କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ବିରୋଧ : ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
ପୁରୀ: ଦୀର୍ଘ ଦିନରୁ ପ୍ରସ୍ତାବିତ ବହୁଚର୍ଚ୍ଚିତ ଗୋପାଳପୁର ଦୀଘା ଉପକୂଳ ରାଜପଥର ଗତିପଥ ପରିବର୍ତ୍ତନ କରାଯାଇ ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରିଆ ଠାରୁ ଦୀଘା ପର୍ଯ୍ୟନ୍ତ ଉପକୂଳ ଛାଡ଼ି ୪୦୦ କିଲୋମିଟର ଦୈର୍ଘ୍ୟର ୬ ଲେନ୍ ବିଶିଷ୍ଟ ଗ୍ରୀନ୍ ଫିଲ୍ଡ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଥିବାରୁ ବଢିଛି ଜନ ଅସନ୍ତୋଷ । ଏହାର ଦୃଢ଼ ବିରୋଧ କରି କୃଷି ଓ ଉପକୂଳ ବଞ୍ଚାଅ ସଂଘର୍ଷ ସମିତି ଓହ୍ଲାଇଛି ରାଜରାସ୍ତାକୁ । ସମିତି ପକ୍ଷରୁ ମଙ୍ଗଳବାର ଦିନ ଶତାଧିକ ଚାଷୀଙ୍କ ଦ୍ୱାରା ଜିଲ୍ଳାପାଳଙ୍କ ଅଫିସ ଘେରାଉ କରାଯାଇଥିଲା । ଆବାହକ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ପ୍ରଭାବିତ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଚିଲିକା କୃଷ୍ଣପ୍ରସାଦରୁ ଆରମ୍ଭ କରି ପୁରୀ ସଦର, ଗୋପ, କାକଟପୁର, ଅସ୍ତରଙ୍ଗ ଇତ୍ୟାଦି ବ୍ଲକର ଶତାଧିକ ଚାଷୀ ଏହି ଆନେ୍ଦାଳନରେ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ ସୁରେନ୍ଦ୍ର ଜେନା, ସିପିଏମ୍ ନେତା ଜଗନ୍ନାଥ ଦେଓ, ଆଡଭୋକେଟ୍ ଶରତ ରାୟଗୁରୁ, କୃଷକ ନେତା ଭୀମସେନ ସ୍ୱାଇଁ, ଯୁବ କଂଗ୍ରେସ ନେତା ସୁବାସ ନାୟକ ଓ ଯୁବନେତା ମାନସ ମହାପାତ୍ର ପ୍ରମୁଖ ଏହି ଆନେ୍ଦାଳନରେ ସାମିଲ ହୋଇଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଆନେ୍ଦାଳନକାରୀମାନେ ଅଭିଯୋଗ କରିଥିଲେ ଯେ ଏହି ପ୍ରକଳ୍ପ ସମ୍ପର୍କରେ ଜନସାଧାରଣଙ୍କୁ ଭଲଭାବେ ଅବଗତ କରାଯାଇନାହିଁ କିମ୍ବା ଜନଶୁଣାଣି କରାଯାଇନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ଏହା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀମାନଙ୍କର ମାନବାଧିକାର ଉଲ୍ଲଂଘନ କରିଛନ୍ତି । ସଂଶୋଧିତ ଯୋଜନାନୁଯାୟୀ ଏହା ନିର୍ମାଣ କରାଗଲେ ପରିବେଶ କ୍ଷତିଗ୍ରସ୍ତ ହେବା ସହ ହଜାର ହଜାର ହେକ୍ଟର ଚାଷ ଜମି ବର୍ଷା ରୁତୁରେ ଜଳମଗ୍ନ ହେବ । ଫଳରେ ଏସବୁ ଅଞ୍ଚଳର ଚାଷୀମାନେ ଜୀବିକା ହରାଇବେ । ତେଣୁ ଏହି ଉପକୂଳ ରାଜପଥ ପ୍ରକଳ୍ପକୁ କାର୍ଯ୍ୟକାରୀ କରାନଯିବା ଏକାନ୍ତ ଜରୁରୀ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ।