ଏମର୍ଜେନ୍ସି କଳା ଅଧ୍ୟାୟର ୫୦ ବର୍ଷ ପୂର୍ତ୍ତି : ଏବେବି କଂଗ୍ରେସର ସାମନ୍ତବାଦୀ ମାନସିକତା
ଭୁବନେଶ୍ୱର : ଭୁବନେଶ୍ୱର ଠାରେ ବିଜେପି ପକ୍ଷରୁ ‘କଂଗ୍ରେସ ଦ୍ୱାରା ଗଣତନ୍ତ୍ରକୁ କୁଠାରଘାତ ଇତିହାସର ୫୦ ବର୍ଷର କାହାଣୀ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିର କଳା ଅଧ୍ୟାୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ସେମିନାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏମର୍ଜେନ୍ସିର ବାସ୍ତବତା ବିଷୟରେ ବଖାଣିଥିଲେ । ଏମର୍ଜେନ୍ସିର ମୂଳ କାରଣ ଥିଲା ଇନ୍ଦିରା ଗାନ୍ଧୀଙ୍କ ପରିବାର ପ୍ରତି ମୋହ । ମୁଁ ଓ ମୋର ପୁତ୍ର ସଞ୍ଜୟଗାନ୍ଧୀ ଓ ପରିବାର ଦେଶକୁ ଚଳାଇବାର ମାନସିକତା । ଆଜି ବି କଂଗ୍ରେସରେ ସେହି ମାନସିକତା ଭରି ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ ।
୧୯୭୫ ଜୁନ୍ ୨୫ରେ ‘ଜରୁରୀକାଳୀନ ପରିସ୍ଥିତି' ଭାରତୀୟ ଗଣତନ୍ତ୍ର ଉପରେ କଂଗ୍ରେସ ଦ୍ୱାରା ଲଗାଯାଇଥିବା ଏକ କଳା ଫର୍ଦ୍ଦ, ଯାହାକୁ ଦେଶ କେବେ ଭୁଲିପାରିବ ନାହିଁ । ‘ଏମର୍ଜେନ୍ସି’ ଲାଗୁ ହେଲା ପରେ ସାଧାରଣ ଭାରତୀୟ ନାଗରିକର ବାକ୍ ସ୍ୱାଧୀନତାକୁ ଦମନ କରାଯିବା ସହ ଚତୁର୍ଥ ସ୍ତମ୍ଭ ସ୍ୱାଧୀନତା ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଥିଲା । ଠିକ୍ ସେହିପରି ଆଜି କଂଗ୍ରେସର ଚେହେରା ବଦଳିଯାଇଛି, କିନ୍ତୁ ସ୍ୱେଚ୍ଛାଚାରି ମାନସିକତାରେ କୌଣସି ପରିବର୍ତ୍ତନ ଆସିନାହିଁ । ନିର୍ବାଚନରେ ପରାଜୟ ହେଲେ କଂଗ୍ରେସ ଦେଶର ନିର୍ବାଚନ ବ୍ୟବସ୍ଥାକୁ ବିରୋଧ କରୁଛି । ଗଣତନ୍ତ୍ରର ଉଦାହରଣ ଦେବାକୁ ଯାଇଁ ଶ୍ରୀ ପ୍ରଧାନ କଳିଙ୍ଗ ଯୁଦ୍ଧ ଏବଂ ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ । ଏ ଅବସରରେ ଶ୍ରୀ ପ୍ରଧାନ ଜରୁରୀକାଳୀନ ପରିସ୍ଥିତିର କଳାସ୍ମୃତିର ୫୦ ତମ ବର୍ଷ ଉପଲକ୍ଷେ ଭୁବନେଶ୍ୱର ଓୟୁଏଟି ପରିସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଏହାସହ ଲୋକତନ୍ତ୍ର ସେନାନୀଙ୍କୁ ସମ୍ମାନିତ କରିଥିଲେ । ପରେ ଭୁବନେଶ୍ୱର ଓୟୁଏଟି କ୍ୟାମ୍ପସ ପରିସରରେ "ଏକ ପେଡ୍ ମା’ କେ ନାମ ୨.୦’ ଅଭିଯାନ ଅଧୀନରେ ବୃକ୍ଷରୋପଣ କରିଥିଲେ ।