ନକଲି ସୁନା ରଖି ନେଇଥିଲେ ଟଙ୍କା

 ଚାନ୍ଦବାଲି:  ବାଂଶଡା ଥାନା ଅର୍ନ୍ତଗତ ଘଣ୍ଟେଶ୍ୱର ୟୁକୋ ବ୍ୟାଙ୍କରେ ଜାଲିଆତି କରି ଧରାପଡିଛନ୍ତି । ଗ୍ରାହକ ଜଣକ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲି ୧୨୦ ଗ୍ରାମ ନକଲି ସୁନା ଦେବା ସହ ବ୍ୟାଙ୍କ ପାଇଁ ନିଯୁକ୍ତ ବଣିଆକୁ ହାତକରି ଏବଂ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ହାତ କରି ୫ ଲକ୍ଷ ଟଙ୍କା ନେଇ ଗାଏବ ହୋଇଯାଇଥିଲା  । ପୁନଶ୍ଚ ସେହି ଠକ ଆସି ଆଉ କିଛି ସୁନା ବନ୍ଧା ପକାଇ ଲୋନ୍ ନେବାକୁ ଚାହୁଁଥିବା ବେଳେ, ସଂପୃକ୍ତ ଗ୍ରାହକକୁ ବ୍ୟାଙ୍କ ମଧ୍ୟରେ ରଖି ୫ ଲକ୍ଷ ଟଙ୍କା କିପରି ଆଦାୟ କରାଗଲା ତାହାର କେହି ଟେର ପାଇଲେ ନାହିଁ । ପ୍ରାପ୍ତ ଘଟଣାରୁ ଜଣାଯାଇଛି ଗତ ୨୩ ତାରିଖ ଦିନ ଘଣ୍ଟେଶ୍ୱର ଅଞ୍ଚଳର ବାଦଲ ସାମଲ ନାମକ ଜଣେ ଗ୍ରାହକ ବ୍ୟାଙ୍କକୁ ଆସି ୧୨୦ଗ୍ରାମ ନକଲି ସୁନା ଦେଇ ୫ ଲକ୍ଷ ଟଙ୍କା ନେଇଥିବା ବେଳେ ସଂପୃକ୍ତ ଯୁବକ ଜଣକୁ ପୁନଶ୍ଚ ୨୪  ସନ୍ଧ୍ୟା ସମୟରେ ଆସି ଆଉ କିଛି ନକଲି ସୁନା ଦେଇ କିଛି ସୁନା ଋଣ ନେବାକୁ କହିଥିଲେ । ମାତ୍ର ବ୍ୟାଙ୍କରେ କାର୍ଯ୍ୟରତ କିଛି କର୍ମଚାରୀ ସଂପୃକ୍ତ ଗ୍ରାହକ ବାଦଲଙ୍କ ଉପରେ ସନେ୍ଦହ କରି ବ୍ୟାଙ୍କ ଶାଖାକୁ ଚାବି ପକାଇ ଦେଇ ବାଦଲ ଦେଇଥିବା ସୁନାକୁ ଅନ୍ୟ ଏକ ବଣିଆ ପାଖରେ ପରୀକ୍ଷା କରିଥିଲେ । ସେଠାରେ ବନ୍ଧା ଦିଆଯାଇଥିବା ୧୨୦ ଗ୍ରାମ ସୁନା ସମ୍ପୁର୍ଣ୍ଣ ନକଲି ବୋଲି ବଣିଆ କହିଥିଲେ । ଫଳରେ ସଂପୃକ୍ତ ୟୁକୋ ବ୍ୟାଙ୍କ ଶାଖାର ସମସ୍ତ କର୍ମଚାରୀ ବାଦଲ ଏବଂ ତାଙ୍କ ସହ ଆସିଥିବା ମୈନା ଦଳେଇ ନାମକ ମହିଳାଙ୍କୁ ବ୍ୟାଙ୍କ ମଧ୍ୟରେ ଅଟକ ରଖିବା ସହ ସଂପୃକ୍ତ ବାଦଲ ନେଇଥିବା ୫ଲକ୍ଷ ଟଙ୍କା ଫେରାଇବାକୁ କହିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । କିଛି ସମୟ ପରେ ସଂପୃକ୍ତ ଗ୍ରାହକ ବାଦଲ ସାମଲ ୫ଲକ୍ଷ ଟଙ୍କା ଫେରାଇ ଦେଇଥିଲେ । ବାଦଲ ଏବଂ ତାଙ୍କ ସହଯୋଗୀ ମୈନା ଦଳେଇଙ୍କୁ ବ୍ୟାଙ୍କ କର୍ମଚାରୀଙ୍କ ସହ କିଛି ସ୍ଥାନୀୟ ଯୁବକ ଆକ୍ରମଣ କରିଥିଲେ । କୌଣସି ସୂତ୍ରରୁ ଖବର ପାଇ ଘଣ୍ଟେଶ୍ୱର ଫାଣ୍ଡି ଏସ୍ଆଇ ସୂର୍ଯ୍ୟ ମହାନ୍ତି ଏବଂ ତାଙ୍କ ଷ୍ଟାଫ ଆସି ବାଦଲ ଏବଂ ମୈନାଙ୍କୁ ଉଦ୍ଧାର କରିଥିଲେ । ଏସ୍ଆଇ ସୂର୍ଯ୍ୟ ମହାନ୍ତି ତାଙ୍କ ଠାରୁ ଏକ ଅଣ୍ଡରଟେକିଂ ନେଇ ସେମାନଙ୍କୁ ଛାଡି ଦେଇଥିଲେ । ଏଠି ପ୍ରଶ୍ନ ଉଠେ କେଉଁ ପରିସ୍ଥିତିରେ ବ୍ୟାଙ୍କ ଶାଖା ପରିଚାଳକ କିପରି ସୁନାର ମାନ ନ ପରଖି ୫ଲକ୍ଷ ଟଙ୍କା ଦେଲେ ଏବଂ ଏହା ପରେ ଥାନାରେ କାହିଁକି ଅଭିଯୋଗ କଲେ ନାହିଁ । ଅନ୍ୟ ପକ୍ଷରେ ଏହି ଜାଲିଆତି ଘଟଣାରେ ଅନ୍ୟ କେଉଁ ମାନେ ସଂପୃକ୍ତ ଅଛନ୍ତି ଏବଂ ଏଥିସହ ବ୍ୟାଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ବଣିଆ କିପରି ପରୀକ୍ଷା କରି ଏହା ଅସଲି ସୁନା ବୋଲି କହୁଥିଲେ । ପ୍ରକୃତରେ କେଉଁ ବଣିଆ ଅସଲି ଏବଂ କିଏ ନକଲି । ଏପରି ଆଗରୁ କେତେଜଣଙ୍କୁ ନକଲି ସୁନା ନେଇ ଋଣ ଦେଇଛନ୍ତି ବୋଲି ପ୍ରଶ୍ନର ଉତ୍ତର ନ ଦେଇ ସଂପୃକ୍ତ ଶାଖା ପରିଚାଳକ ଚୁପ୍ ରହିଛନ୍ତି । ଭୁବନେଶ୍ୱର ଆଞ୍ଚଳିକ ଶାଖାର ପରିଚାଳକ ଏହି ବିଷୟରେ ଅବଗତ ଅଛନ୍ତି ବୋଲି କହିଥିବା ବେଳେ ଆଗାମୀ ଦିନରେ ଏହି ଶାଖା ପ୍ରବନ୍ଧକଙ୍କ ବିରୁଦ୍ଧରେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ । ଘଟଣା ଘଟିବାର ୨ ଦିନ ବିତିଥିଲେ ମଧ୍ୟ ଘଣ୍ଟେଶ୍ୱର ଫାଣ୍ଡି ଅଥବା ବାଂଶଡା ଥାନାରେ ବ୍ୟାଙ୍କ କର୍ତ୍ତୃପକ୍ଷ କିଛି ଲିଖିତ ଅଭିଯୋଗ କରି ନଥିବା ପୁଲିସ ପ୍ରକାଶ କରିଛି ।