ବିତିଲାଣି ଆଠମାସ ହେଉନି : ଜେନାପୁର ଓ ଚୋରମୁହାଁ ସରପଞ୍ଚ ଉପନିର୍ବାଚନ

 ଜାରକା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଚୋରମୁହାଁ ଓ ଜେନାପୁର ପଞ୍ଚାୟତର ସରପଞ୍ଚଙ୍କ ମୃତୁ୍ୟକୁ ୮ମାସ ବିତିଲାଣି । ଏପର୍ଯ୍ୟନ୍ତ ସେମାନଙ୍କ ପଦବି ପୂରଣ ପାଇଁ ଉପନିର୍ବାଚନ ହେଉନାହିଁ । ଉଭୟ ପଞ୍ଚାୟତରେ ସରପଞ୍ଚ ପଦବି ଖାଲି ପଡ଼ିଛି । ଫଳରେ ଉକ୍ତ ଦୁଇଟି ପଞ୍ଚାୟତର ବିକାଶ ଓ ଜନସାଧାରଣଙ୍କ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ନିୟମାନୁସାରେ କୌଣସି ଲୋକ ପ୍ରତିନିଧିଙ୍କ ଦେହାନ୍ତ ହେଲେ ମୃତୁ୍ୟର ୬ମାସ ମଧ୍ୟରେ ଉପନିର୍ବାଚନ ହେବା କଥା । ମାତ୍ର ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ମନ୍ତ୍ରୀ କିମ୍ବା ବିଧାୟକଙ୍କ ପରଲୋକ ହେଲେ ସଙ୍ଗେ ସଙ୍ଗେ ଉପନିର୍ବାଚନ ହେଉଥିବା ବେଳେ ସରପଞ୍ଚ ଉପନିର୍ବାଚନ ପାଇଁ କେହି ତତ୍ପରତା ଦେଖାନଯିବାର କାରଣ କ’ଣ ତାହା ହିଁ ପ୍ରଶ୍ନବାଚୀ ସୃଷ୍ଠି କରିଛି । ସୂଚନା ଅନୁସାରେ, ଏକ ସଡ଼କ ଦୁର୍ଘଟଣାରେ ଚୋରମୁହାଁ ସରପଞ୍ଚ ପ୍ରଦୁ୍ୟମ୍ନ କେଶରୀ ମହାନ୍ତିଙ୍କର ମାର୍ଚ୍ଚ ୨୧ତାରିଖରେ ମୃତୁ୍ୟ ହୋଇଥିଲା । ସେହିପରି କୌଣସି କାରଣକୁ ନେଇ ଜେନାପୁର ସରପଞ୍ଚ ସିପାଲତା ମଲିକ ଚଳିତବର୍ଷ ଏପ୍ରିଲ ୪ତାରିଖରେ ଆତ୍ମହତ୍ୟା କରିଥିଲେ । ଉଭୟ ସରପଞ୍ଚଙ୍କ ବିୟୋଗକୁ ଇତି ମଧ୍ୟରେ ୮ମାସ ପୂରିବାକୁ ବସିଥିବା ବେଳେ ଏପର୍ଯ୍ୟନ୍ତ ଉପନିର୍ବାଚନ ହେଉନାହିଁ । ମୃତ ଚୋରମୁହାଁ ସରପଞ୍ଚ ସ୍ୱର୍ଗତ ମହାନ୍ତି ବିଜେପି ସମର୍ଥନରେ ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ । ସେହିପରି ଜେନାପୁର ସରପଞ୍ଚ ସ୍ୱର୍ଗୀୟା ମଲିକ ବିଜେଡି ସମର୍ଥନରେ ବିଜୟୀ ହୋଇଥିଲେ । ମୃତୁ୍ୟ ବେଳକୁ ଉଭୟ ବିଜେଡିରେ ଥିବାବେଳେ ଏବେ ରାଜ୍ୟରେ ସରକାର ବଦଳିବା ସହ ଧର୍ମଶାଳାରେ ନୂଆ ବିଧାୟକ ନିର୍ବାଚିତ ହୋଇଛନ୍ତି । ଉପନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ପାଇଁ ଦୁଇଟି ଆସନ ସମ୍ମାନର ପ୍ରଶ୍ନ ହେବ । ପଞ୍ଚାୟତ ଦ୍ୱୟର ବିକାଶ ପାଇଁ ତୁରନ୍ତ ସରପଞ୍ଚ ଉପନିର୍ବାଚନ କରିବାକୁ ଉଭୟ ପଞ୍ଚାୟତବାସୀ ଦାବି କରିଛନ୍ତି ।