କୋହଲିଙ୍କ ଶତକ : ପାକ୍କୁ ହରାଇଲା ଭାରତ
ଭୁବନେଶ୍ୱର: ୨୦୧୭ ବଦଲା ୨୦୨୫ରେ ନେଲା ଟିମ୍ ଇଣ୍ଡିଆ । ଧୂଳି ଚାଟିଲା ପାକିସ୍ତାନ । ୬ ୱିକେଟ୍ରେ ଜିତିଲା ଭାରତ । ଭାରତର ବଡ ବିଜୟ ସହ ଏକ ପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେଲା ପାକିସ୍ତାନ । ଟିମ୍ ଇଣ୍ଡିଆଠାରୁ ହାରିବା ସହ ଚାମ୍ପିଅନ୍ସ ଟ୍ରଫିର ଆଶା ଏକ ପ୍ରକାର ଶେଷ ହୋଇ ଯାଇଛି କହିଲେ ଚଳେ । ଏପଟେ ଟିମ୍ ଇଣ୍ଡିଆ ବିଜୟ ସହ ସେମିଫାଇନାଲ୍କୁ ଯିବା ପାଇଁ ପକ୍କା କରିଛି । ରନ୍ ମେସିନ୍ଙ୍କ ବଡ ଇନିଂସ୍ ଯୋଗୁଁ ଟିମ୍ ଇଣ୍ଡିଆ ବଡ ବିଜୟ ହାସଲ କରିଛି । ବିରାଟ କୋହଲି ୧୧୧ ବଲ୍ରେ ୧୦୦ ରନ୍ କରିଛନ୍ତି । ଏହି ବିଜୟ ସହ ଭାରତ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ନିଜ ସ୍ଥାନ ଏକ ପ୍ରକାର ପକ୍କା କରିନେଇଛି ।
ରବିବାର ଦୁବାଇର ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡ଼ିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ପଞ୍ଚମ ମ୍ୟାଚ୍ ଖେଳାଯାଇଛି । ଏହି ମହାମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିସ୍ପତ୍ତି ନେଇଥିଲା । ପାକିସ୍ତାନ ୨୪୨ ରନ୍ର ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ୍ କରି ଅଲ୍ଆଉଟ୍ ହୋଇ ଯାଇଥିଲା । ଚାମ୍ପିଅନ୍ସ ଟ୍ରଫିର ଭାରତ-ପାକିସ୍ତାନ ମହାମୁକାବିଲାରେ ଟିମ୍ ଇଣ୍ଡିଆର ସ୍ପିନରମାନେ କମାଲ ଦେଖାଇଥିଲେ । ବଡ଼ ସ୍କୋର ଅଭିମୁଖେ ଯାତ୍ରା କରୁଥିବା ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ ରୋକିବାରେ ସଫଳ ହୋଇଥିଲେ ଭାରତୀୟ ସ୍ପିନର୍ । କୁଳଦୀପ ଯାଦବଙ୍କ ଯାଦୁକରୀ ବୋଲିଂ ସାଙ୍ଗକୁ ଅକ୍ଷର ପଟେଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଗୁଗଲି ବ୍ୟାଟ୍ସମ୍ୟାନ୍ମାନଙ୍କୁ ଅକଳରେ ପକାଇଥିଲା । ପାକିସ୍ତାନର ଦୁଇ ଓପନର ଇମାମ ଉଲହକ୍ ଓ ବାବର ଆଜମ ଭଲ ଆରମ୍ଭ କରିଥିଲେ । ୮.୨ ଓଭର ସୁଦ୍ଧା ପାକିସ୍ତାନ ୪୧ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ପାକିସ୍ତାନର ନିର୍ଭରଯୋଗ୍ୟ ବ୍ୟାଟର ବାବର ଆଜମଙ୍କୁ ୱିକେଟ କିପର କେଏଲ୍ ରାହୁଲଙ୍କ ଦ୍ୱାରା କ୍ୟାଚ୍ ଆଉଟ କରାଇ ପାଭିଲିୟନ ପଠାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହାପରେ ପାକିସ୍ତାନର ରନ୍ ୪୭ ଥିବା ବେଳେ ଇମାମ ଉଲ୍ହକ୍ଙ୍କୁ ରନ୍ ଆଉଟ କରାଇ ଅକ୍ଷର ପଟେଲ ଭାରତକୁ ଆଉ ଏକ ସଫଳତା ଦେଇଥିଲେ । ପାକିସ୍ତାନ ଦୁଇ ୱିକେଟ ହରାଇବା ପରେ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା । ଅଧିନାୟକ ମହମ୍ମଦ ରିଜୱାନ ଓ ସାଉଦ ସକିଲ ଭଲ ପାର୍ଟନରସିପ୍ କରିଥିଲେ । ଦୁହେଁ ୧୫୧ ରନ୍ର ପାର୍ଟନରସିପ୍ କରି ପାକିସ୍ତାନକୁ ଏକ ମଜଭୁତ୍ ସ୍ଥିତିକୁ ନେଇଥିଲେ । ଏହାପରେ କିନ୍ତୁ ଭାରତୀୟ ବୋଲିଂ ପୁଣି ପ୍ରତ୍ୟାବର୍ତ୍ତନ କରି ଏହି ଯୋଡିକୁ ଭାଙ୍ଗି ଦେଇଥିଲେ । ଅକ୍ଷର ପଟେଲ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ । ଶକୀଲ ଓ ରିଜୱାନ ୧୦୪ ରନର ପାର୍ଟନରଶିପ ସଂଗ୍ରହ କରିବା ଫଳରେ ପାକିସ୍ତାନ ୨୦୦ରୁ ଊର୍ଦ୍ଧ୍ୱ ରନ୍ କରିପାରିଥିଲା । ପାକିସ୍ତାନ ଇନିଂସର ପ୍ରଥମ ଛକା ୪୨ତମ ଓଭରରେ ଲାଗିଥିଲା । ପିଚ୍ ଧୀମା ଏବଂ ବଲ୍ ଟର୍ଣ୍ଣ କରୁଥିବାରୁ ପାକିସ୍ତାନ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ । ପାକିସ୍ତାନ ପକ୍ଷରୁ ସୌଦ ସକୀଲ ସର୍ବାଧିକ ୬୨ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ରିଜୱାନ ୪୬, ଖୁସଦିଲ ଶାହ ୩୮, ବାବର ଆଜମ ୨୩, ଇମାମ ଉଲ୍ହକ୍ ୧୦, ସାଲମାନ୍ ଆଘା ୧୯, ତାୟାବ ତାହିର ୪, ସାହିନ୍ ଆଫ୍ରିଦି ଶୁନ, ନସିମ ସାହା ୧୪, ହରିସ୍ ରୁଫ୍ ୮ ଓ ଅବର ଅହମ୍ମଦ ନଟ୍ ଆଉଟ୍ ରହିଥିଲେ । ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ କୂଲଦୀପ ଯାଦବ ୩ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ହର୍ଷିତ ରାଣା, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟପଟେ ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି ଭାରତ ବିରାଟ କୋହଲିଙ୍କ ବିରାଟ ଶତକ କହିତ ୪୨.୩ ଓଭରରେ ୪ ୱିକେଟ ହରାଇ ୨୪୪ ରନ୍ କରିଛି । ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ରନ୍ କରିଥିବାବେଳେ ଶୁବମନ ଗିଲ୍ ୪୬ ରନ୍ କରିଥିଲେ । ସେହିପରି ବିରାଟ କୋହଲି ୧୦୦ ରନ୍, ଶ୍ରେୟଶ ଆୟର ୫୬ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍, ଅକ୍ଷର ପଟେଲ ୩ ରନ୍ କରିଥିଲେ ।