ମାଗଣା ରାସନ ଆହୁରି ୪ ବର୍ଷ ଯାଏଁ ମିଳିବ

ମାଗଣା ରାସନ ଆହୁରି ୪ ବର୍ଷ ଯାଏଁ ମିଳିବ

ନୂଆଦିଲ୍ଲୀ:  ଦଶହରାରେ ଖୁସି ଖବର ଦେଲେ କେନ୍ଦ୍ର ସରକାର। ଆହୁରି ୪ ବର୍ଷ ଯାଏଁ ମିଳିବ ମାଗଣା ରାସନ। ଜାରି ରହିବ ପୋଷଣଯୁକ୍ତ ଚାଉଳ ବଣ୍ଟନ ପ୍ରକ୍ରିୟା। ୨୦୨୮ ମସିହା ପର୍ୟ୍ୟନ୍ତ ହିତାଧିକାରୀଙ୍କୁ ଏହି ଚାଉଳ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଖାଦ୍ୟ ସବସିଡି କାର୍ୟ୍ୟକ୍ରମ ଅଧୀନରେ ଏହି ରାସନ ପ୍ରଦାନ ହୋଇଆସୁଅଛି। ୨୦୨୮ ମସିହା ପର୍ୟ୍ୟନ୍ତ ରାସନ କାର୍ଡଧାରୀଙ୍କୁ ମାଗମା ରାସନ ମିଳିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।ସରକାରଙ୍କ ପକ୍ଷରୁ ଏହି ମାଗଣା ଚାଉଳ ମିଳିବା ଦ୍ବାରା ଖାଦ୍ୟ ଅଭାବ କାରଣରୁ ରକ୍ତହୀନତା ରୋଗରେ ପୀଡିତ ଲୋକଙ୍କ ସମସ୍ୟା ଦୂର ହେବ। ଶରୀରରେ ଥିବା ମାଇକ୍ରୋନ୍ୟୁଣ୍ଟ୍ରିଏଣ୍ଟ ଅଭାବ ଭରଣ ହେବ। ଶରୀରକୁ ପୋଷକ ତତ୍ତ୍ବ ମିଳିବା ସହ ଅପପୁଷ୍ଟି ରୋକିବାରେ ସହାୟତା ହେବ। ବୁଧବାର ବସିଥିବା କ୍ୟାବିନେଟ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶର କୋଟି କୋଟି ରାସନ ହିତାଧିକାରୀଙ୍କୁ ଦଶହରା ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ସମସ୍ତ ରାସନ କାର୍ଡଧାରୀ ଆସନ୍ତା ୪ ବର୍ଷ ଯାଏଁ ଅର୍ଥାତ୍ ୨୦୨୮ ପର୍ୟ୍ୟନ୍ତ ମାଗଣା ଚାଉଳ ପାଇପାରିବେ। ଏଥିପାଇଁ ପ୍ରାୟ ୧୧.୮୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ପ୍ରାୟ ୮୦କୋଟିରୁ ଉର୍ଦ୍ଧ୍ବ ହିତାଧିକାରୀ ଲାଭ ପାଇପାରିବେ। ଆନେମିଆ ଓ ଅପପୁଷ୍ଟିକୁ ରୋକିବା ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର। ୨୦୨୨ ମସିହା ଏପ୍ରିଲ ମାସରେ କେନ୍ଦ୍ର ସରକାର ପୋଷଣ ଯୁକ୍ତ ଚାଉଳ ବଣ୍ଟନ ନିଷ୍ପତ୍ତି ନେଇଥିଲେ। ୨୦୨୪ ମାର୍ଚ୍ଚ ସୁଦ୍ଧା ପ୍ରର୍ୟ୍ୟାୟ କ୍ରମେ ସବୁଠି ଲାଗୁ ହେବା ନେଇ ଲକ୍ଷ୍ୟ ରହିଥିଲା। ବର୍ତ୍ତମାନ ସଫଳତାର ସହ ଏହି ଯୋଜନା ଦେଶର ସବୁ ପ୍ରାନ୍ତରେ ଲାଗୁ ହୋଇଥିବାବେଳେ ୨୦୨୮ ଯାଏଁ ବୃଦ୍ଧି କରାୟାଇଛି।