ପ୍ରତି ମିନିଟ୍ରେ ୮ କୋଟି ଟଙ୍କା କ୍ଷତି ସହୁଛନ୍ତି ଏଲନ ମସ୍କ, ତଥାପି ନମ୍ବର-୧ରେ

ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କ ଗତ ୭୫ ଦିନରେ ଅନେକ କ୍ଷତି ସହିଛନ୍ତି। ଡିସେମ୍ବର ୧୮ ତାରିଖ ପରଠାରୁ ଟେସଲା ମାଲିକଙ୍କ ମୋଟ ସମ୍ପତ୍ତି ୧୦୦ ବିଲିୟନ ଡଲାରରୁ ଅଧିକ ହ୍ରାସ ପାଇଛି। ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପାଖରେ ମଧ୍ୟ ବର୍ତ୍ତମାନ ୧୦୦ ବିଲିୟନ ଡଲାର ନାହିଁ।
ଚଳିତ ବର୍ଷ ତାଙ୍କର ନେଟ ସମ୍ପତ୍ତି ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ, ଟେସଲାର ଶେୟାର ମୂଲ୍ୟ ୧୦୦ ଡଲାରରୁ ଅଧିକ ଅର୍ଥାତ୍ ୨୩ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଫେବୃଆରୀ ୨୨ରେ ତାଙ୍କର ସମ୍ପତ୍ତି $୧୧.୯ ବିଲିୟନ ଅର୍ଥାତ୍ ୧୦,୩୧,୧୨,୬୦,୭୫,୦୦୦ ଟଙ୍କା ହ୍ରାସ ପାଇଥିଲା। ଏହି କ୍ଷତି ପରେ, ଏଲନ ମସ୍କଙ୍କ ମୋଟ ସମ୍ପତ୍ତି ୩୮୫ ବିଲିୟନ ଡଲାରକୁ ହ୍ରାସ ପାଇଛି। ତଥାପି, ସେ ଏବେ ବି ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ଅଟନ୍ତି। ଦ୍ୱିତୀୟ ସ୍ଥାନରେ ଥିବା ମାର୍କ ଜୁକରବର୍ଗ ଏବେ ବି ତାଙ୍କଠାରୁ ୧୪୦ ବିଲିୟନ ଡଲାରରୁ ଅଧିକ ପଛରେ ଅଛନ୍ତି। ଏହା ପରେ ମଧ୍ୟ, ଗତ କିଛି ଦିନ ଧରି ମସ୍କଙ୍କ ମୋଟ ସମ୍ପତ୍ତିରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହେଉଛି। ଡିସେମ୍ବର ମଧ୍ୟଭାଗରେ ତାଙ୍କର ସମ୍ପତ୍ତି ୫୦୦ ବିଲିୟନ ଡଲାରରେ ପହଞ୍ଚିଥିଲା।
ବିଶେଷ କଥା ହେଉଛି ଯେ ୭୫ ଦିନ ମଧ୍ୟରେ ମସ୍କଙ୍କ ସମ୍ପତ୍ତିରୁ ୧୦୦ ବିଲିୟନ ଡଲାରରୁ ଅଧିକ କ୍ଷତି ହୋଛି। ତଥ୍ୟ ଅନୁଯାୟୀ, ଡିସେମ୍ବର ୧୮ ତାରିଖରେ ମସ୍କଙ୍କ ମୋଟ ସମ୍ପତ୍ତି ଜୀବନର ସର୍ବୋଚ୍ଚ ସ୍ତରରେ ୪୮୫ ବିଲିୟନ ଡଲାରରେ ପହଞ୍ଚିଥିଲା। ସେବେଠାରୁ, ମସ୍କଙ୍କ ସମ୍ପତ୍ତି ୧୦୧ ବିଲିୟନ ଡଲାର କିମ୍ବା ୨୦.୭୮ ପ୍ରତିଶତ ହ୍ରାସ ପାଇଛି। ଚଳିତ ବର୍ଷ ୪୭ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୧୧ ପ୍ରତିଶତ ହ୍ରାସ ଦେଖାଯାଇଛି। ଏହା ଏକ ବଡ଼ କ୍ଷତି କୁହାଯାଇପାରେ। ବିଶେଷଜ୍ଞଙ୍କ ମତରେ, ଟେସଲାର ଶେୟାର ହ୍ରାସ ଯୋଗୁ ମସ୍କଙ୍କ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।
ପ୍ରାୟ ୭୫ ଦିନରେ, ଏଲନ ମସ୍କ ତାଙ୍କ ସମ୍ପତ୍ତିରୁ ୧୦୧ ବିଲିୟନ ଡଲାର ଅର୍ଥାତ୍ ୮.୭୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଯଦି ଦୈନିକ କ୍ଷତିର ହିସାବ ଦେଖାଯାଏ, ତେବେ ଏହା ପ୍ରାୟ ୧୨ ହଜାର କୋଟି ଟଙ୍କା ହେବ। ଯଦି ଆମେ ଘଣ୍ଟାପ୍ରତି କ୍ଷତି ଦେଖିବା, ତେବେ ଏହା ୪୮୬ କୋଟି ଟଙ୍କାରୁ ଅଧିକ ହେବାକୁ ଯାଉଛି। ପ୍ରତି ମିନିଟ୍ରେ କ୍ଷତିର ହିସାବ ୮ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।