ଚୋରାମାଟିରେ ଚାଲିଛି ୧୫କୋଟିର କାମ,   ଲୁଟୁଛି ପୂର୍ତ୍ତ ବିଭାଗ ଠିକାଦାର


 ଯାଜପୁର: ଲଘୁ ଖଣିଜ ହରିଲୁଟର ହବପାଲଟିଥିବା ଧର୍ମଶାଳାରେ କୋଟି କୋଟି ଟଙ୍କାର କାର୍ଯ୍ୟ କରୁଥିବା ଠିକାଦାର ଚେରା ସାମଗ୍ରୀ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । ମେଟାଲ ହେଉ କି ମୋରମ,ମାଟି ହେଉ କି ବାଲି ଚୋରାରେ ଆଣି ଗୋଟେ ପଟେ ରାଜ୍ୟ ସରକାରଙ୍କୁ ଠକୁଥିବା ବେଳେ ଅନ୍ୟପଟେ ବ୍ୟାପକ ମୁନାଫା କମାଉଛନ୍ତି । ଯଦି କେହି ଦୃଷ୍ଟି ଆକର୍ଷଣ କଲା, ତେବେ ତହସିଲ କାର୍ଯ୍ୟାଳୟ ନିରବମୁଦ୍ରା ସାଜୁଛି । ଯାହା ଠିକାଦାରଙ୍କୁ ସୁହାଇବାରେ ଲାଗିଛି । ତହସିଲ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ବୁଦ୍ଧ ମୂର୍ତ୍ତି ନିକଟରୁ ଧର୍ମଶାଳା ବ୍ରାହ୍ମଣୀ ନଦୀ ପର୍ଯ୍ୟନ୍ତ ଜଗନ୍ନାଥ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁଥିବା ବେଳେ ଏଠାରେ ଲାଗୁଥିବା ଶହଶହ ଟ୍ରିମ ମାଟି ଚୋରାରେ ଆସୁଛି । ତହସିଲରୁ କେହି ମାଟି ବ୍ୟବହାର କରିବାକୁ ଅନୁମତି ନେଇନଥିବାରୁ ରାସ୍ତା କାର୍ଯ୍ୟରେ ଚୋରା ମାଟି ଉପଯୋଗ ହେଉଥିବା ସ୍ପଷ୍ଟ ବୁଝାପଡ଼ୁଛି । ଅନ୍ଧାର ରାତିରେ ଠିକାଦାରଙ୍କ ଦ୍ୱାରା ନିୟୋଜିତ ଗାଡ଼ି ଚୋରାରେ ମାଟି ଆଣି ରାସ୍ତାରେ ପକାଉଥିବା ବେଳେ ସକାଳେ ତାହାକୁ ସମତୁଲ କରାଯାଉଛି । ଯାହାକୁ ନେଇ ବିଜେପି ଏହାକୁ ଏକ ରାଜନୈତିକ ଇସୁ କରିବା ସହ ରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛି । ଖବର ମତେ ଧର୍ମଶାଳା ତହସିଲ ଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଚାଲିଛି ୧୬ ନଂ ଜାତୀୟ ରାଜପଥ ବୁଦ୍ଧ ମୁର୍ତି ନିକଟରୁ ଧର୍ମଶାଳା ବ୍ରାହ୍ମଣୀ ନଦୀ ଜଗନ୍ନାଥ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ । ପୂର୍ତବିଭାଗ ଦ୍ୱାରା  ୧୪ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟ ବରାଦରେ ହେଉଥିବା କାର୍ଯ୍ୟରେ ଚୋରା ମାଟି ବ୍ୟବହୃତ ହେଉଛି । ଏକଥାକୁ ମଧ୍ୟ ତହସିଲଦାର ଶୁଭଙ୍କର ମହାନ୍ତି ପରୋକ୍ଷରେ ସ୍ୱିକାର କରିଛନ୍ତି । ତାଙ୍କ କହିବା କଥା ହେଲା ରାସ୍ତା କାର୍ଯ୍ୟରେ ମାଟି ପକାଇବା ନେଇ କୌଣସି ଅନୁମତି କାହାକୁ ଦିଆଯାଇନି । କିନ୍ତୁ କାର୍ଯ୍ୟାଳୟ ପକ୍ଷରୁ ମାଟି ପାଇଁ କାହାକୁ ଅନୁମତି ଦିଆଯାଇନଥିବା ବେଳେ ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଚାଲିଥିବା ବେଆଇନ କାରବାର ଉପରେ କିଭଳି ଅଧିକାରୀଙ୍କ ଦୃଷ୍ଟିକୁ ଆସିପାରୁନି ? ଯଦି ଏଠି ବ୍ୟବହାର ହେଉଥିବା ମାଟି ଚୋରା ତେବେ ବାଲି, ଚିପ୍ସ ଆଦି ଚୋରାରେ ଆସୁଥିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ଯାହାର ତଦନ୍ତ ତହସିଲ ପ୍ରଶାସନ ପକ୍ଷରୁ କରାଯିବା ଆବଶ୍ୟକ ବୋଲି ସାଧାରଣରେ କୁହାଯାଉଛି । ଦାବିକୁ ତହସିଲ ପ୍ରଶାସନ ଗ୍ରହଣକରି ତଦନ୍ତ କରୁଛି ନାଁ ନିରବ ରହୁଛି, ତାହା ଦେଖିବାର ଅଛି ।