ଝୁଲା ବିଧାନସଭା : ଏମିତି ବି ହୋଇପାରେ
ElectionResult

ଭୁବନେଶ୍ୱର : ଅନେକ ଦଶନ୍ଧି ପରେ ଓଡ଼ିଶାରେ ଝୁଲା ବିଧାନସଭା ଗଠନ ହେବାକୁ ଯାଉଛି । କାହାକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଭଳି ପ୍ରତୀୟମାନ ହେଉନାହିଁ । ବିଜେଡ଼ିକୁ ଜୋରଦାର ଝଟକା ଲାଗିଛି । ଦଳର ସବୁ ସମ୍ଭ ଭାଙ୍ଗିଯାଇଛି । ଯଦି ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ନପାଏ ଓ ଏହାର ଆସନ ସଂଖ୍ୟା ୭୪ରୁ କମିଯାଏ, ତେବେ ନୂଆ ସମୀକରଣ ସୃଷ୍ଟିହେବାର ଆଶଙ୍କା ରହିଛି ।
ସମୀକରଣ ୧ : ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇପାରେ । କାହିଁକିନା କଂଗ୍ରେସ ବି ୧୬ ଆସନରେ ଆଗୁଆ ରହିଛି । ଏଭଳି ସ୍ଥିତିରେ ସ୍ୱାଧୀନ ସଭ୍ୟଙ୍କୁ ନେଇ ବିଜେଡ଼ି-କଂଗ୍ରେସ ମେଣ୍ଟ ହେବାର ସମ୍ଭାବନାକୁ ବି ଏଡ଼ାଇ ଦିଆନଯାଇପାରେ । କାହିଁକିନା କଂଗ୍ରେସ ନେତା କେବେ ଚାହିଁବେ ନାହିଁ ଏନଡ଼ିଏ ବା ବିଜେପି ସରକାର ହେଉ ବୋଲି । ସେତେବେଳେ ନବୀନ ହିଁ ସେମାନଙ୍କ ପାଇଁ ବିକଳ୍ପ ହୋଇପାରେ । ତେବେ କଥା ହେଉଛି ବିଜେଡ଼ି ୬୦ରୁ ଉଦ୍ଧ୍ୱର୍ ଆସନରେ ଜିତିବା ଦରକାର ।
ସମୀକରଣ ୨ : ବିହାର ଭଳି ଓଡିଶାରେ ବି ବିଜେପି ସମାନ ରଣନୀତି ଆପଣାଇପାରେ । ନୀତିଶ କୁମାରଙ୍କ ସଂଖ୍ୟା କମ ହୋଇଥିଲେବି ବିଜେପି ତାଙ୍କୁ ଏନଡ଼ିଏରେ ସାମିଲ କରି ମୁଖ୍ୟମନ୍ତ୍ରୀ କରିଥିଲା । ଯଦି ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ସମ୍ଭାବନା ହୁଏ ତେବେ ତାହାକୁ ରୋକିବାକୁ ନିଶ୍ଚିତ ଭାବେ ବିଜେପିର କେନ୍ଦ୍ରୀୟ ନେତାମାନେ ଉଦ୍ୟମ କରିବେ । କାହିଁକିନା ଦେଶରେ ମୋଦି ପୁଣିଥରେ ସରକାର ଗଢ଼ିବାକୁ ଯାଉଥିଲେବି ସଂଖ୍ୟାକୁ ଆଶାଜନକ ହୋଇପାରିନାହିଁ । ବିଜେପି ମେଣ୍ଟ ୨୯୪ ଆସନରେ ଆଗେଇ ଥିବାବେଳେ କଂଗ୍ରେସ ମେଣ୍ଟ ୨୩୨ ଆସନ ପାଇଛି । ତେଣୁ ଏନଡ଼ିଏ ଆଦୌ ଚାହିଁବ ନାହିଁ ଓଡ଼ିଶାରେ ଇଣ୍ଡି ମେଣ୍ଟର ସରକାର ହେଉ । ଏଭଳି ସ୍ଥିତିରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରି ପରେ ଦଳ ଅପରେସନ ଲୋଟସ ବି କରିପାରେ ।