ହୃଦଘାତରେ ଟଳି ପଡ଼ିଲେ ଚାଷୀ: ଉଜୁଡ଼ିଗଲା ଫସଲ
ଅଦିନିଆ ବର୍ଷା ଦାଉ ସାଧିଲା। ଉଜୁଡ଼ିଗଲା ଫସଲ। ବର୍ଷ ଯାକର ପରିଶ୍ରମ ପାଣିରେ ପଡ଼ିଲା। ଏହା ଦେଖି ସହ୍ୟ କରିବା କଷ୍ଟକର ହେଲା ଆଉ ଶେଷରେ ହୃଦଘାତରେ ଟଳି ପଡ଼ିଲେ ଚାଷୀ। ଏପରି ଏକ ହୃଦୟ ବିଦାରକ ଘଟଣା କଟକ ଜିଲ୍ଲା ନିଆଳିରେ ଘଟିଛି। ନିଆଳି ଅଞ୍ଚଳରେ ଗତ ସପ୍ତାହେ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ପୂର୍ବରୁ କୈଳାସ ପ୍ରଧାନ ନାମକ ୭୫ ବର୍ଷୀୟ ଚାଷୀ ହୃଦଘାତରେ ଟଳି ପଡ଼ିଥିବା ବେଳେ ଏବେ ୪୮ ବର୍ଷ ବୟସ୍କ ଇନ୍ଦ୍ରଜିତ ଛାଟୋଇ ନାମକ ଚାଷୀଙ୍କର ସମାନ ଭାବେ ମୃତ୍ୟୁ ହୋଇଛି। ନିଜ ଉଜୁଡ଼ା ଫସଲକୁ ଦେଖି ନ ପାରି ସେ ବି ହୃଦଘାତରେ ଟଳି ପଡ଼ିଥିବା ଜଣାଯାଇଛି। ଇନ୍ଦ୍ରଜିତ ଗତକାଲି ନିଜ ଉଜୁଡ଼ା ଧ।ନଖେତ ବୁଲି ଦେଖିଥିଲେ। ବର୍ଷ ଯାକର ପରିଶ୍ରମ ବୃଥା ହେବା ପରେ ପରିବାର ପେଟ କିପରି ପୋଷିବେ ସେହି ଚିନ୍ତା ତାଙ୍କୁ ଘାରିଥିଲା। ସେଠାରୁ ଫେରି ଆସି ରାତିରେ ଘରେ ଶୋଇଥିଲେ। ମାତ୍ର ସକାଳେ ପରିବାର ଲୋକେ ଡାକିବା ସତ୍ତ୍ୱେ ସେ ଆଉ ଉଠି ନ ଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ନିକଟସ୍ଥ ମେଡିକାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଥିସହ ହୃଦଘାତ ଯୋଗୁ ଇନ୍ଦ୍ରଜିତଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ କହିଥିଲେ।