ମୁଖ୍ୟ ଚିକିତ୍ସାଳୟର ଭିତିରି କଥା... ଦୁଇଟି ପଦବୀରେ ରହି ଦରମା ନେଉଛନ୍ତି ଚାଳକ ଲିଟୁ  

 ଯାଜପୁର ଟାଉନ: ସେ ମାଲିକ, ସେହିଁ ଗାଡ଼ି ଚାଳକ । ମାଲିକ ହିସାବରେ ଗାଡ଼ିର ପଇସା ଉଠାଇଥାନ୍ତି, ଆଉ ଗାଡ଼ି ଚାଳକ ଭାବେ ମଧ୍ୟ ଦରମା ନେଇଥାନ୍ତି । ଏଭଳି କରିତକର୍ମା ମାଲିକ ଗୋଟିଏ ଗାଡ଼ିର ନୁହେଁ ଗୋଟିଏ ଦପ୍ତରରୁ ଦୁଇଟି ଗାଡ଼ିର ଚାଳକ ଭାବେ ଦରମା ଉଠାଉଛନ୍ତି । ଏହା ହେଉଛି ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରମୁଖ ଖବର । ମୁଖ୍ୟ ଚିକିସôାଳୟର ପ୍ରମୁଖ ଖବରର ଖୁଲାସା ଆରଟିଆଇ ସୌଜନ୍ୟରୁ ମିଳିପାରିଥିବା ବେଳେ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସମାଜସେବୀ ପ୍ରଭାତ କୁମାର ପରିଡ଼ା ଜିଲାପାଳଙ୍କୁ  ଲିଖିତ ଅଭିଯୋଗ କରିଛନ୍ତି । ବିବରଣୀରୁ ପ୍ରକାଶ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଓଡ଼ି୩୪ଏମ-୪୫୯୯ ସ୍କୋର୍ପିଓ ଗାଡିଟି ୨୦୨୦ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଟେଣ୍ଡର ମାଧ୍ୟମରେ ଲାଗିଥିଲା । ଏହି ଟେଣ୍ଡରରେ ଗାଡି ସହ ଡ୍ରାଇଭର ଦେବାପାଇଁ ମାସିକ ୩୦ହଜାର ଟଙ୍କା ହିସାବରେ ଚୁକ୍ତି ହୋଇଥିଲା । ଗାଡିଟିକୁ ମୁଖ୍ୟ ଚିକିତ୍ସାଧିକାରୀ ଆଜି ପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି । ଏନଏଚଏମ୍ ନିୟମ ଅନୁଯାୟୀ ଗୋଟିଏ ଗାଡି ସର୍ବାଧିକ ୩ବର୍ଷ ଲାଗିପାରିବ ବୋଲି ନିୟମ  ଥିବାବେଳେ ଏହି ଗାଡିଟି ୩ବର୍ଷ ପୁରିଯାଇଥିଲେ ମଧ୍ୟ କୌଣସି ଟେଣ୍ଡର କରାନଯାଇ ଆଜି ପର୍ଯ୍ୟନ୍ତ ଚାଲୁରହିଛି । ବିନା ଟେଣ୍ଡରରେ ନବୀକରଣ କରାଯାଇଥିବା ଜଣାପଡିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଗାଡିଟିର ମାଲିକ ବିଶ୍ୱଜିତ୍ ବେହେରା ଓରଫ ଲିଟୁ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେ ନିଜେ ଡ୍ରାଇଭର ହିସାବରେ ସେହି ଗାଡିରୁ ଦରମା ନେଉଛନ୍ତି । ଉକ୍ତ ଗାଡିର ଲକ୍ବୁକ୍ରେ ନିଜେ ମାଲିକ ଲିଟୁ ବେହେରା ନାମରେ ଦସ୍ତଖତ କରି ଦରମା ଉଠାଉଛନ୍ତି । ଅପର ପକ୍ଷରେ ବିଶ୍ୱଜିତ୍ ବେହେରା ଓରଫ ଲିଟୁ ନଭେମ୍ବର ୨୦୨୪ ମସିହାରେ ପୂର୍ବତନ ଜିଲା ମୁଖ୍ୟଚିକିତ୍ସାଧିକାରୀ ଦାୟୀତ୍ୱରେ ଥିବାବେଳେ ଆଉଟ୍ସୋର୍ସିଂ ମାଧ୍ୟମରେ ଆମ୍ବୁଲାନ୍ସ ଗାଡିରେ ଡ୍ରାଇଭର ଭାବେ ନିଯୁକ୍ତି ପାଇଛନ୍ତି । ବିଶ୍ୱଜିତ୍ ଆଜି ସୁଦ୍ଧା ଆମ୍ବୁଲାନ୍ସ ଗାଡି ନଚଳାଇ ଦରମା ନେଉଥିବା ବେଳେ ମୁଖ୍ୟଚିକିତ୍ସାଧିକାରୀ ବ୍ୟବହାର କରୁଥିବା ସ୍କୋର୍ପିଓ ଗାଡିରୁ ମଧ୍ୟ ମାସିକ ଦରମା ନେଉଥିବା ଜଣାପଡିଛି । ଏହିପରି ଭାବେ ବିଶ୍ୱଜିତ୍ ଓରଫ ଲିଟୁ ୨ଟି ପଦବୀରେ ରହି ଦରମା ନେଉଥିବା ଜଣାପଡିଛି । ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟର କେତେକ କର୍ମଚାରୀଙ୍କ ସହଯୋଗରେ ବିଶ୍ୱଜିତ୍ ବେହେରା ଓରଫ ଲିଟୁ ଉଭୟ ଗାଡି ପାଇଁ ମାସିକ ଦରମା ନେଉଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ଅଡିଟ୍ ରିପୋର୍ଟରୁ ୩ବର୍ଷ ହୋଇଥିବା ସ୍କୋର୍ପିଓ ଗାଡିଟିକୁ ନିୟମ ଅନୁସାରେ ବାହାର କରିବା ପାଇଁ ନିଦେ୍ର୍ଦଶ ଥିଲେ ମଧ୍ୟ କେତେକ ଅସାଧୁ କର୍ମଚାରୀ ରିପୋର୍ଟକୁ ଚାପି ରଖିଥିବା ଜଣାପଡିଛି । ଗୋଟିଏ ଲୋକ ଦୁଇଟି ପଦବୀରେ ରହି ମାସିକ ପାରିଶ୍ରମିକ ଗ୍ରହଣ କରିବା କେତେଦୂର ଯଥାର୍ଥ ସମାଜସେବୀ ପ୍ରଭାତ କୁମାର ଘଡ଼ାଇ ଜିଲାପାଳଙ୍କୁ ଲିଖିତ ଜଣାଇଛନ୍ତି । ତେବେ ଏହାକୁ ତଦନ୍ତ କରି ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଡ୍ରାଇଭର ବିଶ୍ୱଜିତଓରଫ ଲିଟୁଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏଥିରେ ସାମିଲ ଥିବା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟରେ ସାମିଲ ଥିବା ଅସାଧୁ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯାଜପୁର ମୁଖ୍ୟଚିକିତ୍ସାଳୟରେ ୨ଟି ଗାଡି ଟେଣ୍ଡରରେ ଲାଗିଥିବା ବେଳେ ୩ବର୍ଷ ପରେ ଗାଡି ୨ଟିକୁ ବାହାର କରିଦିଆଯାଇଛି । ଏସଂପର୍କରେ ଜିଲା ଚିକିତ୍ସାଧିକାରୀଙ୍କୁ ପଚାରିବାରେ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ ।