ପ୍ରହସନ ପାଲଟିଛି ଗ୍ରୀଷ୍ମକାଳୀନ ଆଶ୍ରୟସ୍ଥଳୀ
ଜଟଣୀ, : ନିଦାଘ ଖରାରେ ଜନସାଧାରଣ ତଥା ଜୀବଜନ୍ତୁ ଆଉଟୁପାଉଟୁ ହେଉଥିବାବେଳେ ଚାତକ ପରି ବର୍ଷା ଜନିତ ଉତ୍ତାପ କମ୍ ପାଇଁ ଅନାଇ ବସୁଛନ୍ତି ଜନସାଧାରଣ । ଏହି ମର୍ମରେ ଜଟଣୀ ପୌରପାଳିକା ପକ୍ଷରୁ ସହରର କିଛିଟା ସ୍ଥାନରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ପରିଚାଳନାରେ ଜଳଛତ୍ର କେନ୍ଦ୍ରମାନ ଅସ୍ଥାୟୀଭାବେ ସ୍ଥାପନ କରାଯାଇଛି । ହେଲେ ଉକ୍ତ କେନ୍ଦ୍ରଗୁଡିକରେ ବ୍ୟବହୃତ ହେଉଥିବା ମାଠିଆ ଗୁଡିକ ଭଲ ଭାବରେ ପରିଷ୍କାର କରାଯାଉନଥିବା ଓ ସେଥିରେ ଭର୍ତ୍ତି କରାଯାଉଥିବା ପାନୀୟଜଳ ସ୍ୱଚ୍ଛ ନ ଥିବା ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ଗ୍ରୀଷ୍ମକାଳୀନ ଡହଡହ ଖରାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ଯେଉଁ ମହତ୍ ଉଦେ୍ଦଶ୍ୟ ରଖି ବିଭିନ୍ନ ଛକମାନଙ୍କରେ ବାଟୋଇମାନଙ୍କ ପାଇଁ ଛାଇର ବ୍ୟବସ୍ଥା କେନ୍ଦ୍ର (ଗ୍ରୀଷ୍ମକାଳୀନ ଆଶ୍ରୟସ୍ଥଳୀ) ସ୍ଥାପନ କରାଇଛନ୍ତି; ତାହା ଏବେ ପ୍ରହସନରେ ପରିଣତ ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ଉକ୍ତ କେନ୍ଦ୍ରମାନଙ୍କରେ ନା ଉତ୍ତମ ପାନୀୟଜଳର ବ୍ୟବସ୍ଥା କରାଯାଇଛି ନା ଥକ୍କା ମେଣ୍ଟାଇବା ପାଇଁ ବସିପଡିବା ପାଇଁ ଚୌକିର ବ୍ୟବସ୍ଥା କରାଯାଇଛି । ବିଶେଷ କରି ନିହାତି ଜରୁରୀକାଳୀନ ସେବା ପାଇଁ (ସନ୍ଷ୍ଟ୍ରୋକ୍) ଆକ୍ରାନ୍ତଙ୍କ ପାଇଁ ଏକ ଖଟର ବ୍ୟବସ୍ଥା ମଧ୍ୟ କରାଯାଇନଥିବା ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟାନ୍ୱିତ ଭାବେ ସେହିସବୁ କେନ୍ଦ୍ରଗୁଡିକ ବର୍ତ୍ତମାନ ପରିପ୍ରେକ୍ଷୀରେ ଗାଡ଼ିଷ୍ଟାଣ୍ଟରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ କ୍ଷେତ୍ରରେ ନିର୍ବାଚନ ପରିଚାଳନା ପାଇଁ ପୌର ନିର୍ବାହୀ ଅଧିକାରୀଙ୍କ ବ୍ୟସ୍ତତାର ସୁଯୋଗରେ ଏହି ସବୁ ଦାୟିତ୍ୱରେ ଥିବା କର୍ମଚାରୀମାନେ ଦାୟିତ୍ୱହୀନ ହୋଇଯାଇଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଅତଏବ ଖରାରେ ଆକ୍ରାନ୍ତ ଜନସାଧାରଣଙ୍କୁ ଉତ୍ତମ ପରିବେଶରେ ସେବା ଯୋଗାଇଦେବା ପାଇଁ ଖୁବ୍କମ୍ ଦିନ ଭିତରେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।