ସଂକଳ୍ପ ପତ୍ରରେ ମୋଦିଙ୍କ ଗ୍ୟାରେଣ୍ଟି ବିଜେପି ଫୋକସରେ ‘ଜ୍ଞାନ’
ଭୁବନେଶ୍ୱର : ସାରା ଦେଶରେ ସିଏଏ ଓ ୟୁସିସି ଲାଗୁ ହେବ । ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଆଉ ୫ ବର୍ଷ ପାଇଁ ମାଗଣା ଚାଉଳ ଯୋଜନା ଜାରିରହିବା ସହ ୭୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଆୟୂଷ୍ମାନ ଯୋଜନାରେ ମାଗଣା ଚିକିତ୍ସା ସୁବିଧା ମିଳିବ । ଉତ୍ତର, ଦକ୍ଷିଣ ଓ ପୂର୍ବ ଭାରତରେ ବୁଲେଟ ଟ୍ରେନ ବି ଚାଲିବ । ଦେଶରେ ଆଉ ୩ କୋଟି ଆବାସ ନିର୍ମାଣ ସହ ମାଗଣା ବିଜୁଳି, ଘରେ ଘରେ ପାଇପ ଗ୍ୟାସ ଭଳି ଅନେକ ଗ୍ୟାରେଣ୍ଟି ଦେଇଛି ବିଜେପି । ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ସଂକଳ୍ପ ପତ୍ର ଘୋଷଣା କରିବା ସହ ଫୋକସରେ ଗରିବ, ଯୁବ, ଅନ୍ନଦାତା ଓ ନାରୀଶକ୍ତି ବା ଜ୍ଞାନ ରହିଛି ବୋଲି କହିଛନ୍ତି ।
ବିଜେପି ସଂକଳ୍ପ ପତ୍ରର ଶୀର୍ଷକ ରହିଛି; ମୋଦିଙ୍କ ଗ୍ୟାରେଣ୍ଟି : ବିକଶିତ ଭାରତ ୨୦୪୭ । ଅର୍ଥାତ ୨୦୪୭ରେ ଭାରତ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ହେଉଥିବାରୁ ଦଳ ଏକ ବଡ଼ ଲକ୍ଷ୍ୟ ରହିଛି । ସଂକଳ୍ପ ପତ୍ରରେ ବିଜେପି ଅବହେଳିତ, ଯୁବକ, କୃଷକ ଓ ମହିଳାଙ୍କ ଉପରେ ଗୁରୁତ୍ୱାରୋପ କରିଛି । ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ମୋଦି ଜ୍ଞାନର କଥା କହିଛନ୍ତି । ଯାହାର ଅର୍ଥ ହେଉଛି ଗରିବ, ଯୁବ, ଅନ୍ନଦାତା ଓ ନାରୀ ଶକ୍ତି । ସାରା ଦେଶରୁ ୧୫ ଲକ୍ଷ ମତାମତ ଆଧାରରେ ଦଳ ଏହି ସଂକଳ୍ପ ପତ୍ର ପ୍ରସ୍ତୁତ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେଯେ, ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ । ସେହିପରି ଜନ ଔଷଧି କେନ୍ଦ୍ରର ବିସ୍ତାର ହେବା ସହ ୭୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ । ସେମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିସôା ସୁବିଧା ମିଳିବ । ଏଥିରେ ଟ୍ରାନ୍ସଜେଣ୍ଡରମାନଙ୍କୁ ସାମିଲ କରିବାକୁ ମଧ୍ୟ ମୋଦି ଘୋଷଣା କରିଛନ୍ତି । ପାଇପ ଯୋଗେ ଘରେଘରେ ଶସ୍ତାରେ ଗ୍ୟାସ ପହଁଚାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରିବା ସହ ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ କରାଯିବ । ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଦେଶର ଉତ୍ତର, ଦକ୍ଷିଣ ଓ ପୂର୍ବ ଭାଗରେ ବୁଲେଟ ଟ୍ରେନ୍ ଚାଲିବ । ଖୁବଶୀଘ୍ର ଏଥିପାଇଁ ସର୍ଭେ କାମ ମଧ୍ୟ ଆରମ୍ଭ ହେବ । ବନେ୍ଦ ଭାରତ ମେଟ୍ରୋ ଟ୍ରେନ ଚଳାଚଳ କରିବା ନେଇ ମୋଦି ସୂଚନା ଦେଇଛନ୍ତି ।
୨୦୩୬ରେ ଭାରତ ଅଲମ୍ପିକ ଆୟୋଜନ କରିବ । ଏଥିପାଇଁ ମଧ୍ୟ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯିବ । ସର୍ଭାଇକାଲ କ୍ୟାନସର ଓ ବ୍ରେଷ୍ଟ କ୍ୟାନସରର ଚିକିସôା ପାଇଁ ଯୋଜନା ପ୍ରସ୍ତୁତ, କୃଷି ଢାଞ୍ଚାର ବିକାଶ, ବିଶ୍ୱରେ ଯୋଗର ପ୍ରସାର ଆଦି ଦିଗରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ବିଜେପିର ସଂକଳ୍ପ ପତ୍ରରେ ସାରା ଦେଶରେ ସିଏଏ ଲାଗୁ କରିବା ପାଇଁ ଗ୍ୟାରେଣ୍ଟି ଦିଆଯାଇଛି । ଏହାଦ୍ୱାରା ଯୋଗ୍ୟଙ୍କୁ ନାଗରିକ ଅଧିକାର ଦିଆଯିବ । ୨୦୧୯ ଡିସେମ୍ବର ୧୧ରେ ସଂସଦରେ ସିଏଏ ବିଲ୍ ପାରିତ ହୋଇଥିବାବେଳେ ଏହା ପରଦିନ ରାଷ୍ଟ୍ରପତିଙ୍କ ମୋହର ବାଜି ଆଇନ୍ରେ ପରିଣତ ହୋଇଥିଲା । କିନ୍ତୁ ସାରା ଦେଶରେ ଏହି ଆଇନ୍ ଏଯାବତ ଲାଗୁ ହୋଇପାରିନାହିଁ । ସେହିପରି ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରିବା ପାଇଁ ମଧ୍ୟ ବିଜେପି ଏହାର ସଂକଳ୍ପ ପତ୍ରରେ ଉଲ୍ଳେଖ କରିଛି । ଫଳରେ ଦେଶର ସବୁ ନାଗରିକଙ୍କ ପାଇଁ ବିବାହ, ବିଚ୍ଛେଦ, ସମ୍ପତ୍ତିଗତ ଅଧିକାର ପାଇଁ ଭିନ୍ନ ଭିନ୍ନ ଆଇନ୍ ବଦଳରେ ଗୋଟିଏ ଆଇନ୍ ଲାଗୁ ହେବ । ଏହାଛଡ଼ା ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ନୀତି ଲାଗୁ ହେବ । ଏହାଫଳରେ ସାରା ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପୂର୍ବରୁ ମୋଦି ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବାବେଳେ କମିଟି ଏନେଇ ସୁପାରିଶ କରିସାରିଛି ।ମହିଳାଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ବିଜେପି ପ୍ରତିଶ୍ରୁତି ଦେଇଛି । ଆଇଟି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ନିମନ୍ତେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଗ୍ରାମାଞ୍ଚଳରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି ପାଇଁ ଲକ୍ଷ୍ୟ ରହିଥିବାବେଳେ ନାରୀ ଶକ୍ତି ବନ୍ଧନ ଅଧିନିୟମ କାର୍ଯ୍ୟକାରୀ ହେବ । ଭାରତକୁ ବିଶ୍ୱର ଏକ ପ୍ରମୁଖ ମାନୁଫାକଚରିଂ ହବରେ ପରିଣତ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ନିୟମିତ ଭାବେ ଏମଏସପି ବୃଦ୍ଧି କରାଯିବ ବୋଲି ବି ବିଜେପି ପ୍ରତିଶ୍ରୁତି ଦେଇଛି । ସେହିପରି ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଗରିବ ପରିବାରକୁ ମାଗଣା ଚାଉଳ ବି ପ୍ରଦାନ କରାଯିବ । ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ଗରିବ ପରିବାରଗୁଡ଼ିକୁ ମାଗଣାରେ ବିଜୁଳି ମିଳିବ । ବିଶ୍ୱ ଖେଳଣା ମାନଚିତ୍ରରେ ଆଗକୁ ଯିବା ପାଇଁ ମଧ୍ୟ ବିଜେପି ଲକ୍ଷ୍ୟ ରଖିଛି । ଭାରତକୁ ଖେଳଣା ନିର୍ମାଣର ହବ୍ କରାଯିବା ସହ ଦେଶର ଶ୍ରମିକମାନଙ୍କୁ କାମ ଦେବାର ସୁଯୋଗ ମିଳିପାରିବ । ସଂକଳ୍ପ ପତ୍ରରେ ମତ୍ସ୍ୟ କ୍ଷେତ୍ର ପାଇଁ ମଧ୍ୟ ବଡ଼ ପ୍ରତିଶ୍ରୁତି ଦିଆଯାଇଛି । ମତ୍ସ୍ୟଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ଏସଂକ୍ରାନ୍ତୀୟ ଦକ୍ଷତା ବିକାଶ ଓ ଭିତ୍ତିଭୂମିର ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ମିଳିଛି ।