କଲବଲ କରିବ ତାତି, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ  

କଲବଲ କରିବ ତାତି, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ  


ଭୁବନେଶ୍ୱର : ପୁଣି କଲବଲ କରିବ ତାତି  । ଆସନ୍ତା ୫ ଦିନ ଯାଏଁ ନିଅାଁ ବର୍ଷା ହେବ  । ଦିନର ତାପମାତ୍ରା ୪୨ ଡିଗ୍ରୀ ବି ଛୁଇଁପାରେ  । ଏମିତି ଆକଳନ କରିଛି ପାଣିପାଗ ବିଭାଗ  । ତେବେ ସାଧାରଣ ଲୋକଙ୍କ ପାଇଁ ଖରା ବେଶୀ ସମସ୍ୟା କରିବ ନାହିଁ  । ରୋଗୀ ଓ ପିଲାଙ୍କ ପାଇଁ ଏହା ଅସହ୍ୟ ହେବ  । ତେଣୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଦାକୁ ନବାହାରିବାକୁ ପରାମର୍ଶ ବି ଦିଆଯାଇଛି  ।
ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛିଯେ, ଉତ୍ତର ପଶ୍ଚିମ ଓ ପଶ୍ଚିମରୁ ଗରମ ପବନ ପ୍ରବାହିତ ହେଉଛି  ।  ସୂର୍ଯ୍ୟଙ୍କ ତାତି ବି ପ୍ରଖର ରହିଛି  । ଫଳରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର କେତେକ ଜିଲ୍ଲାରେ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିଯିବ  । ତାପମାତ୍ରା ୪୦ ହିଗ୍ରୀ ଟପିଯିବାର ବି ଆଶଙ୍କା ରହିଛି  । ତେଣୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି  ।
୧୫ ଓ ୧୬ରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାହା ୩୮ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହିବ  । ସେହିପରି ୧୭ ଓ ୧୮ରେ ଉପକୂଳ ଓଡ଼ିଶା ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ଓ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ରହିବ ବୋଲି ଅନୁମାନ କରାଯାଇଛି  ।  
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି କଟକ, ନୟାଗଡ଼, ଢେଙ୍କାନାଳ, ଯାଜପୁର ଓ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ହିଟୱେଭର ଆଶଙ୍କା ରହିଛି  । ସେହିପରି ୧୬ରେ କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୧୭ ଓ ୧୮ରେ କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କନ୍ଧମାଳ, କୋରାପୁଟ ଓ ମାଲକାନାଗିରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ଆଜି ରାଜ୍ୟର ୧୦ ସହରର ତାପମାତ୍ରା ୩୯ ଡିଗ୍ରୀ ଟପିଯାଇଛି  । ପାରଳାଖେମୁଣ୍ଡିର ତାପମାତ୍ରା ସର୍ବାଧିକ ୪୦.୫ ଡିଗ୍ରୀ ଥିବାବେଳେ ମାଲକାନାଗିରିର ୩୯.୯ ଡିଗ୍ରୀ, ଭୁବନେଶ୍ୱରର ୩୯.୬ ଡିଗ୍ରୀ, ଜଗତସିଂହପୁରର ୩୯.୫ ଡିଗ୍ରୀ, ନୟାଗଡ଼ର ୩୯.୫, ଭବାନୀପାଟଣାର ୩୯.୪, ଚାନ୍ଦବାଲିର ୩୯.୪, ବାରିପଦାର ୩୯.୨, କେନ୍ଦ୍ରାପଡ଼ାର ୩୯, ଭଦ୍ରକର ୩୯ ଡିଗ୍ରୀ ରହିଛି  ।