ସ୍ୱାସ୍ଥ୍ୟକାର୍ଡ ପାଇଁ ଟଙ୍କା ଆଦାୟ ଅଭିଯୋଗ
ଧର୍ମଶାଳା,: ରାଜ୍ୟରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ପରେ କାର୍ଡ଼ ବଣ୍ଟନ ପ୍ରକ୍ରୀୟା ଆରମ୍ଭ ହୋଇଛି । ହିତାଧିକାରୀମାନଙ୍କ ପାଇଁ ଇ-କେ.ୱାଇସି ସହ କାର୍ଡÿ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବ ବୋଲି ସରକାର ହିତାଧିକାରୀଙ୍କୁ ଅବଗତ କରିଛନ୍ତି । କିନ୍ତୁ କିଛି ଅସାଧୁ କର୍ମଚାରୀ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସମୟରେ ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହିତାଧିକାରୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଅଭିଯୋଗ ମତେ ଧର୍ମଶାଳା ବ୍ଲକ୍ରେ ବିଭିନ୍ନ ପରିବାରର ଠାରୁ ଜଣଙ୍କ ପିଛା ୫୦ଟଙ୍କା ଆଦାୟ କରାଯାଉଛି । ବ୍ଲକ ଅନ୍ତର୍ଗତ କାଏମା ପଞ୍ଚାୟତରେ ଆଶାକର୍ମୀଙ୍କ ଉପସ୍ଥିତିରେ ଭିଏଲଇ ଲୋକଙ୍କ ଠାରୁ ୫୦ଟଙ୍କା ନେଉଥିବା ଅଭିଯୋଗ ହୋଇଛି । ଗୋଟିଏ ଗରୀବ ପରିବାରରେ ୮ଜଣ ସଦସ୍ୟ ଥିଲେ ସେହି ପରିବାରରୁ ୪ଶହ ଟଙ୍କା ଆଦାୟ କରାଯାଉଛି । ଏହାକୁ ଜଣେ ଯୁବକ ବିରୋଧ କରିବା ପୂର୍ବକ ହେଲ୍ପ ଲାଇନ ନମ୍ୱରରେ ଅଭିଯୋଗ କରିବା ପରେ ଯୁବକଙ୍କୁ ସ୍ୱାସ୍ଥ୍ୟ କାର୍ଡ ନ ଦେଇ ଫେରାଇ ଦେବା ଭଳି ଅଭିଯୋଗ ହୋଇଛି । ଏ ବିଷୟରେ ଧର୍ମଶାଳା ବିଡିଓଙ୍କୁ ପଚାରିବାରେ ଲିଖିତ ଅଭିଯୋଗ ପାଇବା ପରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏନେଇ ଗ୍ରାମବାସୀ ଫୋନ୍ ଯୋଗେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ ଅଧିକାରୀ କୌଣସି କଥାକୁ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ହିତାଧିକାରୀଙ୍କ ଠାରୁ ଆଦାୟ ଅର୍ଥ ଫେରସ୍ତ କରିବାକୁ ଦାବି କରାଯାଇଛି ।