ତାତିରୁ ତ୍ରାହି ନାହିଁ
ଭୁବନେଶ୍ୱର : ତାତିରୁ ତ୍ରାହି ମିଳୁନାହିଁ । ଖରା ତାତି ଅସମ୍ଭାଳ ହେବାରେ ଲାଗିଛି । ଆଗାମୀ ୨୭ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ । ବିଶେଷକରି ୨୬ ଓ ୨୭ରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅପରପକ୍ଷରେ ଅପ୍ରେଲରେ ୧୦ ଦିନ ହିଟୱେଭ ରେକର୍ଡ଼ କରାଯାଇଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ୨୭ ପର୍ଯ୍ୟନ୍ତ ରାଜ୍ୟରେ ତାତି ପରିଲକ୍ଷିତ ହେବ । ଅପ୍ରେଲ ୨୪ ଓ ୨୫ରେ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଏହା ପର ଦୁଇଦିନ ଅସମ୍ଭାଳ ତାତି ଅନୁଭୂତ ହେବ । ଅପ୍ରେଲ ୨୬ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମଲହର ହେବ । ଏହିସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି । ଏହିସବୁ ଜିଲ୍ଳାରେ ଝାଞ୍ଜି ପିଟିବ ।
ପ୍ରଥମ ପର୍ଯ୍ୟାୟରେ ଅପ୍ରେଲ ୫ ଓ ଅପ୍ରେଲ ୬ରେ ସାରା ରାଜ୍ୟରେ ଗ୍ରୀଷ୍ମ ଲହର ଅନୁଭୂତ ହୋଇଥିଲା । ଅପ୍ରେଲ ୧୫ରେ ଗଞ୍ଜାମ ଓ ଜଗତସିଂହପୁର, ଅପ୍ରେଲ ୧୬ରେ ମୟୂରଭଞ୍ଜ, ଗଞ୍ଜାମ, ଜଗତସିଂହପୁର ଓ ବାଲେଶ୍ୱରରେ ହିଟୱେଭ ହୋଇଥିଲା ।