ଶ୍ରମିକଙ୍କ ବଦଳରେ ଜେସିବି କରୁଛି କାର୍ଯ୍ୟ
ମଙ୍ଗଳପୁର :ଖଣ୍ଡରା ପଞ୍ଚାୟତରେ ପ୍ରହସନ ପାଲଟିଛି ମନରୋଗା । ଶ୍ରମିକ ବଦଳରେ ମେସିନ କାର୍ଯ୍ୟ କରୁଥିବା ବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀ ଆଖିବୁଝି ଦେଇ କେବଳ ବସିନାହାନ୍ତି, ପାଉଣା ପାରିତ କରିବାରେ ସହଯୋଗ କରୁଛନ୍ତି । ଶ୍ରମିକ ମାରଣ ନୀତି ଉଦାହରଣ ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତରେ ଦେଖିବାକୁ ମିଳିଛି । ପଞ୍ଚାୟତରେ ଏନଆରଇଜିଏସ ଯୋଜନା ଅନ୍ତର୍ଗତ ବିଭିନ୍ନ ଶ୍ରମ ଭିତ୍ତିକ କାର୍ଯ୍ୟରେ ଶ୍ରମିକଙ୍କ ବଦଳରେ ଜେସିବି ସହାୟତାରେ କାର୍ଯ୍ୟ ହେଉଛି । ଉକ୍ତ ପଞ୍ଚାୟତର କ୍ରିୟାକର୍ମ ପୁଷ୍କରଣୀ ପୁନଃରୁଦ୍ଧାର କାର୍ଯ୍ୟରେ ଏହା ଜଳଜଳ ହେଉ ଦେଖିବାକୁ ମିଳୁଛି । ଉକ୍ତ ପୁଷ୍କରଣୀ ଖନନ କାର୍ଯ୍ୟରେ ଶ୍ରମିକଙ୍କ ବଦଳରେ ଜେସିବି ସହାୟତାରେ କାର୍ଯ୍ୟ କରାଯାଉଛି । ୨୦୨୩/୨୪ ମସିହାରେ ଉକ୍ତ ପୁଷ୍କରଣୀ ଖନନ କାର୍ଯ୍ୟରେ ୧ଲକ୍ଷ ୧୩ ହଜାର ୨୮୬ ଟଙ୍କା ପେମେଣ୍ଟ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଉକ୍ତ ପୁଷ୍କରିଣୀକୁ ଜେସିବି ସହାୟତାରେ ଖନନ କରାଯାଇ ପୁନର୍ବାର ପେମେଣ୍ଟ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପ୍ରକାଶ ଥାଉ କି ୨୦୨୩/୨୪ ମସିହାରେ ୱାର୍କ କୋଡ଼ ନମ୍ବର ୨୪୨୦୦୦୬୦୦୭/ଡ଼ବ୍ଲୁ୍ୟଏଚ/୧୦୫୨୩୩୭୬ ରେ ଉକ୍ତ ପୁଷ୍କରିଣୀ ଖନନ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ମାତ୍ର ସେତେବେଳେ ମଧ୍ୟ ମେସିନ ସହାୟତାରେ ସାମାନ୍ୟ କାର୍ଯ୍ୟ କରାଯାଇ ୧ଲକ୍ଷ ୧୩ ହଜାର ୨୮୬ ଟଙ୍କା ପେମେଣ୍ଟ କରାଯାଇଥିଲା । ସେହିପରି ଚଳିତ ବର୍ଷ ମଧ୍ୟ ଉକ୍ତ ପ୍ରକଳ୍ପ ପୁନଃରୁଦ୍ଧାର ନାମରେ ବ୍ୟାପକ ଅର୍ଥ ହଡପ ନିମନ୍ତେ ଯୋଜନା କରାଯାଇଥିଲା ବୋଲି ଗ୍ରାମବାସୀଙ୍କ ଠାରୁ ପ୍ରକାଶ । ଏଭଳି ଅଭିଯୋଗ ସମ୍ପର୍କରେ ପଞ୍ଚାୟତ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଅମୀୟ କୁମାର ରାଉତଙ୍କ ସହିତ ଯୋଗାଯୋଗ କରାଯାଇଥିବା ବେଳେ ଅଭିଯୋଗର ତଦନ୍ତ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।