ବିଜେଡ଼ିରେ ରାଜନାରାୟଣ; ଜନ୍ମେଜୟଙ୍କ ଦଶା ଭୋଗିବେନି ତ? 

ବିଜେଡ଼ିରେ ରାଜନାରାୟଣ; ଜନ୍ମେଜୟଙ୍କ ଦଶା ଭୋଗିବେନି ତ? 

 ଯାଜପୁର : ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଦଳ ବଦଳ ଏବେ ପ୍ରତିିଦିନର ଘଟଣା ହୋଇଛି । ଟିକେଟ ଆଶାୟୀ ଗୋଟିଏ ଦଳରୁ ନିରାଶ ହେବା ପରେ ସଙ୍ଗେ ସଙ୍ଗେ ଅନ୍ୟଦଳରେ ଯାଇ ସାମିଲ ହେଉଛି । ଯାହାକୁ କୁହାଯାଉଛି ‘ମିଶ୍ରଣ ପର୍ବ’ । ଯାହାର ଭାଗ୍ୟରେ ଜୁଟୁଛି ଟିକେଟ ମିଳୁଛି ନହେଲେ ନାହିଁ । ଏଭଳି କିଛି ଆଶା ନେଇ ମାସକ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ବଡ଼ଚଣା କଂଗ୍ରେସ ନେତା ରାଜନାରାୟଣ ମହାପାତ୍ର ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଶହସ୍ରାଧିକ ସମର୍ଥକଙ୍କ ଗହଣରେ ଯାଇ ରାଜନାରାୟଣ ଶଙ୍ଖ ଭବନରେ ବିଜୁ ଜନତା ଦଳରେ ମିଶିବା ପରେ ଦଳୀୟ ନେତା ସସ୍ମିତ ପାତ୍ର ଏବଂ ଜନ୍ମେଜୟ ଲେଙ୍କା ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିିଥିଲେ । ରାଜନାରାୟଣ ବିଜେଡ଼ିରେ ଯୋଗ ଦାନ ବଡ଼ଚଣାରେ ବିଜେଡ଼ିକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଥିଲେ । ରାଜନାରାୟଣ ବିଜେଡ଼ିରେ ମିଶିବେ ବୋଲି ଫେବ୍ରୁଆରୀ ଶେଷ ସପ୍ତାହରେ ଜଣାପଡ଼ିଯାଇଥିଲା । ଯେତେ ବେଳେ କି ସେ ଚଣ୍ଡିଖୋଲ ଠାରେ ପ୍ରଗତିମଞ୍ଚ ବ୍ୟାନରରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ବଡ଼ଚଣା କଂଗ୍ରେସର ଏକ ନଂ ନେତା ଥିବା ରାଜନାରାୟଣ ଫେବ୍ରୁଆରିରେ ଶକ୍ତି ପ୍ରଦର୍ଶନ କରିବା ପରେ ମାର୍ଚ୍ଚ ୬ତାରିଖରେ ହାତଦଳରୁ ଇସ୍ତଫା ଦେଇଥିଲେ । ସେ ବିଜେଡ଼ିକୁ ଯାଉଥିବା ସେତେ ବେଳେ ସ୍ପଷ୍ଟ ଜଣାପଡ଼ିଥିଲା । କିନ୍ତୁ କାହିଁକି କେଜାଣି ବିଳମ୍ବ ଘଟିଥିଲେ ହେଁ ଆଜି ରାଜନାରାୟଣ ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଥିଲେ । କଂଗ୍ରେସରୁ ଟିକେଟ ଦାବିଦାର ଥିବା ରାଜନାରାୟଣ ଏକ ସମୟରେ ଅର୍ଥାତ ୨୦୧୪ରେ ସ୍ୱାଧିନ ଭାବେ ଲଢେଇ କରି ୫ହଜାର ଭୋଟ ପାଇଥିଲେ । ଉକ୍ତ ନିର୍ବାଚନରେ କଂଗ୍ରେସ ବରିଷ୍ଠ ନେତା ସୀତାକାନ୍ତ ମହାପାତ୍ରଙ୍କ ବଦଳରେ ଜନ୍ମେଜୟ ଲେଙ୍କାଙ୍କୁ ପ୍ରାର୍ଥୀ କରିବାରୁ ଅସନ୍ତୁଷ୍ଟ ହୋଇ ସ୍ୱାଧିନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଯଦିଓ ୨୦୧୯ରେ ସେ ନିର୍ବାଚନ ମଇଦାନକୁ ଓହ୍ଲାଇନଥିଲେ  କିନ୍ତୁ ନିର୍ବାଚନ ଦଳୀୟ ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ପରେ ସେ ବଡ଼ଚଣା କଂଗ୍ରେସ ସଂଗଠନ ଭିତରକୁ ଧସେଇ ପସିଥିଲେ । ନିଜର ରାଜନୈତିକ ଆଦର୍ଶ ପିତା ସୀତାକାନ୍ତଙ୍କ ସମର୍ଥକ ଏବଂ ସହଯୋଗୀ ରାଜନାରାୟଣଙ୍କ ପଛରେଠିଆ ହୋଇଥିଲେ । ଫଳରେ ଦୀର୍ଘ ୪ବର୍ଷ ଧରି ଦୁର୍ବଳ ହୋଇପଡ଼ିଥିବା କଂଗ୍ରେସକୁ ବଡ଼ଚଣାରେ ସବଳ କରିବାକୁ ଲାଗିପଡ଼ିଥିଲେ । ତାଙ୍କ ସାଂଗଠନିକ ଦକ୍ଷତା କଂଗ୍ରେସରୁ ତାଙ୍କ ଟିକେଟ ପକ୍କା ବୋଲି ବଡ଼ଚଣାବାସୀ ଭଲଭାବେ ଅବଗତଥିଲେ । ହେଲେ କଂଗ୍ରେସ ପ୍ରତି ଭୋଟରଙ୍କ ଆଭିମୁଖ୍ୟକୁ ବୁଝିଥିବା ରାଜନାରାୟଣ ବିଜେଡ଼ିରେ ସାମିଲ ହେଲେ ରାଜନୈତିକ ଭବିିଷ୍ୟତ ଉଜ୍ୱଳମୟ ବୋଲି ଧରି ନେଇଥିଲେ । ଯେଉଁଥିପାଇଁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ବିଜେଡ଼ିରେ ସାମିଲ ପରେ ବିଜେଡ଼ି ତାଙ୍କୁ ଟିକେଟ ଦେବ ବୋଲି ସମର୍ଥକ ମହଲରୁ ଦାବି କରାଯାଉଥିବା ବେଳେ ରାଜନାରାୟଣ କୌଣସି ସର୍ତବିନା ବିଜେଡ଼ିରେ ସାମିଲ ହୋଇଥିବା ମଧ୍ୟ ଆଲୋଚନା ହେଉଛି । ସର୍ତ୍ତ ନା ବିନା ସର୍ତ୍ତ ତାହାତ ସମୟ କହିବ, କିନ୍ତୁ ତାଙ୍କଦଶା ଜନ୍ମେଜୟଙ୍କ ପରି ହେବନି ତ ? ଏଭଳି ଆଲୋଚନା ବଡ଼ଚଣାର ଛକବଜାର ଏବଂ ରାଜନୈତିକ ଖଟିରେ ଆଲୋଚନା ହେଉଛି । ଜନ୍ମେଜୟ ଲେଙ୍କା । ଯିଏ ଆଜି ଶଙ୍ଖ ଭବନରେ ରାଜନାରାୟଣଙ୍କୁ ବିଜେଡ଼ିକୁ ସ୍ୱାଗତ କରିଥିଲେ । ସେହି ଜନ୍ମେଜୟ ଯିଏ କି ବିଜେଡ଼ି ଟିକେଟ ପାଇବା ଆଶାରେ ୨୦୧୯ ନିର୍ବାଚନ ସମୟରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡ଼ିରେ ଯୋଗ ଦେଇଥିଲେ । ବିଜେଡ଼ିରେ ଯୋଗ ଦେବା ପରେ ତାଙ୍କ ସମର୍ଥକ ବିଜୁ ଜନତା ଦଳ ପକ୍ଷରୁ ବଡ଼ଚଣା ବିଧାୟକ ପ୍ରାର୍ଥୀ ହେଉଥିବା କଥା ପ୍ରଚାର କରିଥିଲେ । ହେଲେ ଜନ୍ମେଜୟଙ୍କୁ ନିରାଶ ହେବାକୁ ପଡ଼ିଥିଲା । ବିଜେଡ଼ି ଜନ୍ମେଜୟଙ୍କ ବଦଳରେ ବିଧାୟକ ଅମର ପ୍ର୍ରସାଦ ଶପଥୀଙ୍କୁ ପ୍ରାର୍ଥୀ କରିଥିଲା । ଜନ୍ମେଜୟ ଯେଉଁ ଆଶା ନେଇ ବିଜେଡ଼ିରେ ଯୋଗ ଦେଇଥିଲେ ତାହା ପୂରଣ ହୋଇପାରିନି, ସତ କିନ୍ତୁ ଦଳର ପ୍ରମୂଖ କାର୍ଯ୍ୟକର୍ତ୍ତା ଭାବେ ଅବସ୍ଥାପିତ ହୋଇଥିଲେ । ୨୪ ନିର୍ବାଚନରେ ବଡ଼ଚଣାରୁ ପ୍ରାର୍ଥୀ ହେବାକୁ ବିଧାୟକ ଅମର ପ୍ରସାଦ ଶପଥୀଙ୍କ ଠାରୁ ଆରମ୍ଭ କରି ତାଙ୍କ ପୁଅ ଏବଂ ଜନ୍ମେଜୟ ଲବିରେ ରହିଥିବା ରାଜନାରାୟଣଙ୍କ ଆଗମନ ଟିକେଟ ଗଣିତକୁ ଓଲଟପାଟଲ କରିପାରେ ବୋଲି ଆଲୋଚନା ହେଉଛି । ଯଦି ସେଭଳି କିଛି ନହୁଏ, ତେବେ ପାଞ୍ଚବର୍ଷ ତଳେ ଜନ୍ମେଜୟ ଯେଉଁ ଦଶା ଭୋଗ କରିଥିଲେ, ସେହି ଦଶା ରାଜନାରାୟଣ ଭୋଗିବାଟାକୁ ଏଡ଼ାଇ ଦିଆଯାଇନପାରେ ।