ପଦ୍ମ ଧରିଲେ କୈଳାଶ ଗେହଲଟ

ନୂଆଦିଲ୍ଲୀ: ବିଜେପିରେ ସାମିଲ ହୋଇଛନ୍ତି ଆପର ପୂର୍ବତନ ନେତା କୈଳାଶ ଗେହଲଟ । ସେ ଗତକାଲି ଆପରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଆଜି ସକାଳେ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଗେହଲଟ । ଆପରୁ ଇସ୍ତଫା ଦେବା ପରେ ଗେହଲଟ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା । ଗେହଲଟ ଆପର ପରିବହନ ମନ୍ତ୍ରୀ ଏବଂ ଦଳର ପ୍ରାଥମିକ ସଦସ୍ୟ ସହ ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ଘନିଷ୍ଠ ସହଯୋଗୀ ମଧ୍ୟ ଥିଲେ । କିନ୍ତୁ ଦଳ ଦେଇଥିବା ପ୍ରତିଶୃତି ପୂରଣ ନ କରିବା ଏବଂ ବିବାଦରେ ଥିବା ଦର୍ଶାଇ ଆପରୁ ଇସ୍ତଫା ଦେଇଥିଲେ । ଗେହଲଟ୍ ଇସ୍ତଫା ପତ୍ରରେ କହିଥିଲେ, ଗତ ନିର୍ବାଚନରେ ଆମେ ଯମୁନା ନଦୀକୁ ସଫା କରିବାକୁ ପ୍ରତିଶୃତି ଦେଇଥିଲୁ, କିନ୍ତୁ ଏହା କରିପାରିଲୁ ନାହିଁ । ଯଦି ଦିଲ୍ଲୀ ସରକାର ଅଧିକାଂଶ ସମୟ କେନ୍ଦ୍ର ସହ ଲଢେଇ କରିବାରେ ଖର୍ଚ୍ଚ କରିବେ, ତେବେ କୌଣସି ପ୍ରଗତି ହୋଇପାରିବ ନାହିଁ । ମୋ ପାଖରେ ଆପରୁ ଇସ୍ତଫା ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ତେଣୁ ମୁଁ ଆମ୍ ଆଦମୀ ପାର୍ଟିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି ।
ତେବେ ଆଜି ବିଜେପିରେ ଯୋଗଦେବା ପରେ ଗେହଲଟ୍ କହିଛନ୍ତି, ଏହା ମୋ ପାଇଁ ଏତେ ସହଜ ପଦକ୍ଷେପ ନୁହେଁ... ଆନ୍ନା ହାଜାରେଙ୍କ ସମୟରୁ ମୁଁ ଆପର ଏକ ଅଂଶ ଥିଲି ଏବଂ ବିଧାୟକ ଓ ମନ୍ତ୍ରୀ ଭାବେ ଦିଲ୍ଲୀ ପାଇଁ କାମ କରିଛି । କେହି କେହି ଭାବି ପାରନ୍ତି ଏହା ଗୋଟିଏ ରାତିର ନିଷ୍ପତ୍ତି... କିମ୍ବା ଚାପ କାରଣରୁ ମୁଁ ଇସ୍ତଫା ଦେଇଛି । କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଚାପ ପାଇଁ ମୁଁ କୌଣସି ନିଷ୍ପତ୍ତି ନେଇ ନାହିଁ । ଚର୍ଚ୍ଚା ହେଉଛି କି ମୁଁ ସିବିଆଇ ଓ ଇଡି ଭୟରେ ଏପରି ନିଷ୍ପତ୍ତି ନେଇଛି । ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ, ୨୦୧୫ ପରଠାରୁ ଆପ୍ ସଦସ୍ୟ ଭାବରେ, ବିଧାୟକ ଭାବରେ ଏବଂ ମନ୍ତ୍ରୀ ଭାବରେ ମୁଁ ଚାପ କାରଣରୁ କୌଣସି କାର୍ଯ୍ୟ କରି ନାହିଁ ବୋଲି ଗେହଲଟ କହିଛନ୍ତି ।