ଯୋଉଠୁ ପାଣି ଉଠୁଛି ସେଇଠି ପୌର ଆବର୍ଜନା : ମେଗା ପ୍ରକଳ୍ପ ଯୋଗାଉଛି ବିଷାକ୍ତ ପାନୀୟଜଳ

 ଯାଜପୁର ସଦର : ପୂର୍ବ ସରକାରଙ୍କ ସମୟରେ ଯାଜପୁର ସହର ସମେତ ଗ୍ରାମାଞ୍ଚଳଳରେ ବସବାସ କରୁଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ମେଗା ପ୍ରକଳ୍ପ ନିର୍ମାଣ କରିଥିଲେ । ବୈତରଣୀ ନଦୀର ସିଦେ୍ଧଶ୍ୱର ଘାଟ ଠାରେ ମେଗା ପ୍ରକଳ୍ପ ସ୍ଥାପନ ପରେ ଉକ୍ତ ସ୍ଥାନରୁ ନଦୀ ଜଳ ବିଶୋଧନ କରାଯାଇ ଯୋଗାଇ ଦିଆଯାଉଛି । ବୈତରଣୀର ନଦୀ ଜଳ ସହର ଏବଂ ଗ୍ରାମାଞ୍ଚଳ ଲୋକଙ୍କ ଆବଶ୍ୟକତାକୁ ମେଣ୍ଟାଉଛି ସତ ହେଲେ ଉକ୍ତ ଜଳ କେତେ ବିଶୁଦ୍ଧ ତାହା ବିରାଟବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣଟି ହେଲା ମେଗା ପ୍ରକଳ୍ପ ଯୋଉଠାରୁ ପାଣି ଉଠାଉଛି, ସେଇଠାରେ ଯାଜପୁର ପୈାରବାଳିକା ଅଳିଆ ଆବର୍ଜନା ଢାଳୁଛି । ଯୋଉ ଆବର୍ଜନା ବ୍ୟାପକ ପ୍ରଦୂଷିତ ହୋଇଥିବା ବେଳେ, ପରିବେଶକୁ ଦୁର୍ଗନ୍ଧମୟ କରୁଛି । ଯାଜପୁର ସହରରେ ଥିବା ବୈତରଣୀ ନଦୀ କୂଳରେ ସହରର ସମସ୍ତ ଅଳିଆ ଆବର୍ଜ୍ଜନା ପୈାରାପାଳିକା ଟ୍ରାକ୍ଟରରେ ନଦୀ କୂଳରେ ଗଦେଇ ହୋଇଛି । କୁଢକୁଢ ଅଳିଆ ଆବର୍ଜ୍ଜନା ବୈତରଣୀ ନଦୀର ଜଳକୁ ବିଷାକ୍ତ କରୁଛି । ଯେଉଁ ବିଶାକ୍ତ ପାଣି ହିଁ ପ୍ରକଳ୍ପ ମାଧ୍ୟମରେ ସହର ଏବଂ ଗ୍ରାମାଞ୍ଚଳକୁ ଯୋଗାଣ ହେଉଛି । ବର୍ତମାନ ପାଣିପାଗ ପରିବର୍ତନ ହେତୁ ଅହରହ ବର୍ଷା ହେଉଥିବା ବେଳେ ଅଳିଆ ଆବର୍ଜନାରୁ ନିର୍ଗତ ବିଷାକ୍ତ ପାଣି ସୁଅ ଛୁଟିଲା ପରି ବୈତରଣୀ ନଦୀ ଗର୍ଭରେ ଲୀନ ହେଉଛି । ବିଷାକ୍ତ ପାନୀୟ ଜଳ ପିଇବା ଦ୍ୱାରା ମଣିଷ ଶରୀର ମଧ୍ୟରେ ବିଭିନ୍ନ ପ୍ରକାରର ରୋଗ ବ୍ୟାଧି ସୃଷ୍ଟି ହେବ । ହେଲେ ଏହାକୁ ପ୍ରାୟତ ସମସ୍ତେ ନଜର ଅନ୍ଦାଜ କରିଛନ୍ତି । ଏବିଷୟରେ ପୈାରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରେ କିଛିବି ଉତ୍ତର ରଖି ନ ଥିଲେ । ତେବେ ଉପଜିଲାପାଳଙ୍କୁ ପଚାରିବାରେ କହିଥିଲେ କି ମୁଁ ଏବିଷୟରେ ଜାଣିନାହିଁ । ମୋବାଇଲରେ ବାସ୍ତବତାକୁ ଦେଖିବା ପରେ ଖୁବଶିଘ୍ର ଏଥିପ୍ରତି ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ । ଜଳ ପରି ମୈାଳିକ ଆବଶ୍ୟକତା ମେଣ୍ଟାଉଥିବା ବିଭାଗ ଏବଂ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ସହର ଓ ଗ୍ରାମାଞ୍ଚଳକୁ ଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ଦାବି ହେଉଛି ।