ତ୍ରିଶଙ୍କୁ ଅବସ୍ଥାରେ ଆଶାୟୀ, ଝୁଲି ରହିଲା ଆଶାୟୀଙ୍କ ଭାଗ୍ୟ

ତ୍ରିଶଙ୍କୁ ଅବସ୍ଥାରେ ଆଶାୟୀ, ଝୁଲି ରହିଲା ଆଶାୟୀଙ୍କ ଭାଗ୍ୟ

ଆନନ୍ଦପୁର : ବିଜେଡି ତାର ଚତୁର୍ଥ ପର୍ଯାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ କେନ୍ଦୁଝର ଜିଲାର ତେଲକୋଇ ଆସନ ପାଇଁ ମାଧବ ସର୍ଦାରଙ୍କ ନାମ ଘୋଷଣା ହୋଇଥିବା ବେଳେ ଜିଲାର ୬ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୪ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ସରିଛି । ଅବଶିଷ୍ଟ ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ଆନନ୍ଦପୁର ଏବଂ ଚମ୍ପୁଆ ଆସନ ପାଇଁ ପ୍ରାର୍ଥୀ ଚୟନ ଦଳ କରିପାରିନି । ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବହୁ ସଂଖ୍ୟାରେ ଆଶାୟୀ ଥିବା ବେଳେ ପୁରୁଣା ମୁହଁକୁ ଦଳ ଭରସା କରିପାଉନଥିବା ବିଜେଡିର ପ୍ରାର୍ଥୀ ଘୋଷଣାରୁ ଅନୁମାନ ଲଗାଇ ହେଉଛି । ସେହିପରି ଅନ୍ୟଜଣେ ବରିଷ୍ଠ ବିଜେଡି ନେତା ତଥା ଦୁଇଥର ବିଧାୟକ ହୋଇଥିବା ମାୟାଧର ଜେନା ଟିକେଟ ଆଶାୟୀ ଥିବା ବଳେ ଚର୍ଚ୍ଚାର ସର୍ବାଗ୍ରେ ଯୁବନେତା ତଥା ଉଚ୍ଚଶିକ୍ଷିତ ବିଶ୍ୱନାଥ ପ୍ରତାପ ଜେନା ଅଛନ୍ତି । ସେ ମଧ୍ୟ ଲୋକଙ୍କ ଗ୍ରହଣୀୟ ହେଉଛନ୍ତି । ଅନ୍ୟପଟେ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ସ୍ୱାମୀ ଅଭିମନୁ୍ୟ ସେଠୀ ମଧ୍ୟ ଟିକେଟ ରେସରେ ପଛରେ ନାହାନ୍ତି । ତେବେ ଗୋଟିଏ କଥା ତ ସ୍ପଷ୍ଟ ଜଣା ପଡୁଛି ଯେ ଆନନ୍ଦପୁରକୁ ନେଇ ଗୋଳିଆ ପାଣି ସୃଷ୍ଟି ହୋଇଛି । ବର୍ତ୍ତମାନର ବିଧାୟକକୁ ଦଳ ସମ୍ପୂର୍ଣ୍ଣ ଭରସା କରି ପାରୁନି । ସେହିପରି ଟିକେଟ ସସ୍ପେନ୍ସ ଛିଡ଼ୁ ନଥିବାରୁ ଆଶୟୀ ମଧ୍ୟ ନିରାଶ ହେବାରେ ଲାଗିଲେଣି । ସେମାନଙ୍କ ଟେନସନ ବଢ଼ିବାରେ ଲାଗିଛି । କୌଣସି ବିଜେଡି ଆଶାୟୀ ପ୍ରାର୍ଥୀଙ୍କୁ ପ୍ରଚାର ପ୍ରସାରରେ ଦେଖିବାକୁ ମିଳୁନି । ଚତୁର୍ଥ ପର୍ଯାୟରେ ଆନନ୍ଦପୁରର ଚିତ୍ର ସ୍ପଷ୍ଟ ହୋଇ ନପାରିବାରୁ ପଞ୍ଚମ ପର୍ଯ୍ୟାୟରେ ଚିତ୍ର ସ୍ପଷ୍ଟ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ମାର୍ଚ୍ଚ ୨୭ତାରିଖ ଦିନ ଦଳ ପ୍ରଥମ ପର୍ଯାୟ ପ୍ରାର୍ଥୀ ତାଲିକାରେ ୭୨ ଜଣଙ୍କ ନାମ ଘୋଷଣା କରିଥିବା ବେଳେ ଏଥିରେ ଘସିପୁରା ଆସନ ପାଇଁ ବଦ୍ରୀନାରାୟଣ ପାତ୍ର ଏବଂ ପାଟଣା ଆସନ ପାଇଁ ଜଗନ୍ନାଥ ନାଏକଙ୍କ ନାମ ଘୋଷଣା ହୋଇଥିଲା । ସେହିପରି ଏପ୍ରିଲ ୩ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟରେ ୩୦ ଗୋଟି ନାମ ଘୋଷଣା ହୋଇଥିବା ବେଳେ କେନ୍ଦୁଝର ଜିଲାରେ କାହା ନାମ ଘୋଷଣା ହୋଇନଥିଲା । କିନ୍ତୁ ତୃତୀୟ ପର୍ଯ୍ୟାୟ ଲୋକ ସଭା ପାଇଁ ଧନୁର୍ଜୟ ସିଧୁଙ୍କ ନାମ ଘୋଷଣା କରାଯାଇଥିଲା । ଅନ୍ୟପଟେ ୫ ତାରିଖ ଦିନ ତୃତୀୟ ପର୍ଯାୟରେ ୯ ଜଣ ପ୍ରାର୍ଥୀ ଙ୍କ ନାମ ଘୋଷଣା ହୋଇଥିବା ବେଳେ କେନ୍ଦୁଝର ସଦର ଆସନ ପାଇଁ ମୀନା ମାଝୀଙ୍କ ନାମ ଘୋଷଣା କରାଯାଇଥିଲା । ସେହିପରି ଚତୁର୍ଥ ପର୍ଯାୟରେ ପୁଣି ୯ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏଥିରେ ତେଲକୋଇ ଆସନ ପାଇଁ ମାଧବ ସର୍ଦାରଙ୍କ ନାମ ଘୋଷଣା କରାଯାଇଛି ।