ମୁଲତାନୀ ମାଟି-କେଶର ଯତ୍ନ

ମୁଲତାନୀ ମାଟି-କେଶର ଯତ୍ନ

ମୁଲତାନୀ ମାଟି ତ୍ୱଚାକୁ କୋମଳ ରଖିବାରେ ସହାୟକ । କିନ୍ତୁ ଏହା କେଶ ପାଇଁ ବି ଲାଭଦାୟକ ହୋଇପାରେ, ଏକଥା ହୁଏତ କେହି ବିଶ୍ୱାସ କରିନପାରନ୍ତି । ମାତ୍ର ଏହା ସତ । ଫଟା କେଶ, ତୈଳାକ୍ତ କିମ୍ବା ଶୁଷ୍କ କେଶ ପାଇଁ ଚିନ୍ତାରେ ଥିଲେ ମୁଲତାନୀ ମାଟି ଏଥିରୁ ମୁକ୍ତି ଦେବ । ଏହାକୁ ମଧ୍ୟ ଏକ ନ୍ୟାଚୁରାଲ୍ ଷ୍ଟ୍ରେଟ୍ନର୍ କୁହାଯାଇପାରେ । ତେବେ ମୁଲତାନୀ ମାଟି କେଶ ପାଇଁ କିଭଳି ଉପକାରୀ ସେ ସମ୍ପର୍କରେ ଜାଣିରଖନ୍ତୁ...

- ୩ ବା ୪ ଚାମଚ ମୁଲତାନୀ ମାଟି, ଅଧା କପ୍ ଦହି, ୨ ଚାମଚ ମହୁ ଏବଂ ୧ ଚାମଚ ଲେମ୍ବୁ ରସ ମିଶାଇ ଏହାକୁ କେଶରେ ଭଲ ଭାବେ ଲଗାଇଦିଅନ୍ତୁ । ଏହାପରେ ୨୫ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇଦେଲେ ଶୁଷ୍କ କେଶ କୋମଳ ହୋଇଉଠେ ।
- ଅଧିକ କେଶ ଝଡ଼ୁଥିଲେ ୪ ଚାମଚ ମୁଲତାନୀ ମାଟି, ୨ ଚାମଚ ଦହି ଏବଂ ଅଧା ଚାମଚ ଅଳେଇଚ ଗୁଣ୍ଡ ମିଶାଇ କେଶରେ ଲଗାନ୍ତୁ । ଏହାର ଅଧ ଘଣ୍ଟା ପରେ କେଶ ଧୁଅନ୍ତୁ ।
- ଅନେକଙ୍କର କେଶ ଫାଟି ଦୁଇ ମୁହାଁ ହୋଇଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇଁ ରାତିରେ ନଡ଼ିଆ କିମ୍ବା ଅଲିଭ୍ ତେଲକୁ କେଶରେ ଭଲ ଭାବେ ମାଲିସ୍ କରନ୍ତୁ । ପରଦିନ ଏକ ଟାୱେଲ୍କୁ ଗରମ ପାଣିରେ ବୁଡ଼ାଇ ଏହାକୁ ଚିପୁଡ଼ି ଏକ ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡ ଘୋଡ଼ାଇ ରଖନ୍ତୁ । ଏହାପରେ ୪ ଚାମଚ ମୁଲତାନୀ ମାଟି ଏବଂ ୨ ଚାମଚ ଦହି ମିଶାଇ କେଶରେ ଲଗାନ୍ତୁ । ଶୁଖିଗଲେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହା ପରଦିନ ସାମ୍ପୁ କରନ୍ତୁ । ସପ୍ତାହକୁ ଥରେ ଏପରି କଲେ କିଛି ସପ୍ତାହ ମଧ୍ୟରେ ଫଟା କେଶ ସମସ୍ୟା ଦୂର ହୋଇଯିବ ।
- ଅନ୍ୟ ଦିନ ଅପେକ୍ଷା ଶୀତଦିନେ ରୂପି ସମସ୍ୟା ଅଧିକ । ୨ ଚାମଚ ମେଥି (ଯଦି କେଶ ଅଧିକ ଲମ୍ବା ଅଛି ତେବେ ଟିକେ ଅଧିକ ମେଥି ବ୍ୟବହାର କରନ୍ତୁ)କୁ ରାତିସାରା ଭିଜାଇ ପରଦିନ ସକାଳୁ ଏହାକୁ ବାଟିଦିଅନ୍ତୁ । ଏହି ପେଷ୍ଟ୍ରେ ୨-୩ ଚାମଚ ମୁଲତାନୀ ମାଟି ଏବଂ ୧ ଚାମଚ ଲେମ୍ବୁ ରସ ମିଶାଇ କେଶ ମୂଳ ଏବଂ ରୂପି ହୋଇଥିବା ଜାଗାରେ ଭଲ ଭାବେ ଲଗାନ୍ତୁ । ଏହାପରେ ମୁଣ୍ଡକୁ ଏକ ପରିଷ୍କାର କପଡ଼ାରେ ବାନ୍ଧିଦିଅନ୍ତୁ । କେଶରେ ଏହି ପେଷ୍ଟ୍ ଶୁଖିଗଲେ ସାମ୍ପୁ କରିଦିଅନ୍ତୁ । 
- କୁଞ୍ଚୁକୁଞ୍ଚିଆ ବଦଳରେ ସିଧା ବା ଷ୍ଟ୍ରେଟ୍ କେଶ ଚାହୁଁଥିଲେ ରାତିରେ ମୁଣ୍ଡରେ ତେଲ ମାଲିସ୍ କରିଦିଅନ୍ତୁ । ପରଦିନ ସକାଳୁ ୧ କପ୍ ମୁଲତାନୀ ମାଟି, ୫-୬ ଚାମଚ ଚାଉଳ ଚୂନା ଏବଂ ଗୋଟିଏ ଅଣ୍ଡାର ଧଳା ଅଂଶକୁ ଫେଣ୍ଟି ଦିଅନ୍ତୁ । ଏହି ପେଷ୍ଟ୍କୁ କେଶରେ ଲଗାନ୍ତୁ । ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଓ ମଝିରେ ମଝିରେ ମୁଣ୍ଡ କୁଣ୍ଡାନ୍ତୁ । କେଶ ଧୋଇସାରିବା ପରେ ଏକ ସ୍ଫ୍ରେ ବୋତଲରେ ସାମାନ୍ୟ କ୍ଷୀର  ପୁରାଇ ଏହାକୁ ମୁଣ୍ଡରେ ସ୍ଫ୍ରେ କରନ୍ତୁ ଓ ୩-୪ ଥର ମୁଣ୍ଡ କୁଣ୍ଡାନ୍ତୁ । ୧୫ ମିନିଟ୍ ପରେ ମୁଣ୍ଡ ଧୋଇଦିଅନ୍ତୁ ।
- କେଶ ଯଦି ଅଧିକ ତୈଳାକ୍ତ ହୋଇଥାଏ ତେବେ କେଶର ଲମ୍ବା ଅନୁସାରେ ମୁଲତାନୀ ମାଟି ନିଅନ୍ତୁ । ଏହାକୁ ୨ ଘଣ୍ଟା ଯାଏଁ ପାଣିରେ ଭିଜାଇ ରଖନ୍ତୁ । ଏଥିରେ ୨ ଚାମଚ ରିଠା ପାଉଡର୍ ମିଶାଇ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ରଖିଦିଅନ୍ତୁ । କେଶ ମୂଳ ଓ କେଶରେ ଭଲ ଭାବେ ଲଗାଇ ଅଧ ଘଣ୍ଟା ପରେ ଧୋଇଦିଅନ୍ତୁ ।