ଜଗାକୁ ନେଇ ରାଜନୀତି ; ଜଗାକୁ ନେଇ ବେପାର
ଉତ୍କଳେ ନେତାର ନାହିଁ ପ୍ରୟୋଜନ । ଉତ୍କଳର ନେତା ସ୍ୱୟଂ ନାରାୟଣ । ଓଡ଼ିଆ ଜାତିର ଅସ୍ମିତା, ଆଧ୍ୟାତ୍ମିକତା, ସଂସ୍କୃତି ସବୁ କିଛି ପ୍ରଭୁ ଜଗନ୍ନାଥ ମୟ । ହେଲେ ଏବେ କିନ୍ତୁ ରାଜନୀତି ହେଉକି ବ୍ୟବସାୟ, ସବୁ କିଛି ଜଗନ୍ନାଥଙ୍କ ଚାରିପଟେ ହିଁ ଘୂରି ବୁଲୁଛି । ବିଜେଡ଼ି ସରକାର ହୁଅନ୍ତୁ କି ବିଜେପି ସରକାର, ଜଗାଙ୍କୁ ନେଇ ରାଜନୀତି କରିବାର ସୁଯୋଗକୁ କେହିବି ହାତଛଡ଼ା କରୁନାହାନ୍ତି । ଗତ ସାଧାରଣ ନିର୍ବାଚନରେ ଜଗନ୍ନାଥଙ୍କୁ ନେଇ କିଭଳି ରାଜନୀତି କରାଯାଉଥିଲା ତାହା ସମସ୍ତେ ଜାଣନ୍ତି । ଗାଁ ଗାଁରେ ଅଟୋରେ, ଟ୍ରଲିରେ ଜଗନ୍ନାଥଙ୍କୁ ବୁଲାଇ ଚାଉଳ, ଟଙ୍କା ବି ସଂଗ୍ରହ କରାଗଲା । କାଳେ ବିଜେଡ଼ି ରାଜନୀତି କ୍ଳିକ୍ କରିଯିବ, ସେଥିପାଇଁ ବିଜେପି ବି ଏହାକୁ ନେଇ ରାଜନୀତି କରିବାକୁ ପଛାଇଲା ନାହିଁ । ଏମିତିବି ନିର୍ବାଚନ ଜିଣିବା ପରେ ବିଜେପି ଏହି ପ୍ରସଙ୍ଗରେ ବିଜେଡ଼ିକୁ ଛିଗୁଲାଇଥିଲା । ଆଉ ପାଦେ ଆଗେଇ ଯାଇ ରତ୍ନଭଣ୍ଡାର ଗଣତି ମଣତି ଓ ଶ୍ରୀମନ୍ଦିରର ଚାରି ଦୁଆରକୁ ନେଇ ବି ବିଜେପି ବାହାସ୍ଫୋଟ ମାରିଥିଲା । ଏମିତିକି ଆଜିକା ଦିନରେ ପ୍ରତି ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କଥା ଉଠାଇ ଆସୁଛନ୍ତି । କିନ୍ତୁ ଏବେ ବିଜେପି ଅକଳରେ ପଡ଼ିଯାଇଛି । ଦୀଘାରେ ଜଗନ୍ନାଥ ମନ୍ଦିର ହେଲା, ତାହାକୁ ଏକ ଧାମ ବୋଲି ମମତା ବାନାର୍ଜୀ ଘୋଷଣା କଲେ । ଏହା ସେଭଳି ଏକ ବଡ଼ କଥା ନୁହେଁ । ଅବଶ୍ୟ ଧାମକୁ ନେଇ ବିବାଦ ସୃଷ୍ଟି ହେବା ସ୍ୱାଭାବିକ । ଏସବୁ ଭିତରେ ବଡ଼ କଥାଟି ହେଉଛି ମନ୍ଦିର ପ୍ରତିଷ୍ଠାରେ ସେବାୟତଙ୍କ ଯୋଗଦାନ ଓ ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ଚର୍ଚ୍ଚା । ଯାହାକୁ ନେଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଚ୍ଚସ୍ତରୀୟ ବୈଠକ କରିବା ସହ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦୀଘାରେ ମହାପ୍ରସାଦ ରୋଷେଇ ନକରିବାକୁ ସୁଆରମାନଙ୍କୁ ବି ବାରଣ କରାଯାଇଛି । ଏବେ ଯୁଦ୍ଧ, ଜାତି ଗଣନା ଓ ମାଟ୍ରିକ ପରୀକ୍ଷା ଫଳ ପ୍ରସଙ୍ଗକୁ ନେଇ ଏହି ପ୍ରସଙ୍ଗ ଦବିଯାଇଛି ସତ । ହେଲେ ଆଗାମୀ ଦିନରେ ଏହା ବିଜେପି ସରକାରକୁ ଅକଳରେ ପକାଇବ ବୋଲି କୁହାଯାଇପାରିବ । ପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଓ ବ୍ୟବସାୟ କରିବା ଏକ ନକରାତ୍ମକ ବାର୍ତ୍ତା ଦେଉଛି । ଆମେ ଆଶା କରିବା ସେବାୟତ ହୁଅନ୍ତୁ କି ରାଜନୀତିକ ଦଳ ଏଥିରୁ ବିରତ ରହିବାର ଆବଶ୍ୟକତା ରହିଛି । ଶେଷରେ ଏତିକି କହିପାରିବା, ଚକା ଆଖି ସବୁ ଦେଖୁଛି.... ।