ବାଲିରେ ଚାଲିଛି କାର୍ଯ୍ୟ : ବନ୍ଧର ସ୍ଥାୟିତ୍ୱକୁ ନେଇ ସନେ୍ଦହ

ଧର୍ମଶାଳା : ମାଟି ବଦଳରେ ବାଲିରେ କରାଯାଉଛି ବନ୍ଧ କାର୍ଯ୍ୟ । ଏଣୁ ବନ୍ଧର ସ୍ଥାୟୀତ୍ୱକୁ ନେଇ ସାଧାରଣରେ ସନେ୍ଦହ ପ୍ରକାଶ ପାଇଛି । ଖବର ମତେ ଧର୍ମଶାଳା ବ୍ଲକ ଅନ୍ତର୍ଗତ ବେଦପୁର ଠାରୁ ଜନକ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ କରାଯାଉଥିବା ବେଳେ  ନଦୀ ବନ୍ଧରେ ମାଟି ବଦଳରେ ବାଲିରେ କରାଯାଉଛି । ବନ୍ଧଟିର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ି ଥିବାରୁ ପ୍ରଶସ୍ତିକରଣ ନିମନ୍ତେ ୮ ଡିସେମ୍ବର ୨୦୨୩ ମସିହାରେ ଶିଳାନ୍ୟାସ ହୋଇଥିଲା । ପାଣିକୋଇଲି ପୂର୍ତ ବିଭାଗ ଅଧିନରେ ରାସ୍ତା ବାବଦକୁ ୨୨କୋଟି ୨୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । କାମ ଆରମ୍ଭ ହେବାର କିଛି ଦିନ ପରେ ନିର୍ବାଚନ ହୋଇ ଥିବାରୁ ଏହି କାର୍ଯ୍ୟ ବନ୍ଦ ହୋଇ ରହିଥିଲା । ରାସ୍ତାକାମ କିଛି ଦିନ ହେବ ଆରମ୍ଭ ହୋଇ ଚାଲୁ ରହିଥିବା ବେଳେ କାର୍ଯ୍ୟ ସଠିକ ଢଙ୍ଗରେ ହେଉନଥିବା ଅଭିଯୋଗ ହୋଇଛି । ପୁର୍ବରୁ ଥିବା ନଦୀ ବନ୍ଧକୁ ଅଳ୍ପ ଲେଖାଏଁ ଜେସିବିରେ କାଟି ନିକଟସ୍ଥ ନଈ ପଠାରୁ ବାଲି ଆଣି ବନ୍ଧର ତଳ ଭାଗରେ ଦିଆଯାଉଥିବା ବେଳେ ଛିଞ୍ଚିଲା ଭଳି ଉପରେ ମାଟି ପକାଯାଉଛି । ବଡ଼ କଥା ହେଲା ନଦୀ ବଢ଼ି ସମୟରେ ଏଠାରେ ଏକ ଘାଇ ସୃଷ୍ଟି ହୋଇଥିଲା । ଯାହାଫଳରେ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା । ସେହି ଘାଇ ନିକଟରେ ମଧ୍ୟ ମାଟି ବଦଳରେ ବାଲି ପକାଇ ବନ୍ଧ ପ୍ରଶସ୍ତିକରଣ କରାଯାଉଥିବାରୁ ରାସ୍ତା ଉପରେ ନିର୍ଭରଶୀଳ ଲୋକେ ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଠିକାଦାର ମନମାନିରେ କାର୍ଯ୍ୟ କରିଚାଲିଥିବା ବେଳେ ପୂର୍ତ ବିଭାଗ ନିରବ ବସିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।