ଶ୍ରୀମନ୍ଦିରରେ ଆଇପିଏଲ୍ ଟ୍ରଫି

 ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୨୨ରେ ଆଇପିଏଲ୍ ଉଦ୍ଘାଟନ ହେବ । ବିଶ୍ୱ କ୍ରିକେଟର ସବୁଠୁ ବିତ୍ତଶାଳୀ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି । କୋଲକତା ନାଇଟ ରାଇଡର୍ସ ଟିମ୍ର ସଦସ୍ୟମାନେ ଏହି ଟ୍ରଫି ଆଜି ଶ୍ରୀମନ୍ଦିରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି । ଏହି ଟ୍ରଫିକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା । ତେବେ ଗତବର୍ଷ କୋଲକାତା ନାଇଟ ରାଇଡର୍ସ ଆଇପିଏଲ୍ ଟ୍ରଫି ହାତେଇଥିବା ବେଳେ ଚଳିତ ଆଇପିଏଲ ଟ୍ରଫି ପୁନର୍ବାର କିଭଳି ନିଜ କବଜାରେ ରଖିବ ସେନେଇ ସଦସ୍ୟମାନେ ଆଶାବାଦୀ ଅଛନ୍ତି । ଏଥିପାଇଁ ମହାପ୍ରଭୂଙ୍କ ଆଶୀର୍ବାଦ ପାଇଁ କେକେଆର ଟିମ୍ ଅଫିସିଆଲ୍ ସଦସ୍ୟ ମହାପ୍ରଭୁଙ୍କ ନିକଟକୁ ଟ୍ରଫିକୁ ଆଣି ପୂଜା କରିଛନ୍ତି । ଆଇପିଏଲ୍ ଟ୍ରଫିକୁ ସିଂହଦ୍ୱାର ସମ୍ମୁଖରେ ରଖାଯାଇ ସେବାୟତଙ୍କ ଦ୍ୱାରା ପୂଜା କରାଯାଇଥିଲା । ଅନ୍ୟପଟେ ଆଇପିଏଲ୍ ଟ୍ରଫି ଦେଖି ସେବାୟତ ଓ ଶ୍ରୀ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁମାନେ ବେଶ୍ ଉସôାହିତ ହୋଇ ପଡିଥିଲେ । କେକେଆର ଟିମ୍ ଆଇପିଏଲ୍ରେ ୨୦୧୨, ୨୦୧୪ ଓ ୨୦୨୪ରେ ତିନି ଥର ଚମ୍ପିଆନ ହୋଇଥିଲା । ଶ୍ରୀମନ୍ଦିର ଆସିବା ପୂର୍ବରୁ କେକେଆର ଟିମ୍ ଅଫିସିଆଲ୍ ସଦସ୍ୟ ଆସାମ ସ୍ଥିତ ମା' କାମାକ୍ଷା ଦେବୀଙ୍କ ପୀଠରେ ଆଇପିଏଲ୍ ଟ୍ରଫିକୁ ପୂଜାର୍ଚ୍ଚନା କରିସାରିଛନ୍ତି । ଏହାସହିତ ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଏହି ଟ୍ରଫିକୁ ପୂଜାର୍ଚ୍ଚନା କରାଯାଉଛି । ଗତ ୨୦୨୪ରେ ଆପିଏଲ୍ ଚାମ୍ପିଆନ ହୋଇଥିଲା ଟିମ୍ କେକେଆର । ଫାଇନାଲ ମ୍ୟାଚ୍ରେ କେକେଆର ଟିମ୍ ହାଇଦ୍ରାବାଦ ଟିମକୁ ୮ ୱିକେଟରେ ହରାଇଥିଲା । ଲୋ ସ୍କୋରିଂ ମ୍ୟାଚ୍ରେ ହାଇଦ୍ରାବାଦ ଆଗ ବ୍ୟାଟିଂ କରି ମାତ୍ର ୧୧୩ ରନ ସ୍କୋର କରିଥିଲା । କେକେଆର ୨ଟି ୱିକେଟ ହରାଇ ବିଜୟ ରନ ସ୍କୋର କରିଥିଲା । ଦଳ ଅଧିନାୟକ ଥିଲେ ଶ୍ରେୟସ ଆୟର ଏବଂ କୋଚ ଥିଲେ ଗୌତମ ଗମ୍ଭୀର ।