ସୁଧୁରୁନି ଚାଷୀଙ୍କ ସମସ୍ୟା, ବଢୁଛି ଅସନ୍ତୋଷ

 କୋରାପୁଟ : କୋରାପୁଟ ଜିଲ୍ଲାରେ ପ୍ରାୟ ତିନି ଲକ୍ଷ ଏକ ହଜାର ପାଞ୍ଚ ଶହ ହେକ୍ଟର ଚାଷ ଉପଯୋଗୀ ଜମି ରହିଛି । ତନ୍ମଧ୍ୟରୁ ପ୍ରାୟ ୯୯ ହଜାର ହେକ୍ଟର ଜମିରେ ଧାନ ସମେତ ମାଣ୍ଡିଆ, ମକା, ଅଲସି ଜାତୀୟ ବିଭିନ୍ନ ତୈଳବୀଜ ଓ ବିଭିନ୍ନ କିସମର ପନିପରିବା ଚାଷ କରାଯାଇଥାଏ ।  ଧାନ ମୁଖ୍ୟତଃ ଜିଲ୍ଲାର ପ୍ରମୁଖ ଚାଷ ଓ ବଣଜଙ୍ଗଲ ଘେରା କୋରାପୁଟ ଜିଲ୍ଲାରୁ ଉତ୍ପାଦିତ ଧାନର ସ୍ୱାଦ ଏକ ଭିନ୍ନ ଧରଣର । ପ୍ରାୟ ୯୩ ହଜାର ୯୦୮ହେକ୍ଟର ଜମିରେ ଖରିଫ ଚାଷ ଓ ପ୍ରାୟ ୬୪ ହଜାର ୫୭ହେକ୍ଟର ଜମିରେ ରବି ଚାଷ କରାଯାଇଥାଏ । କେନ୍ଦ୍ର ସମେତ ରାଜ୍ୟରେ ସରକାର ବଦଳୁଛି । ଯେଉଁ ସରକାର ଆସିଲେ ମଧ୍ୟ କୋରାପୁଟ ଜିଲ୍ଲାରେ ଚାଷୀଙ୍କ ସମସ୍ୟା ସୁଧୁରିବାର ନାଁ ଧରୁନଥିବାରୁୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଚାଷୀଙ୍କ ସଂଘର୍ଷମୟ ଜୀବନର ଅନ୍ତ କେବେ ବୋଲି ଜିଲ୍ଲା ବ୍ୟାପୀ କୃଷକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କୋରାପୁଟ ଜିଲ୍ଲାର ଚାଷୀଙ୍କୁ ପ୍ରଥମେ ବିହନ ସକାଶେ ଲଢେଇ କରିବାକୁ ପଡିଥାଏ, ତାପରେ ସାର, ତାପରେ କେନାଲ ପାଣି ଯୋଗାଣକୁ ନେଇ ଓ ପରିଶେଷରେ ମଣ୍ଡିରେ ଧାନ କିଣାକୁ ନେଇ ଲଢେଇ କରିବାକୁ ପଡିଥାଏ । ଚାଷୀଙ୍କ ଏ ଲଢେଇର ଅନ୍ତରାଳେ କାହାର କି ସ୍ୱାର୍ଥ ନିହିତ କୌଣସି ପ୍ରଶାସନିକ ଅଧିକାରୀ କି ରାଜନେତା କେବେ ବୁଝିବାକୁ ପ୍ରୟାସ କରୁନଥିବାରୁ ଚଳିତବର୍ଷ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଉପୁଜିଛି । ଚଳିତ ବର୍ଷ ସାର ସକାଶେ ଚାଷୀଙ୍କୁ ନାକେଦମ ହେବାକୁ ପଡୁଥିବାବେଳେ କେଉଁ ଲ୍ୟାମ୍ପକୁ କେତେ ପରିମାଣରେ ସାର ବିକ୍ରି ସକାଶେ ଯୋଗାଣ କରାଯାଇଛି ଓ ପ୍ରକୃତରେ ସାର ଚାଷୀ ପାଇଛନ୍ତି ନା ସାର ବିକ୍ରେତାଙ୍କ ନିକଟକୁ ଚାଲିଯାଇଛି । ଚଢାଉ କରି ତଦନ୍ତ ସକାଶେ ତ୍ୱରିତ୍‌ ନିଦେ୍ର୍ଦଶ ବା ପଦକ୍ଷେପ ନେବାରେ ଅସୁବିଧା କେଉଁଠି ? ଜିଲ୍ଲାରେ ଧାନର ଭଣ୍ଡାର ଘର କୁହାଯାଉଥିବା କୋଟପାଡରେ ଚଳିତ ବର୍ଷ ୟୁରିଆ ନାଁରେ ନାଲି ରଙ୍ଗ ମିଶା ସୂକ୍ଷ୍ମବାଲି  ଯୋଗାଣ ରାଜ୍ୟ ବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହି କିସମର ୟୁରିଆ ଯୋଗାଣକାରୀ ବା ବିକ୍ରେତାଙ୍କୁ ବେଳ ଥାଉଣୁ ଗିରଫ କରାନଯାଇ ଘଣ୍ଟ ଘୋଡାଯାଉଥିବା ଅନ୍ତରାଳେ କାହାର କିସ୍ୱାର୍ଥ ନିହିତ ତଦନ୍ତ ସାପେକ୍ଷ  ବୋଲି ଚାଷୀ ମହଲରେ ଆଲୋଚନା ହେଉଛି ।