ଶାସକଙ୍କ ସପକ୍ଷରେ ହାୱା

ଶାସକଙ୍କ ସପକ୍ଷରେ ହାୱା

ଭୁବନେଶ୍ୱର : ଏଥର ଶାସକଙ୍କ ସପକ୍ଷରେ ଅନୁକୂଳ ସ୍ଥିତି ରହିଛି  । ଉଭୟ ଦେଶ ଓ ରାଜ୍ୟରେ ଶାସକଙ୍କୁ ଜନତା ପୁଣିଥରେ ପସନ୍ଦ କରିବେ  । ଦେଶ ଓ ରାଜ୍ୟରେ ସ୍ଥିର ସରକାର ବି ହେବ  । ବିଶ୍ୱଶାନ୍ତିରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ  । ବୃହସ୍ପତି ମନ୍ତ୍ରୀ ଥିବାରୁ ସରକାର ଉତ୍ତମ ଶାସନ ପ୍ରଦାନ କରିବେ  । ନୂଆ ପାଞ୍ଜି ଗଣନା କରି ଏଭଳି ଆକଳନ କରିଛନ୍ତି ଜ୍ୟୋତିର୍ବିଦ  । ମହାବିଷୁବ ସଂକ୍ରାନ୍ତିରୁ ପ୍ରଳଚିତ ହୋଇଛି ନୂଆ ପଞ୍ଜିକା  । ଦେଶ ଓ ରାଜ୍ୟର ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସ୍ଥିତି ସଂକ୍ରାନ୍ତରେ ବି ପାଞ୍ଜିରେ ଉଲ୍ଳେଖ କରାଯାଇଥାଏ  । ଜ୍ୟୋତିର୍ବିଦ ଶ୍ରୀକାନ୍ତ ଆଚାର୍ଯ୍ୟଙ୍କ ଅନୁଯାୟୀ, ଚଳିତ ବର୍ଷ ପଞ୍ଜିକାରେ ରାଜା ଚନ୍ଦ୍ରରେ, ମନ୍ତ୍ରୀ ବୃହସ୍ପତିରେ, ପରୀକ୍ଷକ ଶନିରେ ଓ ପୁରୋହିତ ରବିରେ ଅଛନ୍ତି  । ଅର୍ଥାତ ଚନ୍ଦ୍ର ଶୀତଳ ଗ୍ରହ ହୋଇଥିବାରୁ ବର୍ତ୍ତମାନର ଶାସକଙ୍କ ସପକ୍ଷରେ ହିଁ ସ୍ଥିତି ଅନୁକୂଳ ରହିଛି  । ଲୋକମାନେ ଶାସକଙ୍କ ସପକ୍ଷରେ ମତଦାନ କରିବେ  । ଉଭୟ ଦେଶ ଓ ରାଜ୍ୟରେ ସ୍ଥିର ସରକାର ଗଠନ ହେବ ବୋଲି ପାଞ୍ଜି ଗଣନା କରି ଜ୍ୟୋତିର୍ବିଦ ଆକଳନ କରିଛନ୍ତି  ।
ଶାସକଙ୍କ ସପକ୍ଷରେ ଅନୁକୂଳ ସ୍ଥିତି ଥିବାରୁ ଦେଶରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟରେ ପୁଣି ନବୀନ ପଟ୍ଟନାୟକ ସରକାର ଗଢ଼ିବେ  । ତେବେ ବିଜେଡ଼ିରେ ଅସ୍ଥିରତା ଲାଗି ରହିବାର ଆଶଙ୍କା ରହିଛି  । ଦେଶ ଦେଶ ମଧ୍ୟରେ ବିଦ୍ୱେଷ ଲାଗି ରହିଛି  । ତେଣୁ ଅନ୍ତର୍ଜାତୀୟସ୍ତରରେ ଏହା ଚିନ୍ତାର କାରଣ ପାଲଟିବ  । ତେବେ ଭାରତ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବ  । ମନ୍ତ୍ରୀ ବୃହସ୍ପତି ଥିବାରୁ  ଶାସନ ବ୍ୟବସ୍ଥା ଉତ୍ତମ ରହିବ ବୋଲି ଶ୍ରୀ ଆଚାର୍ଯ୍ୟ ଆକଳନ କରିଛନ୍ତି  । ଜ୍ୟୋତିର୍ବିଦଙ୍କ ଆକଳନ ଅନୁଯାୟୀ, ବିଜେପିର ସଂଖ୍ୟା ହେଉଛି ୧ ।  ଏହା ରବିଙ୍କ ସଂଖ୍ୟା ହୋଇଥିବାରୁ ବିଜେପି ପାଇଁ ବେଶ ଲାଭଦାୟକ ହେବ  । ବିଜେଡ଼ିର ସଂଖ୍ୟା ରହିଛି ୯  । ଦଳ ପୁଣି ସରକାର ଗଢ଼ିବାର ଥିବାବେଳେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ  । ନବୀନ ପଟ୍ଟନାୟକଙ୍କର ମିଥୁନ ରାଶି ହୋଇଥିବାରୁ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି  । କଂଗ୍ରେସର ସଂଖ୍ୟା ହେଉଛି ୨  । ଏହା ଚନ୍ଦ୍ରଙ୍କର ସଂଖ୍ୟା  । ତେଣୁ ପୂର୍ବଭଳି କଂଗ୍ରେସରେ ଅସ୍ଥିରତା ଲାଗି ରହିବ ବୋଲି ଜ୍ୟୋତିର୍ବିଦ କହିଛନ୍ତି  ।