ଇଚ୍ଛାମୃତୁ୍ୟ ଦାବି କରିବାରୁ ଚାଷୀଙ୍କୁ ୯.୯୧ ଲକ୍ଷ ଫାଇନ୍
ଜୟପୁର: ରାଜସ୍ଥାନରେ ଜଣେ ଚାଷୀ ଇଚ୍ଛାମୃତୁ୍ୟ ଦାବି କରିବାରୁ ତାଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା ପକାଇଛି ପୁଲିସ୍ । କୌଣସି ପୁଲିସ୍ ଜଣେ ଚାଷୀଙ୍କ ଉପରେ ଏଭଳି ଘଟଣା ପାଇଁ ଫାଇନ୍ କରିବା ରାଜ୍ୟରେ ତଥା ଦେଶରେ ପ୍ରଥମ ଘଟଣା ବୋଲି ଜଣାପଡ଼ିଛି । ଜମି ବିବାଦକୁ ନେଇ ଚାଷୀ ଜଣକ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ସେ ରାଜସ୍ଥାନ ଝୁନ୍ଝୁନ୍ ଜିଲ୍ଲାର ବିଦ୍ୟାଧର ଯାଦବ ବୋଲି ଜଣାପଡ଼ିଛି ।
ଘଟଣା ଅନୁସାରେ ଗତ ୧୦ ତାରିଖରେ ଶ୍ରୀସିମେଣ୍ଟ କମ୍ପାନୀ ତାଙ୍କ ଜମିକୁ କବ୍ଜା କରିଥିବା ଯୋଗୁ ତାଙ୍କୁ କ୍ଷତିପୂରଣ ଦାବି କରି ବିଦ୍ୟାଧର ଘଟଣାସ୍ଥଳରେ ଧାରଣା ଦେଇଥିଲେ । ଏହାସହ ଆବଶ୍ୟକ କ୍ଷତିପୂରଣ ନ ମିଳିଲେ ସେ ସପରିବାରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ । ଏହାକୁ ଭିତ୍ତି କରି ଏସ୍ପି ଶରଦ ଚୌଧାରୀ ସମ୍ପୃକ୍ତ ଚାଷୀଙ୍କୁ ଏକ ନୋଟିସ୍ ଜାରି କରିଥିଲେ । ଏଥିରେ ଦର୍ଶାଯାଇଛି ଯେ, ଚାଷୀ ବିଦ୍ୟାଧର ଏସ୍ପି ଅଫିସ୍ରେ ୯ଲକ୍ଷ ୯୧ ହଜାର ୫୭୭ ଟଙ୍କା ଦାଖଲ ନ କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାନୁସାରେ ପୂର୍ବରୁ ସମ୍ପୃକ୍ତ ଚାଷୀଙ୍କ ସହ ସିମେଣ୍ଟ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା କରି କ୍ଷତିପୂରଣ ବାବଦକୁ ୩ କୋଟି ଟଙ୍କା ଦେବାକୁ ରାଜି ହୋଇଥିଲେ । ଏହା ପରେ ବି ବିଦ୍ୟାଧରଙ୍କ ଏଭଳି ଜିଦ୍ ପାଇଁ ପୁଲିସ୍ ଏହି ପଦକ୍ଷେପ ନେଇଥିବା ଏସ୍ପି ସୂଚନା ଦେଇଛନ୍ତି । ଏହାସହ ବିଦ୍ୟାଧରଙ୍କୁ ୭ ଦିନ ପର୍ଯ୍ୟନ୍ତ ଟଙ୍କା ଡିପୋଜିଟ୍ ପାଇଁ ସମୟ ଦିଆଯାଇଛି; ଏପରି ନ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।