ନୂଆ ସରକାରକୁ ବର୍ଷେ ପୂରିବ, ସରକାରର ସଫଳତା ଲୋକ ଜାଣିବେ
ରାଜ୍ୟରେ ମୋହନ ସରକାରକୁ ୩୩୪ ଦିନ ପୂରା ହୋଇଛି । ମାସେ ପରେ ବିଜେପି ସରକାରକୁ ବର୍ଷେ ପୂରିବ । ଏହି ଶାସନ ଅବଧିରେ ଲୋକଙ୍କ ପାଇଁ ନୂଆ ସରକାର କଣ କରିଛନ୍ତି, କଣ କରିବେ ତାହାର ହିସାବ ନିକାଶ ନିଜେ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ଉଭୟ ସରକାରୀ ଓ ଦଳୀୟ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି ।
ମୋହନ ସରକାରକୁ ବର୍ଷେ ପୂରିବ। ୧୧ ମାସର ନୂଆ ସରକାରରେ ଅନେକ କିଛି ନୂଆ ଅନୁଭୂତି ସାଉଁଟିଛି ଓଡ଼ିଶା । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିରୁ କିଛି ପୂରା କରିବାରେ ମୋହନ ସକ୍ଷମ ହୋଇଛନ୍ତି । ସୁଭଦ୍ରା ଯୋଜନା, ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ୍ ସହାୟତା, ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ଆୟୁଷ୍ମାନ ଯୋଜନା ଲାଗୁ ଭଳି ପ୍ରତିଶ୍ରୁତି ପୂରା କରି ଲୋକଙ୍କ ଭରସା ଜିଣିଛନ୍ତି । ଏସବୁ ଉପଲବ୍ଧିକୁ ଏବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାରୀସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଉଭୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ବିଭାଗୱାରି ସଫଳତାର ରିପୋର୍ଟକାର୍ଡ ପ୍ରସ୍ତୁତ କରିବାକୁ ଦିଆଯାଇଛି ଟାସ୍କ । ସମାବେଶ ଜରିଆରେ ଏ ସବୁକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।
କେବଳ ସରକାରୀ ସ୍ତରରେ ନୁହେଁ ମୋହନ ସରକାରର ବର୍ଷ ପୂର୍ତ୍ତିକୁ ଜୋରସୋରରେ ପାଳନ କରିବାକୁ ମନମୋହନ ଅଣ୍ଟା ଭିଡ଼ିଛନ୍ତି । ନୂଆ ସରକାର ଚାଷୀଙ୍କ ଦାବିକୁ ଅଧିକ ଗୁରୁତ୍ବ ଦେଇଥିବାରୁ ମନମୋହନ ସାମଲଙ୍କ ନେତୃତ୍ବରେ ବିଜେପି କୃଷକ ମୋର୍ଚ୍ଚା ମଙ୍ଗଳବାର ଠାରୁ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ ଆରମ୍ଭ କରିବ । ରାଜ୍ୟର ୧୦ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ହେବ । ଚାନ୍ଦବାଲିରୁ ଆରମ୍ଭ ହୋଇ ସରିବ ଢେଙ୍କାନାଳରେ । ଏଠାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିଜେ ସରକାରଙ୍କ ସଫଳତା ବଖାଣିବେ । ହେଲେ ମୋହନ ଓ ମନମୋହନଙ୍କ ପ୍ରସ୍ତୁତିକୁ କଟାକ୍ଷ କରିଛନ୍ତି ବିରୋଧୀ । ସୂଚନାଯୋଗ୍ୟ ଯେ, ୧୧ ମାସରେ ସରକାର ଅନେକ ନୂଆ ନୂଆ ଯୋଜନାର ସଫଳ ରୂପାୟନ କରିଛନ୍ତି । କିନ୍ତୁ ଅନେକ ପ୍ରତିଶ୍ରୁତି ଏବେ ବି ପୂରା ହୋଇନି । ଚିଟଫଣ୍ଡ ଟଙ୍କା ଫେରସ୍ତ, ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ଆଦି ଏହାର ଗୋଟିଏ ଗୋଟିଏ ଉଦାହରଣ ।