ସୁକିନ୍ଦା ମେଗା ଜଳ ପ୍ରକଳ୍ପରେ ମହାଘୋଟଲା

ଯାଜପୁର : ସାରା ରାଜ୍ୟରେ ସଦ୍ୟ ଗ୍ରୀଷ୍ମ ପ୍ରବାହ ଚାଲିଛି । ଗ୍ରୀଷ୍ମ ଋତୁରେ ସାଧାରଣତଃ ନଈ, ନାଳ, ପୋଖରୀ ସବୁ ଶୁଖି ଯାଇଥାଏ । ଭୂତଳ ଜଳ ନିମ୍ନଗାମୀ ହୋଇଥାଏ । ଫଳରେ ଗ୍ରୀଷ୍ମ ଦିନ ସାଧାରଣ ଲୋକ ପାଣି ପାଇଁ ହନ୍ତସନ୍ତ ହୋଇଥାନ୍ତି । ଏହାକୁ ଆଖି ଆଗରେ ରଖି ସରକାର ଅନେକ ଯୋଜନା କରୁଥିବାର ନଜରକୁ ଆସେ । ସାଧାରଣ ଲୋକେ ଯେମିତି ସଠିକ୍ ଢଙ୍ଗରେ ପାଇବା ପାଣି ଯୋଗାଇ ପାରିବେ ସେଥି ସକାଶେ ମେଗା ପାନୀୟ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ଦେଖା ଯାଉଛି ମେଗା ପାନୀୟ ଜଳ ଯୋଗାଇବା ପାଇଁ କରାଯାଉଥିବା କାର୍ଯ୍ୟ ଅତି ନିମ୍ନମାନର ହେଉଛି । କାର୍ଯ୍ୟରେ ଚଞ୍ଚକତା କରି ଠିକାଦାର ମାଲେମାଲ ହେଉଥିବା ବେଳେ କାର୍ଯ୍ୟ ନିମ୍ନମାନର ହେଉଛି । ସେମିତି ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଘୋଟଲାର ଗନ୍ଧ ବାରି ହୋଇପଡିଛି ସୁକିନ୍ଦା ବ୍ଲକର ସୁକିନ୍ଦା ଗଡ ପଞ୍ଚାୟତରେ । ଗ୍ରାମ ମାନକୁ ବିଶୁଦ୍ଧ ଜଳ ଯୋଗାଇବା ଲକ୍ଷ୍ୟରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଛି । ଯେଉଁ କାର୍ଯ୍ୟର ଠିକାଦାର ହେଉଛି ଏନସିସି ଅଥବା ନାଗାର୍ଜୁନ କଂସ୍ତ୍ରକ୍ସନ୍ । କାର୍ଯ୍ୟ ଭାର ନେଇଥିବା ଏନ୍ସିସି ଅନେକ ମାତ୍ରାରେ ଦୁର୍ନୀତି କରୁଥିବାର ପରିଲକ୍ଷିତ ହେଉଛି । ଫଳରେ ସୁକିନ୍ଦା ଗଡ ଗ୍ରାମବାସୀ ଏହା ବିରୋଧରେ ଏକ ଅଭିଯୋଗ କରିଛନ୍ତି । କାର୍ଯ୍ୟର ନିୟମ ଅନୁଯାୟୀ ୯୦ଏମଏମ ଓ ୧୧୦ଏମଏମ ପାଇପ ସବୁ ମାଟି ତଳେ ପ୍ରାୟ ଏକ ମିଟର ତଳେ ପୋତା ହୋଇଯିବା କଥା ମାତ୍ର କାର୍ଯ୍ୟ କରୁଥିବା ନାଗାର୍ଜୁନ ଠିକାଦାର ସଂସ୍ଥା ଏହାକୁ ମାଟି ଉପରେ ଉପରେ ପୋତି ନେଇଛି । ଏତେ ନିମ୍ନ ମାନର କାର୍ଯ୍ୟ କରିବା ସତ୍ୱେ କାର୍ଯ୍ୟର ତଦାରଖ ଦାୟୀତ୍ୱରେ ଥିବା ଅଧିକାରୀ ମାନେ ଏହାକୁ ସଠିକ୍ ଢଙ୍ଗରେ ହୋଇଛି ବୋଲି ରିପୋର୍ଟ କରିଛନ୍ତି । ଫଳରେ କାର୍ଯ୍ୟ କରୁଥିବା ସଂସ୍ଥା ଏହାର ଫାଇଦା ନେଇ ନିଜର କାର୍ଯ୍ୟ ବାବଦକୁ ଟଙ୍କା ଉଠାଣ କରିସାରିଛି । ଗୋଟେପଟେ ଠିକାଦାର ପାଉଣା ଉଠାଇ ନେଉଥିବା ବେଳେ ଅନ୍ୟପଟେ ପଡ଼ିଥିବା ପାଇପ ଗୁଡ଼ିକ ହାତରେ ଆଡ଼େଇ ଦେଲେ ଉପରକୁ ଦିଶୁଛି । ଫଳରେ ପଡ଼ିଥିବା ପାଇପ ଅଳ୍ପଦିନରେ ଫାଟିଯିବାର ଆଶଙ୍କା ରହିଛି ।  ଏହାକୁ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଅଭିଯୋଗ କରିଛନ୍ତି କି ସୁକିନ୍ଦା ବ୍ଲକ ଅଧିନରେ ଆସୁଥିବା ୫୨ ଗୋଟି ଗ୍ରାମରେ ଏମିତି ଭାବରେ ମେଗା ଜଳ ପ୍ରକଳ୍ପର କାର୍ଯ୍ୟ ନିମ୍ନ ମାନର ହୋଇଛି । କାର୍ଯ୍ୟ ନିମ୍ନମାନର ହୋଇଥିବା ସତ୍ୱେ ଠିକାଦାର କିପରି କାର୍ଯ୍ୟ ବାବଦକୁ  ବିଲ ନେଉଛି ବୋଲି ପ୍ରଶ୍ନ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ସରକାରୀ ବାବୁ ମାନେ ଲାଞ୍ଚ ନେଇ ବିଲ ପାସ କରୁଛନ୍ତି । ଅନ୍ୟପକ୍ଷରେ ଏନେଇ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ ସେ ଗୋଟିଏ ଗାଁରୁ ଏଭଳି ଅଭିଯୋଗ ଆସିଛି । ମୁଁ ଘଟଣା ସ୍ତଳ ଯାଇ ଅନୁଧ୍ୟାନ କରିଛି । ବର୍ଷାରେ ମାଟି ଧୋଇଯିବାରୁ ପଡ଼ିଥିବା ପାଇପ ଗୁଡ଼ିକୁ ଉପରକୁ ଦେଖାଯାଉଛି । ଯାହା ଅଭିଯୋଗ ଆସିଛି, ତାହାର ସମାଧାନ କରଯିବ ବୋଲି କହିଥିଲେ । ଅଧିକାରୀ ବର୍ଷାକୁ ଦୋଷ ଦେଇ ଠିକାଦାରଙ୍କ ଦୋଷକୁ ଢାଙ୍କିବାକୁ ଚେଷ୍ଟା କରିଥିବା ଜଣାପଡ଼ିଯାଇଥିଲା । ଯାହାର ତଦନ୍ତ ସିବିଆଇ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।