ପୁଣି ପରୀକ୍ଷାରେ ତ୍ରୁଟି
କଟକ: ପ୍ରତିଯୋଗିତାମୂଳକ ପରୀକ୍ଷାରେ ପୁଣି ତ୍ରୁଟି ପରିଲକ୍ଷିତ ହୋଇଛି । ଗୋଟିଏ ଦିନରେ ଆଜି ରାଜ୍ୟ ଲୋକସେବା ଆୟୋଗ (ଓପିଏସସିି) ଏବଂ ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଭଳି ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ସାମନାକୁ ଆସିଛି । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏଭଳି ତ୍ରୁଟି ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଆଜି ସିଭିଲ ସର୍ଭିସ ମେନ-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ଥିଲା । ପୂର୍ବାହ୍ନ ୯ଟାରୁ ୧୨ଟା ଯାଏ ଆନ୍ଥ୍ରୋପୋଲୋଜିର ପ୍ରଥମ ପେପର ପରୀକ୍ଷା ଥିଲା । ସେହିପରି ଅପରାହ୍ନ ୨ଟାରୁ ୫ଟା ଯାଏ ଦ୍ୱିତୀୟ ପେପର ପରୀକ୍ଷା ଥିଲା । ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ୱିତୀୟ ପେପରରୁ ଆସିଥିଲା । ସେହିପରି ଦ୍ୱିତୀୟ ପେପର ପରୀକ୍ଷାରେ ପ୍ରଥମ ପେପରର କିଛି ପ୍ରଶ୍ନ ଆସିଥିବା ଅଭିଯୋଗ ହୋଇଛି । ପ୍ରଥମ ସିଟିଂ ପରୀକ୍ଷା ପରେ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଓପିଏସସି କର୍ତ୍ତୃର୍ପକ୍ଷ ନୋଟିସ ଜରିଆରେ ତ୍ରୁଟି ସ୍ୱୀକାର କରିଛନ୍ତି । ତେବେ ପରୀକ୍ଷା ଚାଲୁ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏ ସଂପର୍କରେ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଓପିଏସସି କର୍ତ୍ତୃର୍ପକ୍ଷ ଜଣାଇଛନ୍ତି । ପରୀକ୍ଷା ପରେ ଆନ୍ଥ୍ରେପୋଲୋଜି ପରୀକ୍ଷାର୍ଥୀମାନେ ଅସନ୍ତୋଷ ଝାଡ଼ିଛନ୍ତି । ଓପିଏସସିି ଖାମଖିଆଲି ଭାବେ ପରୀକ୍ଷା ପରିଚାଳନା କରୁଛି ବୋଲି କିଛି ପରୀକ୍ଷାର୍ଥୀ କହିଛନ୍ତି । ପେପର-୧ ପରୀକ୍ଷାରେ ପେପର-୨ ପ୍ରଶ୍ନ ଦେଖି ଝଟକା ଲାଗିଥିଲା ବୋଲି ପରୀକ୍ଷାର୍ଥୀମାନେ କହିଛନ୍ତି । ଯଦିଓ ପେପର -୨ରେ ପେପର-୧ ର ପ୍ରଶ୍ନ ଆସିଲା, ତାହା ଠିକନଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ହଠାତ୍ ମନ ପରିବର୍ତ୍ତନ କରିବାର ସମସ୍ୟା ଓପିଏସସି ବୁଝିବା ଦରକାର ବୋଲି ସେମାନେ କହିଛନ୍ତି । କାରଣ ସିଟିଂ ମଧ୍ୟରେ ଥିବା ସମୟ ପର ପେପର ପାଇଁ ବାଟ ଦେଖାଏ । ଯେପରି ଆଗକୁ ଏପରି ତ୍ରୁଟି ନହେବ ଏଥିପ୍ରତି ଓପିଏସସି ଧ୍ୟାନ ଦେବାକୁ ପରୀକ୍ଷାର୍ଥୀମାନେ ନିବେଦନ କରିଛନ୍ତି । ଅପରପକ୍ଷରେ ଓଡ଼ିଶା ଷ୍ଟାପ ସିଲେକ୍ସନ କମିଶନ ପରୀକ୍ଷାରେ ମଧ୍ୟ ବଡ଼ ତ୍ରୁଟି ଦେଖାଯାଇଛି । ଆଜି ଏକସାଇଜ ଓ ଟ୍ରାଫିକ ଏସଆଇ ପରୀକ୍ଷା ଥିଲା । ମାତ୍ର ସିଜିଏଲରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ । ଏତେ ବଡ଼ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ହୋଇପଡ଼ିଛନ୍ତି । ଏନେଇ ଓଡ଼ିଶା ଷ୍ଟାଫ ସିଲେକସନ କମିଶନ କର୍ତ୍ତୃର୍ପକ୍ଷ ତ୍ରୁଟି ସ୍ୱୀକାର କରିଛନ୍ତି । ଆୟୋଗ ତ୍ରୁଟିକୁ ସ୍ୱୀକାର କରି ଦୁଃଖ ପ୍ରକାଶ କରିଛନ୍ତି । ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଛନ୍ତି । ଆସନ୍ତା ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ କରିଛନ୍ତି । ସୂଚନାଯୋଗ୍ୟ, ଗତ ମାସ ୩୦ ତାରିଖ ଦିନ ଓପିଏସସି ଦ୍ୱାରା ପରିଚାଳିତ ଉପଖଣ୍ଡ ସୂଚନା ଓ ଲୋକସଂର୍ପକ ଅଧିକାରୀ (ଏଡ଼ିଆଇପିଆରଓ) ପରୀକ୍ଷା ଥିଲା । ସାମ୍ବାଦିକତା ଓ ଜନସଂଚାର ପରୀକ୍ଷା ଅପରାହ୍ନ ୧.୩୦ରୁ ୩.୩୦ ଭିତରେ ଥିଲା । ସେହି ପରୀକ୍ଷାରେ ୧୦୦ ନମ୍ବର ପ୍ରଶ୍ନ ବଦଳରେ ୯୪ ପ୍ରଶ୍ନ ଆସିଥିଲା ।