"ଏକ ଦେଶ ଏକ ନିର୍ବାଚନ ଜନ ପ୍ରତିନିଧିଙ୍କ ଉତ୍ତର ଦାୟିତ୍ୱ ହ୍ରାସ କରିବ'

 ସମ୍ବଲପୁର :  ପ୍ରୋଗ୍ରେସିବ ସମ୍ବଲପୁର ପକ୍ଷରୁ ଏକ ଦେଶ ଏକ ନିର୍ବାଚନ ଶୀର୍ଷକ ଆଲୋଚନାଚକ୍ର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଦେଶର ସାମ୍ପ୍ରତିକ ଅବସ୍ଥାରେ ଏକ ଦେଶ ଏକ ନିର୍ବାଚନର ଆବଶ୍ୟକତା ଏବଂ ରାଜନୈତିକ ବ୍ୟବସ୍ଥା ଓ ରାଜନୈତିକ ଦଳର ଉତ୍ତରଦାୟିତ୍ୱ ଉପରେ, ସାମ୍ବିଧାନିକ ବ୍ୟବସ୍ଥା ଉପରେ, ଦେଶର ସଂଘୀୟ ବ୍ୟବସ୍ଥା ଉପରେ ତଥା ଦେଶ ଓ ରାଜ୍ୟର ଆଗାମୀ ସାମାଜିକ ଓ ରାଜନୈତିକ ଚିତ୍ର ଉପରେ ଏହି ବିଚାରର ପ୍ରଭାବ ଉପରେ ବକ୍ତାମାନେ ଆଲୋଚନା କରିଥିଲେ । ଚାଷୀନେତା ସରୋଜ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବକ୍ତା ଭାବେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ସହ ଅଧ୍ୟାପକ ଡ଼ ପବିତ୍ର ବାଗ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଗବେଷକ ଗଣେଶ ଗାଈଗୋରିଆ ଓ ପୁର୍ବତନ ଏସଡିଏ ଅଧ୍ୟକ୍ଷ ବିଜୟ କୁମାର ମହାନ୍ତି ଯୋଗ ଦେଇଥିଲେ । ବକ୍ତାମାନଙ୍କ ମତରେ ୱାନ ନ୍ୟାସନ ୱାନ ଇଲେକ୍ସନର ବ୍ୟବସ୍ଥା ଦେଶର ସମ୍ବିଧାନିକ ବ୍ୟବସ୍ଥା ଭିତରେରେ କେବେ ବି ଖାପ ଖାଇ ପାରିବନାହିଁ । ଏହା ଦେଶର ଆଞ୍ଚଳିକ ସ୍ୱରକୁ ଗୌଣ କରିବା ସହ ନିର୍ବାଚିତ ପ୍ରତିନିଧିମାନଙ୍କ ଉତ୍ତରଦାୟିତ୍ୱକୁ ହ୍ରାସ କରେଇବ । ଆହୁରି ମଧ୍ୟ ଏହି ବ୍ୟବସ୍ଥା ଦେଶର ସଂଘୀୟ ବ୍ୟବସ୍ଥା ଏବଂ ନାଗରିକ ଅଧିକାର ପାଇଁ କୁଠାରଘାତ ସାବ୍ୟସ୍ତ ହେବ ବୋଲି କହିଥିଲେ । ପ୍ରାରମ୍ଭରେ ପ୍ରୋଗ୍ରେସିବ ସମ୍ବଲପୁର ସହ ଆବାହକ ଦେବ ଜ୍ୟୋତି ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ।