୧୨ ପରେ ୪୦ ଡିଗ୍ରୀ ତାତି
ଭୁବନେଶ୍ୱର: ହିମାଳୟ ଅଞ୍ଚଳରୁ ତୀବ୍ର ଥଣ୍ଡା ଏବଂ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ଓଡିଶାରେ ରାତି ତାପମାତ୍ରା କମିଛି । ହେଲେ ୪ ଦିନ ପରେ ଦିନରେ ପାରଦ ବଢ଼ିବ । ଏମିତିକି ମାର୍ଚ୍ଚ ୧୨ ବେଳକୁ ତାତି ୪୦ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ ଆକଳନ କରିଛନ୍ତି । ଶ୍ରୀ ସାହୁ କହିଛନ୍ତିଯେ, ଆଜିଠାରୁ ମଙ୍ଗଳବାର ମଧ୍ୟରେ ବଙ୍ଗୋପସାଗର ଆଡୁ ଦକ୍ଷିଣ-ପୂର୍ବ ବାୟୁ ପ୍ରବାହ ଫଳରେ ତାତି ଟିକେ କମ୍ ହେବାର ସମ୍ଭାବନା ରହିଛି । ମାର୍ଚ୍ଚ ୯ ଓ ୧୦ରେ ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ କାଳବୈଶାଖୀ ମଧ୍ୟ ହୋଇପାରେ । ମାତ୍ର ମାର୍ଚ୍ଚ ୧୨ ରୁ ୧୬ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ର ୪୦ ଡିଗ୍ରୀ ସେଲସିୟସ ବା ତାହାଠାରୁ ଅଧିକ ହୋଇପାରେ । ଉପକୂଳ ଓଡିଶାରେ ଗୋଟିଏ ବା ଦୁଇଟି ସ୍ଥାନରେ . ୩୮ ଡିଗ୍ରୀ ସେଲ୍ସିୟସ ଛୁଇଁପାରେ । ମାର୍ଚ୍ଚ ୧୫ ଓ ୧୮ ମଧ୍ୟରେ ଉପକୂଳ ତଥା ନିକଟବର୍ତ୍ତୀ ଜିଲ୍ଲାଗୁଡିକରେ କାଳବୈଶାଖୀ ଅନୁଭୂତ ହୋଇପାରେ ବୋଲି ଡ. ସାହୁ କହିଛନ୍ତି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୩୭.୧, ସମ୍ବଲପୁରରେ ପାରଦ ୩୬.୯, ଝାରସୁଗୁଡ଼ାରେ ୩୬.୮, ବଲାଙ୍ଗୀରରେ ୩୭.୫, ସୋନପୁରରେ ୩୬.୭, ବୌଦ୍ଧରେ ୩୮ ଡିଗ୍ରୀ ରହିଛି ।