ସିରିଜ୍ ଦୁର୍ଘଟଣାରେ ୪ ମୃତ, ଦୁଇ ଗୁରୁତର
ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ତିରିଙ୍ଗ ଥାନା ଓ ବହଳଦା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଯାଇଛି । ଦୁର୍ଘଟଣାରେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ମୁତାବକଟାଟା ନଗର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଲୁହାପଥର ଟ୍ରକ୍ ତିରିଙ୍ଗ ଥାନା ଅନ୍ତର୍ଗତ ମାଙ୍କଡିଘାଟୀ ଛକ ନିକଟରେ ପ୍ରାତ ଭ୍ରମଣରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ତାପରେ ଡାଳିମା ଛକ ନିକଟରେ ୨ଜଣଙ୍କୁ ଧକ୍କା ଦେବା ଫଳରେ ସେଠାରେ ଜଣଙ୍କର ମୃତୁ୍ୟ ହୋଇଥିଲା । ପୁନର୍ବାର ସେହି ଟ୍ରକ୍ ୧୫ କିଲୋମିଟର ବାଟ ଆସିବା ପରେ ବହଳଦା ଥାନା ଅନ୍ତର୍ଗତ ବାଗଡେଗା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋକୁ ଧକ୍କା ଦେଇ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା । ଫଳରେ ଅଟୋରେ ବସିଥିବା ୨ ଜଣ ଦମ୍ପତ୍ତିଙ୍କ ସମେତ ଡ୍ରାଇଭର ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ଶବ ଗୁଡିକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ଜାତୀୟ ରାଜପଥରେ ବେପରୁଆ ଗାଡି ଚାଳନା ପାଇଁ ବାରମ୍ବାର ଏହିପରି ଦୁର୍ଘଟଣା ଘଟି ଚାଲିଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ତେବେ ଏପରି ବେପରୁଆ ଡ୍ରାଇଭରମାନଙ୍କ ପାଇଁ ପ୍ରଶାସନ ଠୋସ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।