୟାବଧି କାହାରିକୁ ଦିଆଯାଇନାହିଁ । ଏହା କେବଳ ପୁଲିସ, ଖଣି ବିଭାଗ, ତହସିଲ, ଫରେଷ୍ଟ ଆଦି ଯାଞ୍ଚକାରୀ ବିଭାଗକୁ ସରକାର ପ୍ରଦାନ କରିଛନ୍ତି । ଏଣୁ ଗାଡି ମାଲିକଙ୍କ ପକ୍ଷେ ରୟାଲଟି ପେପେର ଟି ଅସଲି କି ନ କଲି ଜାଣିବାର କୌଣସି ମତେ ସମ୍ଭବ ହୋଇପାରୁନାହିଁ । ଗାଡି ମାଲିକ ଠକାମୀର ଶିକାର ହେବାକୁ ବାଧ୍ୟ ହେଉଛି । ଏଣେ ଲିଜଧାରୀ ଏଭଳି ଭାବରେ ରିତିମତ ଗାଡିମାଲିକଙ୍କୁ ଠକିବା ସହିତ ରୟାଲଟି ଫାଙ୍କି ବିପୁଳ ପରିମାଣରେ ଅର୍ଥ ଉପାର୍ଜନ କରି ମାଲାମାଲ ହେଉଥିବା ଜଣାଯାଇଛି । ଗାଡିଗୁଡିକ ବର୍ତ୍ତମାନ ଥାନାରେ ଥିବାବେଳେ ଅଜାଣତରେ ଠକାମୀର ଶିକାର ହୋଇଥିବା ଗାଡିମାଲିକ ମାନେ ବଡ଼ ହନ୍ତସନ୍ତ ହେଉଥିବା ଜଣାଯାଇଛି ।