କଟକ ଜିଲ୍ଲାରେ ଆରମ୍ଭ ହେବ ସୁଭଦ୍ରା ପ୍ଲସ ଯୋଜନା : ପ୍ରଭାତୀ

  ଭୁବନେଶ୍ୱର : ସ୍ୱାଧୀନତା କେବଳ ୧୯୪୭ ମସିହାର ଗୋଟିଏ ଦିନର କାହାଣୀ ନୁହେଁ- ଏହା ହେଉଛି ଆମ ଉପରେ ନ୍ୟସ୍ତ ହୋଇଥିବା ପ୍ରତ୍ୟେକ ଦିନର ଦାୟିତ୍ୱ  । ଶାନ୍ତି, ମୈତ୍ରୀ ଓ ପ୍ରଗତିର ପ୍ରତୀକ କଟକ ସହର ବିକାଶ ପଥରେ ଅଗ୍ରସର ହେଉ । ଏହି ବିକାଶ ଯାତ୍ରାକୁ ଆହୁରି ବଳିଷ୍ଠ କରି କଟକକୁ ଦେଶରେ ତଥା ବିଶ୍ୱରେ ଏକ ଆଦର୍ଶ ସହର ରୂପେ ଗଢି ତୋଳିବା ପାଇଁ ସମସ୍ତେ ଶପଥ ନେବାକୁ ଆହ୍ୱାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  । ୭୯ ତମ ସ୍ୱାଧୀନତା ଦିବସ ଅବସରରେ କଟକ ବାରବାଟୀ ଷ୍ଟାଡିଅମଠାରେ ଆୟୋଜିତ ଜିଲ୍ଳାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ  ଉଦ୍ବୋଧନ ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଟକ ଜିଲ୍ଲାରେ ସୁଭଦ୍ରା ପ୍ଲସ ନାମରେ ଯୋଜନା ଖୁବ ଶୀଘ୍ର ଲାଗୁ ହେବା ପାଇଁ ଯାଉଛି  । ସମଗ୍ର ରାଜ୍ୟରେ ପ୍ରଥମ ଥର ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଯୋଜନା ଲାଗୁ କରାଯିବ । ମହିଳା ସମୂହଙ୍କୁ ଶକ୍ତିଶାଳୀ କରିବା, କୁଟୀର ଶିଳ୍ପକୁ ଅଗ୍ରାଧିକାର ଦେବା, ମହିଳାମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ଗୁଣାତ୍ମକ ମାନ ବୃଦ୍ଧି ସହ ବଜାର ଉପଲବ୍ଧ କରି ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ସେ ଜୋର୍ ଦେଇଥିଲେ  । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ତାଙ୍କ ଅଭିଭାଷଣରେ କହିଛନ୍ତି, କଟକ ସହରର  ମାତା ମଠ ସ୍ଥିତ ସିଲଭର ସିଟି ବୋଟ କ୍ଲବର ବିକାଶ ଓ ଉନ୍ନତିକରଣ ପାଇଁ ୫ କୋଟି ଟଙ୍କା ଓ  ଭିତ୍ତିଭୂମି ବିକାଶ ନିମନ୍ତେ ୧୧ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ରୌପ୍ୟ ନଗରୀ କଟକର ଅନ୍ୟତମ ଐତିହ୍ୟ ତାରକସିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ନିମନ୍ତେ ରୌପ୍ୟ ତାରକସି ସୁବିଧା କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି  । ଉପମୁଖ୍ୟମନ୍ତ୍ରୀ ତଥା ମୁଖ୍ୟଅତିଥି ବାରବାଟୀ ଷ୍ଟାଡିଅମରେ ପହଂଚିବା ପରେ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନେ୍ଦ, ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ  ସ୍ୱାଗତ ଜଣାଇବା ସହ ଅଭିବାଦନ ମଂଚକୁ ପାଛୋଟି ନେଇଥିଲେ । ପରେ ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଜାତୀୟ ପତାକା ଉତ୍ତୋଳନ କରିବା ସହ ୭୯ତମ ଜିଲ୍ଲାସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଚଳିତଥର ପରେଡରେ ୫୨ଟି ଟ୍ରୁପ୍ ଅଂଶଗ୍ରହଣ କରିଥିଲେ ।  ପରେଡ କମାଣ୍ଡର ଭାବରେ ସହକାରୀ ପୋଲିସ୍ କମିଶନର ବିଷ୍ଣୁ ପ୍ରସାଦ ମିଶ୍ର ପରେଡ ପରିଚାଳନା କରିଥିଲେ  । ସ୍ୱାଧୀନତା ଦିବସ ପାଳନ ଉସôବରେ ବିଧାୟିକା ଇଂ ସୋଫିଆ ଫିଦେ୍ର୍ଦାସଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ, ଡକ୍ଟର ଦିବ୍ୟଲୋଚନ ମହନ୍ତ, ଡଃ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ଦିବ୍ୟ ଜ୍ୟୋତି  ସ୍ମୃତିରଞ୍ଜନ ଦେଓ ଓ ଅନ୍ୟାନ୍ୟ  ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ  ।