ଜିଏସଟି ସଂସ୍କାରରେ ଲାଭବାନ ହେବ ରାଜ୍ୟ

ଜିଏସଟି ସଂସ୍କାରରେ ଲାଭବାନ ହେବ  ରାଜ୍ୟ

ଜିଏସ୍‌ଟି ସଂସ୍କାର ଦ୍ବାରା ରାଜ୍ୟଗୁଡ଼ିକ କ୍ଷତିଗ୍ରସ୍ତ ହେବେ ନାହିଁ, ବରଂ ଲାଭବାନ ହେବେ । ସେମାନେ ପୂର୍ବରୁ ଯେତିକି ରାଜସ୍ବ ପାଉଥିଲେ, ତା’ଠାରୁ ଅଧିକ ସଂଗ୍ରହ କରିବେ । ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ଦାବି କରାଯାଇଛି । ଏସ୍‌ବିଆଇ ଇକୋରାପ୍ ରିପୋର୍ଟ କହୁଛି ଯେ ଜିଏସ୍‌ଟି ସଂସ୍କାର ଦ୍ବାରା ଓଡ଼ିଶାକୁ ୧୮,୭୫୧ କୋଟି ଟଙ୍କା ଲାଭ ମିଳିବ ।

ସେହି ହିସାବ ଅନୁସାରେ, ପ୍ରତି ୧୦୦ ଟଙ୍କାର ଜିଏସ୍‌ଟିରୁ ରାଜ୍ୟଗୁଡ଼ିକ ୭୦ ଟଙ୍କା ୫୦ ପଇସା ପାଉଥିବା ରିପୋର୍ଟ କହୁଛି। ପ୍ରକାଶିତ ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ୨୦୨୫-୨୬ରେ ରାଜ୍ୟଗୁଡ଼ିକ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ଭାବେ ଅତିକମ୍‌ରେ ୧୦ ଲକ୍ଷ କୋଟି ଟଙ୍କା ପାଇବେ। ଏହା ବ୍ୟତୀତ କେନ୍ଦ୍ରୀୟ ଟିକସରେ ନିଜର ଭାଗ ବାବଦରେ ୪.୧ ଲକ୍ଷ କୋଟି ଟଙ୍କା ପାଇବେ। ଯଦି ପ୍ରଭାବୀ ଜିଏସ୍‌ଟି ହାର ୯.୫ ପ୍ରତିଶତ ହେବ, ତେବେ ରାଜସ୍ବ ସଂଗ୍ରହ ୫୨ ହଜାର କୋଟି ଟଙ୍କା ବଢ଼ିବ। ୫୦:୫୦ ଅନୁପାତରେ ଟିକସ ଭାଗବଣ୍ଟା ହେଲେ ରାଜ୍ୟମାନଙ୍କୁ ଅଧିକ ୨୬ ହଜାର କୋଟି ଟଙ୍କା ଓ କେନ୍ଦ୍ରକୁ ୨୬ହଜାର କୋଟି ଟଙ୍କା ମିଳିବ।  ଷ୍ଟେଟ୍‌ ବ୍ୟାଙ୍କ ଏହା ମଧ୍ୟ ଜଣାଇଛି ଯେ ଅତୀତରେ ୨୦୧୮ ଜୁଲାଇ ଓ ୨୦୧୯ ଅକ୍ଟୋବରରେ ଜିଏସ୍‌ଟିରେ ସରଳୀକରଣ କରାଯାଇଥିବା ବେଳେ ରାଜ୍ୟଗୁଡ଼ିକର ରାଜସ୍ବହାନି ହୋଇନଥିଲା। ତେବେ ରିପୋର୍ଟରେ ଏହା ସ୍ପଷ୍ଟ କରାଯାଇଛି ଯେ ଟିକସ ହ୍ରାସର ପରବର୍ତ୍ତୀ କିଛି ମାସ ଅଳ୍ପ କିଛିଟା ପ୍ରଭାବ ପଡ଼ିପାରେ।  ଯଦି ମାସିକ ସଂଗ୍ରହ ୩-୪ ପ୍ରତିଶତ ହ୍ରାସ ପାଇବ ତେବେ ରାଜ୍ୟଗୁଡ଼ିକ ମାସକୁ ୫୦୦୦ କୋଟି ଟଙ୍କା ହିସାବରେ ବର୍ଷକୁ ୬୦ ହଜାର କୋଟି ଟଙ୍କା ହରାଇବେ। କିନ୍ତୁ ଯେତେବେଳେ ରାଜସ୍ବ ସଂଗ୍ରହ ୫-୬ ପ୍ରତିଶତ ହାରରେ ବଢ଼ିବ, ସମସ୍ତ କ୍ଷତି ଭରଣା ହୋଇଯିବ। ଉଲ୍ଲେଖଥାଉକି, ୨୦୧୭ ଜୁଲାଇ ୧ରେ ଜିଏସ୍‌ଟି ଲାଗୁ ହେବା ବେଳେ ରାଜ୍ୟଗୁଡ଼ିକ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ଆଇନରେ ବ୍ୟବସ୍ଥା କରାଯାଇଥିଲା। ସେହି ସମୟରେ ରାଜ୍ୟମାନଙ୍କୁ ୯.୧୪ ଲକ୍ଷ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଛି, ଯାହା ପ୍ରଥମେ କରାଯାଇଥିବା ଆକଳନଠାରୁ ୬୩,୨୬୫ କୋଟି ଟଙ୍କା ଅଧିକ।