ଗିରଫ ହେବେନି ଜଗା, ଏମିତି ସଂକେତ ଦେଲେ ମନ୍ତ୍ରୀ

jagannath pradhan

ଗିରଫ ହେବେନି ଜଗା, ଏମିତି ସଂକେତ ଦେଲେ ମନ୍ତ୍ରୀ

ଭୁବନେଶ୍ୱର : ଏପଟେ ଓଏଏସ ସଂଘର ଆନ୍ଦୋଳନ ଆଉ ସେପଟେ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିକୁ ନେଇ ରାଜ୍ୟ ରାଜନୀତି ଓ ପ୍ରଶାସନ ସରଗରମ ହୋଇଯାଇଛି  । ଓଏଏସ ଓ ଓଆରଏସ ଅଧିକାରୀମାନେ ଆନ୍ଦୋଳନ କରୁଥିବାବେଳେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି  । ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତିଯେ, ଏହି ଘଟଣାରେ ଅଫିସରଙ୍କ ଉଦବେଗ ସହ ସରକାର ଅଛନ୍ତି  । କୌଣସି ଅଧିକାରୀ ବାହାରିବା ପୂର୍ବରୁ ସେ ଅତିରିକ୍ତ ତହସିଲଦାରଙ୍କ ସହ ଥିଲେ  । ଯେଉଁ ଅଫିସର ଧର୍ମଘଟରେ ଅଛନ୍ତି, ତାଙ୍କ ଉଦବେଗକୁ ସରକାର ଗ୍ରହଣ କରୁଛନ୍ତି  । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି  । ସେମାନଙ୍କୁ ବିଜେପି ମଧ୍ୟ ଦଳରୁ ନିଲମ୍ବିତ କରିଛି  । ବିନା ପ୍ରମାଣରେ ପ୍ରଚ୍ଛଦପଟରେ କିଏ ଅଛି ତାଙ୍କୁ ଗିରଫ କଲେ କୋର୍ଟ ଗ୍ରହଣ କରିବେନାହିଁ  । ସରକାରଙ୍କ ପାଖରେ ପ୍ଳାନ-୧,୨ ଓ ୩ ରହିଛି  ।

ସୂଚନାଯୋଗ୍ୟଯେ, ‘ମୁଁ ଆଇନ୍‌କୁ ସମ୍ମାନ ଦେବି’ । ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଏହି ପଦିଏ କଥା ବିଜେପି ରାଜ୍ୟ କାର୍ଯ୍ୟାଳୟ ଓ ଖାରବେଳ ଥାନା ପରିସରକୁ ଚଳଚଞ୍ଚଳ କରିଦେଇଥିଲା  । କିଏ କହିଲେ ସେ ଇସ୍ତଫା ଦେବେ ତ ଆଉ କିଏ କହିଲେ ଖାରବେଳନଗର ଥାନାରେ ଆତ୍ମସମର୍ପଣ କରିବେ  । ଘଣ୍ଟା ଘଣ୍ଟା ଧରି ରାଜନୀତିକ ମହଲର ନଜର ଜଗାଙ୍କ ଉପରେ ହିଁ ଥିଲା  । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବି ମାନସମନ୍ଥନ ଚାଲିଲା  । ହେଲେ ଶେଷକୁ ଜଗା କହିଲେ, ସଭାପତି ଡାକିଥିଲେ  । ଆଲୋଚନା କଲି, ଏବେ ମୁଁ ମୋ ଘରକୁ ଯାଉଛି  । ବାସ୍‌ ଜଗାଙ୍କ ଏହି ପଦିକ କଥା ବିଜେପି ରାଜନୀତିରେ ଆଲୋଡ଼ନ ସୃଷ୍ଟିକରିଛି  ।