୫ ଲୋକସଭା ପାଇଁ ବିଜେଡ଼ି ସଂଯୋଜକ

ଭୁବନେଶ୍ୱର : ବିଜୁ ଜନତା ଦଳ ସୁପି୍ରମୋ ନବୀନ ପଟ୍ଟନାୟକ ୫ ସଂସଦୀୟ କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କରିଛନ୍ତି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ସଂଯୋଜକ କରିଛି । ସେହିପରି ଭଦ୍ରକ ଦାୟିତ୍ୱରେ ରହିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଅପରପକ୍ଷରେ ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା, ସୁଜିତ କୁମାରଙ୍କୁ କଳାହାଣ୍ଡି ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ପୁରୀ ସଂସଦୀୟ କ୍ଷେତ୍ରର ଦାୟିତ୍ୱ ଦିଆଯାଇଛି । ସେହିପରି ଶଶୀ ଭୂଷଣ ମହାନ୍ତି, ମିଟୁ ଦାସ, ରଞ୍ଜନ କୁମାର ପଲାଇ ଓ ଲକ୍ଷ୍ମଣ ମେହେରଙ୍କୁ ବିଜେଡ଼ି ସମ୍ପାଦକ ଭାବେ ନିଯୁକ୍ତି ମିଳିଥିବାବେଳେ ଅମିତ କୁମାର ମଲ୍ଲିକଙ୍କୁ ଖଣ୍ଡପଡ଼ାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି ।
ସୂଚନାଯୋଗ୍ୟଯେ, ବ୍ରହ୍ମପୁରରୁ ଶ୍ରୀ ସାହୁ ବହୁବାର ସାଂସଦ ରହି ଆସିଛନ୍ତି । ଚଳିତ ନିର୍ବାଚନରେ ତାଙ୍କୁ ଦଳ ଟିକେଟ ଦେଇନାହିଁ । ସେଠାରୁ ବିଜେପିରୁ ଆସିଥିବା ଭ୍ରୁଗୁ ବକ୍ସିପାତ୍ରଙ୍କୁ ବିଜେଡ଼ି ଟିକେଟ ମିଳିଛି । ସେହିପରି ପ୍ରତାପ ଜେନାଙ୍କ ଟିକେଟ କଟିଥିବାବେଳେ ତାଙ୍କ ପୁଅଙ୍କୁ ମାହାଙ୍ଗାରୁ ପ୍ରାର୍ଥୀ କରାଯାଇଛି । କେନ୍ଦ୍ରାପଡ଼ା ରାଜନୀତିକୁ ସେ ଭଲଭାବେ ପରଖିଥିବାରୁ ପ୍ରତାପଙ୍କୁ ଏହି ଦାୟିତ୍ୱ ମିଳିଛି । କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି ବିଜେଡ଼ି ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବେ । ସେହିପରି ଶୁଭାଶିଷ ଖୁଂଟିଆ ମଧ୍ୟ ପୁରୀରେ ସଂଗଠନ କରୁଥିଲେ । ସୁଜିତ କୁମାରଙ୍କୁ ଦଳ ପୂର୍ବରୁ ରାଜ୍ୟସଭା ସାଂସଦ କରିଥିଲା । ସେ ପୂର୍ବରୁ କଳାହାଣ୍ଡି ରାଜନୀତି ସହ ମଧ୍ୟ ଜଡ଼ିତ ଥିଲେ ।