୩୧ ଯାଏଁ ପ୍ରବଳ ବର୍ଷା

୩୧ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶା ଉପକୂଳବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହୋଇଛି  । ଅପରପକ୍ଷରେ ଘୂର୍ଣ୍ଣିବଳୟ ଦକ୍ଷିଣଦିଗକୁ ଗତି କରୁଥିବାବେଳେ ଆଗାମୀ ୪୮ ଘଣ୍ଟାରେ ଚିତ୍ର ଆହୁରି ସ୍ପଷ୍ଟ ହେବ  । ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ଅନୁକୂଳ ସ୍ଥିତି ସୃଷ୍ଟିହୋଇଛି  । ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଅତଏବ ଶୁକ୍ରବାର ସୁଦ୍ଧା ଓଡ଼ିଶାର କେତେକ ଅଂଶକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି  ।
ଲଘୁଚାପର ପ୍ରଭାବରେ ଆସନ୍ତା ମେ’ ୩୧ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ଆସନ୍ତାକାଲି ଜଗତସିଂହପୁର, ପୁରୀ, କଟକ, କୋରାପୁଟ ଓ ରାୟଗଡ଼ାରେ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି  । ଏହିସବୁ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି  । ସେହିପରି ଖୋର୍ଦ୍ଧା, କେନ୍ଦୁଝରଗଡ଼, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ନବରଙ୍ଗପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଜପତି, କେନ୍ଦ୍ରାପଡ଼ା ଓ ଯାଜପୁରରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବବୋଲି ଆକଳନ କରାଯାଇଛି  । ଏତଦବ୍ୟତୀତ ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନଗୁଳ, ଦେବଗଡ଼, ବଲାଙ୍ଗୀର, ବୌଦ୍ଧ, ବରଗଡ଼ ଓ ନୂଆପଡ଼ାରେ ୪୦ରୁ ୫୦ କିମି ବେଗରେ ପବନ ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି  । ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି  ।