ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ

ବାଲେଶ୍ୱର  :  ଗୋଶାଳାସ୍ଥିତ ଜଗନ୍ନାଥ ମନ୍ଦିର ପରିସରରୁ ରଥରେ ଶ୍ରୀଶ୍ରୀ ଜଗନ୍ନାଥ, ବଡ଼ଭାଇ ଶ୍ରୀଶ୍ରୀ ବଳଭଦ୍ର ଓ ଭଉଣୀ ସୁଭଦ୍ରାଦେବୀଙ୍କ ସହ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିଲା । ଶହଶହ ଶ୍ରଦ୍ଧାଳୁ ରଥକୁ ଟାଣିଟାଣି ଚତୁର୍ଦ୍ଧା ମର୍ତ୍ତିଙ୍କୁ ବ୍ୟାସକବିନଗରସ୍ଥିତ ଶ୍ରୀଶ୍ରୀ ବିଶ୍ୱେଶ୍ୱର ମନ୍ଦିର ପରିସରରେ ନିର୍ମିତ ମାଉସୀମା' ମନ୍ଦିରରେ ସନ୍ଧ୍ୟାରେ ପହଞ୍ଚାଇଥିଲେ । ଶହଶହ ଜଗନ୍ନାଥପ୍ରେମୀଙ୍କ ଉପସ୍ଥିତିରେ ଚତୁର୍ଦ୍ଧା ମର୍ତ୍ତୀ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ । ସନ୍ଧ୍ୟା ଆଳତୀର ଅପୂର୍ବ ଦୃଶ୍ୟ ଭକ୍ତମାନେ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଥିଲେ । ପାଗ ଅନୁକୂଳ ଥିବାରୁ ଭକ୍ତଙ୍କ ସଂଖ୍ୟା ଗତବର୍ଷ ଠାରୁ ବୃଦ୍ଧି ପାଇଥିଲା । ଏହି ନବଦିନ ଯାତ୍ରା ଅବସରରେ ପ୍ରତ୍ୟହ ବିଧି ଅନୁସାରେ ପୂଜାର୍ଚ୍ଚନା ଓ ସନ୍ଧ୍ୟାରେ ଭଜନ କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ୟାସକବି ନଗର ବିକାଶ ପରିଷଦର କର୍ମକର୍ତ୍ତା ଓ ରୟାଲ୍ କମୁ୍ୟନିଟି ସେଣ୍ଟରର ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମାପ୍ତ ହେବ ।
ରାଜନଗର  ରାଜନଗର ବ୍ଲକ ହାତିନା ପଚାଂୟତ ବଙ୍ଗୋପସାଗର ତଟବର୍ତ୍ତୀ ପେଣ୍ଠଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବନବିହାରୀଜୀୟୁଙ୍କୁ ବଡପଣ୍ଡା ଗୋବିନ୍ଦ ଦାଶଙ୍କ ସହ ସତ୍ୟବାଦୀ ପଣ୍ଡା, ସୁଦର୍ଶନ ଦାଶ ସକାଳୁ ମଙ୍ଗଳ ଆଳତୀ, ମଇଲମ ପରେ ମହାସ୍ନାନ କରାଇଥିଲେ । ବାଳଭୋଗ ପରେ ସେନାପଟା ଲାଗି କରାଯାଇଥିଲା ଠାକୁରଙ୍କ ନିକଟରେ ଖେଚୁଡି ଭୋଗ କରାଯାଇଥିଲା । ୨ଟା ପରେ ଅଙ୍କୁରାରେପଣ କରାଯାଇ ରଥ ପ୍ରତିଷ୍ଠା କରାଯାଇଥିଲା । ଅପରାହ୍ନରେ ମଙ୍ଗଳାର୍ପଣ କରାଯାଇଥିଲା । ପ୍ରାୟ ୩ଟା ପରେ ଧାଡିରେ ଠାକୁରଙ୍କୁ ସେବକମାନେ ପହଣ୍ଡିବିଜେ କରାଇଥିଲେ । କନିକା ରାଜା ଶିବେନ୍ଦ୍ରନାରାୟଣ ଭଂଜଦେଓ ପାରମ୍ପରିକ ଭାବେ ଛେରା ପହଁରା କରିଥିଲେ । ଅପରାହ୍ନରେ ରଥ ଟଣା ଆରମ୍ଭ ହୋଇଥିଲା । ସିଂହବାଜା, ମହୁରିବାଦ୍ୟ, ସଂକୀର୍ତନ ଓ ପାରମ୍ପରିକ ଓଡିଶୀ ନୃତ୍ୟ ପରିବେଷଣ ମଧ୍ୟରେ ରଥଟଣା ଯାଇଥିଲା । ସଂନ୍ଧ୍ୟା ପ୍ରାୟ ୭ଟା ସମୟରେ ମାଉସୀ ମା ମନ୍ଦିର ନିକଟରେ ପହଂଚିଥିଲା । ବିଷୋୟୀ କାହ୍ନୁଚରଣ ପରିଡାଙ୍କ ସହ ସେବକମାନେ ସହଯୋଗ କରିଥିଲେ ।
ସେହିପରି କେରଡାଗଡଠାରେ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ମେଘୁଆ ପାଗ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ବଡପଣ୍ଡା ମଦନମୋହନ ରଥ, ନିତ୍ୟାନନ୍ଦ ଦାଶ, ସୋମନାଥ ଷଡଙ୍ଗୀ ଓ ନିରଞ୍ଜନ ପଣ୍ଡା ସକାଳୁ ଠାକୁରଙ୍କ ପାଖରେ ମଙ୍ଗଳ ଆଳତୀ, ମଇଲମ ପରେ ମହାସ୍ନାନ କରାଇଥିଲେ । ଅଙ୍କୁରାରେପଣ କରାଯାଇ ରଥ ପ୍ରତିଷ୍ଠା କରାଯାଇଥିଲା । ୨ଟା ପରେ ଧାଡିରେ ଠାକୁରଙ୍କୁ ସେବକମାନେ ପହଣ୍ଡିବିଜେ କରାଇଥିଲେ । କନିକା ଯୁବରାଜଙ୍କ ମଙ୍ଗଳାର୍ପଣ କରାଯାଇଥିଲା । ରାଜ ପୁରୋହିତ ପଣ୍ଡିତ ଶିବନାରାୟଣ ତ୍ରିପାଠି ଓ ବ୍ରହ୍ମା ଜନକୃଷ୍ଣ ରଥ ରଥ ପ୍ରତିଷ୍ଠା କରିଥିଲେ । କନିକା ଯୁବରାଜ ଧ୍ୟାନେନ୍ଦ୍ରନାରାୟଣ ଭଂଜଦେଓ ପାରମ୍ପରିକ ଭାବେ ଛେରା ପହଁରା କରିଥିଲେ । ରଥଯାତ୍ରାରେ ବିଧାୟକ ଧୃବ ସାହୁ, ଅରୁଣ ସାହୁ, ବିଜେପି ନେତା ଲଳିତକୁମାର ବେହେରା, ପଚାଂୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, କଂଗ୍ରେସ ନେତା ପ୍ରଶାନ୍ତ ରାଉତ ପ୍ରମୁଖ ରଥ ଉପରେ ଠାକୁରଙ୍କୁ ଦର୍ଶନ କରିଥିଲେ ।  ମାଜିଷ୍ଟ୍ରେଟ ଭାବେ ସ୍ଥାନୀୟ ତହସିଲଦାର ଯୀଶୁକ୍ରୀଷ୍ଣ ଦାସ, ଏସ୍ଡିପିଓ କ୍ଷମାସାଗର ପଣ୍ଡା, ଅତିରିକ୍ତ ତହସିଲଦାର ସନ୍ଦୀପ ଖାଡଙ୍ଗା, ବିଡିଓ ଅନିରୁଦ୍ଧ ବେହେରା, ଆଇଆଇସି ନରେଶ ସାହୁଙ୍କ ନେତୃତ୍ୱରେ ଏଏସ୍ଆଇ ଶିଶିର ସାହୁଙ୍କ ସହ ଏକ ପ୍ଲାର୍ଟୁନ ଫୋର୍ସ ଓ ଥାନା କର୍ମଚାରୀମାନେ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।