ଛାତରୁ ଡେଇଁ ଛାତ୍ର ମୃତୁ୍ୟ ଘଟଣା : ୧୧ ଘଣ୍ଟା ପରେ ହେଲା ସମାଧାନ

ଚମ୍ପୁଆ/କେଉଁଝର : ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଚାରି ମହଲା ହଷ୍ଟେଲ ଛାତରୁ ଡେଇଁ ଦଶମ ଶ୍ରେଣୀର ଛାତ୍ର କ୍ରିଷ୍ଣା ପ୍ରଧାନ ମୃତୁ୍ୟବରଣ କରିଥିବା ଅଭିଯୋଗ ହୋଇଛି । ଛାତ୍ର ମୃତୁ୍ୟକୁ ନେଇ ସକାଳ ୧୦ ଘଟିକା ଠାରୁ ସଂନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଡାକ୍ତରଖାନା ଓ ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏ ନେଇ ପରିବାର ପକ୍ଷରୁ ଶିକ୍ଷକ ଓ କର୍ତ୍ତୃପକ୍ଷ ଛାତ୍ରକୁ ବାଡେଇ ଥିବା ନେଇ ଅଭିଯୋଗ ଆଣିଛନ୍ତି । ବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଛାତ୍ର କ୍ରିଷ୍ଣା ପ୍ରଧାନ ସକାଳରୁ ପ୍ରାର୍ଥନା ସାରି ନିଜ ରୁମକୁ ଫେରିବା କିଛି ସମୟ ପରେ ଏକ ଖୋଲା ଝରକା ଦେଇ ତଳକୁ ଡେଇଁ ପଡିଥିଲା । ତୁରନ୍ତ ତାଙ୍କୁ ଚମ୍ପୁଆ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଚମ୍ପୁଆ ଥାନାରେ ସୂଚନା ଦେବା ସହିତ ତାଙ୍କ ଅଭିଭାବକଙ୍କୁ ସୂଚନା ଦେଇଥିଲେ । ଅଭିଭାବକ ମାନେ ଚମ୍ପୁଆ ଡାକ୍ତରଖାନା ଆସି କ୍ରିଷ୍ଣାର ମୃତୁ୍ୟ ହୋଇଯାଇଥିବା ଦେଖିବା ସହିତ ବିଦ୍ୟାଳୟରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଂଚ କରିବା ପାଇଁ ପୁଲିସକୁ ଅନୁରୋଧ କରିବାରୁ ପରିବାରର ତିନି ଜଣ ସଦସ୍ୟଙ୍କୁ ସିସିଟିଭି ଯାଂଚ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ମାତ୍ର ପରିବାର ପକ୍ଷରୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ବୋଲି ଦାବି କରିବା ସହିତ ବିଦ୍ୟାଳୟ କର୍ତ୍ତୃପକ୍ଷ ଆଲୋଚନାକୁ ଆସନ୍ତୁ ବୋଲି ଦାବି କରିଥିଲେ । ନିଜ ଜିଦରେ ଅଟଳ ରହିବା ସହିତ ପୋଷ୍ଟମର୍ଟମ ପାଇଁ ପରିବାର ପକ୍ଷରୁ କୌଣସି ସହାୟତା କରାଯାଇନଥିଲା । ଫଳରେ ଦିନ ଦୁଇଟା ବେଳେ ପରିବାର ଲୋକ ବିଦ୍ୟାଳୟ ସମ୍ମୁଖରେ ହୋହାଲା କରିଥିଲେ । ପରିସ୍ଥିତି ଅଣାୟତ ହେବାକୁ ଯାଉଥିବା ବେଳେ ଆଡିସିନାଲ ଏସପି, ଚମ୍ପୁଆ ଏସ୍ଡିପିଓ, ଚମ୍ପୁଆ ଆଇଆଇସି, ବଡବିଲ ଆଇଆଇସି, ଯୋଡା ଆଇଆଇସି, ବାରିଆ ଆଇଆଇସି, ତୁରୁମୁଙ୍ଗା ଆଇଆଇସି, ପ୍ରୋବେସନାଲ ଏସଡିପିଓ ପ୍ରମୁଖ ସଦଳବଳେ ଘଟଣା ସ୍ଥଳରେ ପହଁଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକଙ୍କ ମଧ୍ୟରେ ଉତେଜନା ହ୍ରାସ ପାଇଥିଲେ ମଧ୍ୟ ପୋଷ୍ଟମଟମ ପାଇଁ ପରିବାର ଲୋକ ଅମଙ୍ଗ ହୋଇଥିଲେ । ପରିସ୍ଥିତିକୁ ଆଖି ଆଗରେ ରଖି ଘଟଣା ସ୍ଥଳରେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା, ତହସିଲଦାର ସଜତ ମାର୍କେ, ଅତିରିକ୍ତ ତହସିଲଦାର ପ୍ରତିକ୍ଷା ପିୟଦର୍ଶିନି ପହଁଚି ବୁଝାସୁଝା କରିବା ପରେ ପରିବାର ଲୋକ ପୋଷ୍ଟମଟମ ପାଇଁ ରାଜି ହୋଇଥିଲେ । ଚମ୍ପୁଆ ପୁଲିସ ପକ୍ଷରୁ କେସ ନମ୍ବର ୧୮୭/୨୫ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଚମ୍ପୁଆ ଆଇଆଇସି ସୂଚନା ଦେଇଛନ୍ତି ।