ଯୋଗାଣ ବିଭାଗ କାର୍ଯ୍ୟାଳୟରୁ ଫେରୁଛନ୍ତି ହିତାଧିକାରୀ : ସାଇଟ୍ ଖୋଲୁ ନ ଥିବାରୁ ଉପୁଜୁଛି ସମସ୍ୟା
ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଯୋଗାଣ ବିଭାଗ କାର୍ଯାଳୟ ପକ୍ଷରୁ ସପ୍ତାହରେ ୨ଦିନ ଖାଦ୍ୟ ସୁରକ୍ଷା ଯୋଜନା ସମ୍ବନ୍ଧୀୟ ଅଭିଯୋଗ ହିତାଧିକାରୀଙ୍କ ଠାରୁ ଗ୍ରହଣ କରାଯାଇ ତାହାର ସମାଧାନ କରାଯିବା ପାଇଁ କାର୍ଯ୍ୟାଳୟରେ ପ୍ରଚାରପତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ୪୧ଟି ପଂଚାୟତର ହିତାଧିକାରୀମାନେ ବହୁ ଦୂରଦୂରାନ୍ତରୁ ଆସି ସେମାନଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟାଳୟରେ ପହଂଚିଛନ୍ତି ।
ରାସନ କାର୍ଡରୁ କଟିଯାଇଥିବା ହିତାଧିକାରୀଙ୍କ ନାମ ଯୋଡିବା, ଗୋଟିଏ ରାସନକାର୍ଡରୁ ଅନ୍ୟ ଏକ ରାସନ କାର୍ଡକୁ ନାମ ସ୍ତାନାନ୍ତରିତ କରିବା, ୫ ବର୍ଷରୁ ଊଦ୍ଧ୍ୱର୍ ପିଲାଙ୍କ ନାମ ଯୋଡିବା ଓ ନବ ବିବାହିତାଙ୍କ ନାମକୁ ନିଜ ଶାଶୁ ଘର ପରିବାର ମୁଖ୍ୟଙ୍କ ସହ ରାସନକାର୍ଡରେ ଯୋଡିବା ଓ ରାସନକାର୍ଡରେ ମୋବାଇଲ ନମ୍ବର ବଦଳାଇବା, ଯେଉଁମାନଙ୍କର ରାସନକାର୍ଡରେ ମୋବାଇଲ ନମ୍ବର ସଂଯୋଗ ହୋଇନାହିଁ ସେମାନେ ରାସନକାର୍ଡରେ ମୋବାଇଲ ନମ୍ବର ସଂଯୋଗ କରିବା ଆଦି କାର୍ଯ୍ୟ ପାଇଁ ହିତାଧିକାରୀମାନେ ଆସି ବହୁବାର ବ୍ଲକ ଯୋଗାଣ ବିଭାଗ କାର୍ଯ୍ୟାଳୟରୁ ଫେରୁଥିବା ନେଇ ଅଭିଯୋଗ ହେଉଛି । ଯୋଗାଣ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କେବଳ ମୋବାଇଲ ନମ୍ବର ସଂଯୋଗ କରିବା ଓ ବଦଳାଇବା କାର୍ଯ୍ୟ କରାଯାଉଥିଲା ବେଳେ, ଅନ୍ୟ କୌଣସି କାର୍ଯ୍ୟ ହେଉ ନଥିବାରୁ ହିତାଧିକାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ପଚାରିବାରେ ସେମାନେ କୁହନ୍ତି ଯେ, ମୋବାଇଲ ନମ୍ବର ସଂଯୋଗ ଓ ବଦଳାଇବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ପାଇଁ ସାଇଡ୍ ଖୋଲୁ ନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଯଦି ରାସନ କାର୍ଡରେ ନୂତନ ନାମ ସଂଯୋଗ ହୋଇ ପାରୁନାହିଁ ତେବେ ମୃତୁ୍ୟ ବରଣ କରୁଥିବା ବା ବିବାହ କରି ଶାଶୁ ଘରକୁ ଚାଲିଯାଉଥିବା ଝିଅମାନଙ୍କର ନାମ କାର୍ଡରୁ କଟୁଛି କିପରି ? ଏ ସଂକ୍ରାନ୍ତରେ ନିଶ୍ଚିନ୍ତକୋଇଲି ମଣ୍ଡଳ ଉନ୍ନୟନ ଅଧିକାରୀ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୋଗ୍ୟ ହିତାଧିକାରୀମାନଙ୍କର ରାସନ କାର୍ଡରେ ନୂତନ ନାମ ସଂଯୋଗ କରିବା ଏବଂ କାର୍ଡରୁ ନାମ କଟିଥିବା ବ୍ୟକ୍ତିମାନଙ୍କର ନାମକୁ ସଂଯୋଗ କରିବା, ଗୋଟିଏ କାର୍ଡରୁ ଅନ୍ୟ କାର୍ଡକୁ ନାମ ସ୍ଥାନାନ୍ତରଣ କରିବାର ବ୍ୟବସ୍ଥା କଲେ ବହୁ ହିତାଧିକାରୀ ଉପକୃତ ହୋଇ ପାରନ୍ତେ ।
ସୂଚନା ଥାଉ କି ରାସନ କାର୍ଡର ଇ-କେୱାଇସି କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବାରମ୍ବାର ସମୟ ବର୍ଦ୍ଧିତ କରାଯାଉଥିଲା ବେଳେ, ରାସନକାର୍ଡ ସମ୍ବନ୍ଧୀୟ ଅନ୍ୟ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସେତେଟା ଗୁରୁତ୍ୱ ଦିଆଯାଉ ନଥିବାରୁ ହିତାଧିକାରୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ରାସନକାର୍ଡ ସମ୍ବନ୍ଧୀୟ ଯେତେ ଯେତେ ସମସ୍ୟା ଅଛି ତାହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।