ଜାତୀୟ ସମ୍ମିଳନୀରେ ଯୋଗଦେଲେ ଆଲେକ୍ସ
ବ୍ୟାସନଗର : କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସର ଅଧ୍ୟକ୍ଷ ଡ. ଆଲେକଜାଣ୍ଡାର ଦାସ ସମନ୍ୱୟ ପ୍ରତିଷ୍ଠାନ ଦ୍ୱାରା ଗୁଜରାଟରେ ଆୟୋଜିତ ପ୍ରଥମ ଜାତୀୟ ଚେଞ୍ଜମେକର୍ ସମ୍ମିଳନୀରେ ଯୋଗଦାନ କରିଛନ୍ତି । ଗୁଜୁରାଟର ସାନାଦାରର ବନସକଠା ଠାରେ ସ୍ଥିତ ବନସ ଡାଏରୀରେ ୪ ଦିନ ଧରି ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଇଣ୍ଡିଆ ଫାଉଣ୍ଡେସନର ପ୍ରେସିଡେଂଟ ଡଃ ରାମ ମାଧବ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବନସ ଡାଏରୀର ଚେୟାରମ୍ୟାନ ତଥା ଗୁଜୁରାଟ ବିଧାନସଭାର ବାଚସ୍ପତି ଶଙ୍କର ଚୌଧୁରୀଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା । ସମଗ୍ର ଦେଶର ୫୦ଜଣ ଚେଞ୍ଜମେକର ଯେଉଁମାନେ ସମାଜ ପରିବର୍ତନରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ଯୋଗଦାନ କରିଥିଲେ । ସେମାନଙ୍କ ମଧ୍ୟରେ କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସର ଅଧ୍ୟକ୍ଷ ତଥା ସାମାଜିକ ଅନୁଷ୍ଠାନ ଆର୍ୟାଲେକ୍ସ ଫାଉଣ୍ଡେସନ ଫର୍ ସୋସିଆଲ୍ ଆକ୍ଟିଭିଟିଜ୍ର ପ୍ରତିଷ୍ଠାତା ଡ଼ଃ ଆଲେକଜାଣ୍ଡାର ଦାସ ଓଡ଼ିଶାରୁ ଅନ୍ୟତମ, ଯାହାକି ସମଗ୍ର ଯାଜପୁର ପାଇଁ ଏକ ଅତ୍ୟନ୍ତ ଗୌରବମୟ କଥା । କାର୍ଯ୍ୟକ୍ରମରେ କିପରି ଜଣେ ଚେଞ୍ଜମେକର୍ ସଷ୍ଟେନେବଲ୍ ପରିବେଶ ତିଆରି କରି ଦେଶ ନିର୍ମାଣରେ ସହାୟକ ହୋଇ ପାରିବେ ସେ ବିଷୟରେ ଗୁଜୁରାଟ ରାଜ୍ୟ ପରିବହନ ବିଭାଗର ଭାଇସ ଚେୟାରମ୍ୟାନ ତଥା ଏମଡି ଆଇଏଏସଏମ ନାଗରାଜନ୍ ଏବଂ ସିଆଇଆଇ ଗୁଜୁରାଟ ଷ୍ଟେଟ କାଉନସିଲ ର ଅଧ୍ୟକ୍ଷ ପ୍ରେମରାଜ୍ କଶ୍ୟପଙ୍କର ଏକ ସ୍ପେଶାଲ୍ ସେଶନ୍ ରହିଥିଲା । କାର୍ଯ୍ୟକ୍ରମରେ ଡ. ଦାସ ସମାଜକୁ ପରିବର୍ତନ କରିବା ପାଇଁ ପ୍ରଥମେ ନିଜକୁ ପରିବର୍ତନ କରିବାକୁ ହେବ ସେ ବିଷୟରେ ଆଲୋକପାତ କରିଥିଲେ । ଉଦଯାପନୀ ଉତ୍ସବରେ ଜାଇଡେକ୍ସ ଗ୍ରୁପ୍ର ଚେୟାରମ୍ୟାନ ଏବଂ ଏମଡି ଡ଼ଃ ଅଜୟ ରଙ୍କା, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୁଡ଼ାସମା ଯୋଗ ଦେଇଥିବା ସମୟରେ ରିଶିହୁଡ଼ ୟୁନିଭରସିଟିର ଚାନ୍ସଲର ସୁରେଶ ପ୍ରଭୁ ଅନ୍ଲାଇନ୍ରେ ନିଜର ଅଭିଭାଷଣ ଉପସ୍ଥାପନ କରିଥିଲେ ।