‘ଶ୍ରୀକ୍ଷେତ୍ର ହିଁ ଏକମାତ୍ର ଜଗନ୍ନାଥ ଧାମ’
ପୁରୀ : କବି, ପ୍ରବାନ୍ଧିକ, ଲେଖକ ଓ ଗବେଷକ ଭକ୍ତ ଭାରତ ଭୂଷଣଙ୍କୁ ମିଳିଛି ଚଳିତ ବର୍ଷର ଅଲଭ୍ୟପୂର୍ଣ୍ଣ ବ୍ରହ୍ମସମ୍ମାନ-୨୦୨୫ ଏବଂ କଳା, ସଂସ୍କୃତି ସଂଗଠନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚନ୍ଦ୍ରଶେଖର ମହାରଣାଙ୍କୁ ମିଳିଛି ଚଳିତ ବର୍ଷର ଶିଳାବ୍ରହ୍ମ ପୂର୍ଣ୍ଣବ୍ରହ୍ମ ସମ୍ମାନ-୨୦୨୫ । ସାହିତ୍ୟ, ଚାରୁକଳା ସଂଗଠନ ଓ ଗବେଷଣାରେ ଉଲ୍ଲେଖନୀୟ ଅବଦାନ ଓ ଭାବଭକ୍ତିର ସ୍ୱରସାଧନା ପାଇଁ ପୂର୍ଣ୍ଣଦାସ ଫାଉଣ୍ଡେସନ ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ୟୁଥ୍ ହଷ୍ଟେଲରେ ଏହି ପ୍ରତିଭାଧରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ ଆସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବାଣିଜ୍ୟ କର ଆୟୁକ୍ତ ସୁଶ୍ରୀ କାନନ୍ବାଳା ନାୟକ ତଥା ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ, ସମ୍ମାନିତ ଅତିଥି ଭାବେ ଡ଼ା. ଦିଲ୍ଲୀପ ସେନାପତି ଏବଂ ସ୍ୱତନ୍ତ୍ର ଅତିଥି ଭାବେ ଯୁଗ୍ମ କମିଶନର ବାଣିଜ୍ୟ କର ଡ଼. ପଦ୍ମଲୋଚନ ରାଉତ ଯୋଗଦାନ କରି ଶ୍ରୀ ବ୍ୟାସଦେବଙ୍କ ପ୍ରଣିତ ମହାପୁରୁଷ ବିଦ୍ୟାରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ହିଁ ଭଗବାନ ବିଷ୍ଣୁଙ୍କର ସର୍ବୋତ୍ତମ କ୍ଷେତ୍ର ବୋଲି ଉଲ୍ଲେଖ ରହିଛି । ସୁତ୍ତ ସଂହିତା ଅନ୍ତର୍ଗତ ନୀଳାଦି୍ର ମହୋଦୟ ଗ୍ରନ୍ଥରେ ଉଲ୍ଲେଖ ରହିଛି ମୁକ୍ତିଦାତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅବସ୍ଥାନ କ୍ଷେତ୍ର ହେତୁ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ଆକାଶ, ଜଳ, ଭୂମି ଅଥବା ଯେକୌଣସି ସ୍ଥାନରେ ଯେଉଁମାନେ ମୃତୁ୍ୟବରଣ କରନ୍ତି ସେମାନେ ମୁକ୍ତିଲାଭ ପାଇଥାନ୍ତି । ସ୍ୱୟଂ ମହାଲକ୍ଷ୍ମୀ ଯମରାଜଙ୍କୁ ଏ କ୍ଷେତ୍ରରେ ପ୍ରବେଶ ନକରିବା ପାଇଁ ବାରଣ କରିଛନ୍ତି । କପିଳ ସଂହିତା କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଅଧିଷ୍ଠାନ କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର ଓ ସାକ୍ଷାତ ବୈକୁଣ୍ଠ ସ୍ୱରୂପ । ଏହି କ୍ଷେତ୍ରରେ ବ୍ରହ୍ମା ପ୍ରଭୃତି ଦେବଗଣ ବାସ କରିବା ସହ ଜଗନ୍ନାଥଙ୍କ ଦର୍ଶନ କରି କୃତାର୍ଥ ହୋଇଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ଏହି ଭଳି ବଳିଷ୍ଠ ଯୁକ୍ତିମାନ ଉପସ୍ଥାପନ କରି ଅତିଥିମାନେ ଶ୍ରୀକ୍ଷେତ୍ର ହିଁ ଜଗନ୍ନାଥ ଧାମ ବୋଲି ବର୍ଣ୍ଣନା କରିଥିଲେ । ଅନୁଷ୍ଠାନର ସଭାପତି ତଥା ଅଧ୍ୟକ୍ଷ ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ । ସଞ୍ଚଳକ ଥିଲେ ସୁସାହିତି୍ୟକ ଶିବସୁନ୍ଦର ମିଶ୍ର । କବି ପୁରୁଷୋତ୍ତମ ନନ୍ଦ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
