ଆତ୍ମସମର୍ପଣ ପରେ ଜଗା ପ୍ରଧାନ ଗିରଫ
jagannath pradhan arrest

ବାଣୀବିହାରରେ ରାସ୍ତା ଅବରୋଧ
ମୋ ଗିରଫଦାରୀ ଯଦି ସମସ୍ୟାର ସମାଧାନ ତେବେ ଦଳ ଓ ସରକାରଙ୍କ ସମ୍ମାନ ପାଇଁ ତଦନ୍ତରେ ସହଯୋଗ କରୁଛି : ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର : ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଛି । ଆଜି ରାତିରେ ସେ ଡିସିପି ଅଫିସରେ ପହଁଚି ଆତ୍ମସମର୍ପଣ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ କ୍ୟାପିଟାଲ ହସପିଟାଲ ନିଆଯାଇ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ଅପରପକ୍ଷରେ ଜଗାଙ୍କ ଗିରଫଦାରୀକୁ ନେଇ ତାତି ଯାଇଛନ୍ତି ତାଙ୍କର ସମର୍ଥକ । ବାଣୀବିହାର ରାଜରାସ୍ତାକୁ ତାଙ୍କର ସମର୍ଥନମାନେ ଦୀର୍ଘ ସମୟ ଧରି ଅବରୋଧ କରି ରଖିôଥିଲେ । ଏହି ମାମଲାରେ ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି ।
ଆଜି ରାତି ୯ଟାରେ ହଠାତ୍ ଡିସିପି ଅଫିସ ଚଳଚଞ୍ଚଳ ହୋଇଯାଇଥିଲା । ଜଗନ୍ନାଥ ପ୍ରଧାନଙ୍କ ସମର୍ଥକଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତାଙ୍କର ସେଠାରେ ଭିଡ଼ ଜମିଥିଲା । ଫଳରେ ଜଗାଙ୍କୁ ପୁଲିସ୍ ଗିରଫ କରିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ଡିସିପି ଅଫିସ୍ରେ ପହଁଚି ଜଗା ସେମିତି ଢଙ୍ଗରେ ହିଁ ମନ୍ତବ୍ୟ ଦେଇଥିଲେ । ଜଗା କହିଥିଲେଯେ, ବିଏମସି ଅତିରିକ୍ତ କମିଶନରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ମୁଁ ନିନ୍ଦା କରିଆସିଛି । ଏପରି ନିନ୍ଦନୀୟ ଘଟଣା ଗ୍ରହଣୀୟ ନୁହେଁ କି ଆଗକୁ ଘଟିବା କଥା ନୁହେଁ । ଏହି ଘଟଣାରେ ମୋର କୌଣସି ସଂପୃକ୍ତ ନଥିଲେବି ବିଭିନ୍ନ ଦିଗରୁ ମୋ ଦଳ ଓ ଆମ ସରକାରଙ୍କୁ ବଦନାମ କରିବାକୁ ଯୋଜନାବଦ୍ଧ ଉଦ୍ୟମ କରାଗଲା । ଓଏଏସ ସଂଘ ବି ଏହି ଯୋଜନାର ଶିକାର ହୋଇ ମୋତେ ଗିରଫ କରିବାକୁ ଦାବି କରି ଆନ୍ଦୋଳନ କରିଆସୁଛି । ଫଳରେ ବନ୍ୟା ଦୁର୍ଗତଙ୍କ କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ପ୍ରଦାନ ପ୍ରଭାବିତ ହୋଇପାରେ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ବି ପ୍ରଭାବିତ ହୋଇପାରେ । ମୋର ଗିରଫଦାରୀ ଯଦି ସମସ୍ୟାର ସମାଧାନ ତେବେ ମନମୋହନ ସାମଲଙ୍କ ନେତୃତ୍ୱରେ ବିଜେପି ଓ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ସମ୍ମାନ ଓ ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମୁଁ ତଦନ୍ତରେ ସହଯୋଗ କରୁଛି ।
ଗିରଫ ପରେ ଜଗାଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା । ସେଠାରୁ ଭୁବନେଶ୍ୱର ଏସଡ଼ିଜେଏମ କୋର୍ଟରେ ହାଜର କରାଯାଇଥିଲା । ଏନେଇ ଡିସିପି ଜଗମୋହନ ମୀନା କହିଥିଲେଯେ, ଏହି ମାମଲାରେ ପୂର୍ବରୁ ୫ ଜଣ ଗିରଫ ହୋଇଥିବାବେଳେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ନାମ ହେଉଛି ଜଗନ୍ନାଥ ପ୍ରଧାନ । ଅଭିଯୁକ୍ତଙ୍କ ବୟାନ, ପୀଡ଼ିତଙ୍କ ବୟାନ ଆଧାରରେ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଛି । ପ୍ରାରମ୍ଭିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି ।
ଭୁବନେଶ୍ୱର କୋର୍ଟରେ ଜଗନ୍ନାଥ ପହଁଚିବା ପରେ ସେଠାରେ ବି ସମର୍ଥକମାନେ ଭିଡ଼ ଜମାଇଥିଲେ । ସୁରକ୍ଷା ଦୃଷ୍ଟିକୋଣରୁ କୋର୍ଟର ଫାଟକ ବି ବନ୍ଦ କରି ଦିଆଯାଇଥିଲା । ସେଠାରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା । ବିଧାୟକ ବାବୁ ସିଂଙ୍କ ସମେତ ବହୁ ବରିଷ୍ଠ ନେତାମାନେ ମଧ୍ୟ କୋର୍ଟ ପରିସରରେ ଥିଲେ ।
ଅପରପକ୍ଷରେ ଜଗାଙ୍କ ଗିରଫଦାରୀ ପରେ ତାଙ୍କର ସମର୍ଥକମାନେ ଉତ୍ତ୍ୟକ୍ତ ହୋଇ ବାଣୀବିହାର ଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଶହ ଶହ ଗାଡ଼ି ଅଟକି ରହିଥିଲା । ଯଦି ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଗଲା ତେବେ ସ୍ୱଚ୍ଛସାଥିଙ୍କ ଅଭିଯୋଗ ଆଧାରରେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବି ଗିରଫ କରାଯାଉ ବୋଲି ତାଙ୍କର ସମର୍ଥକମାନେ ଦାବି କରିଥିଲେ ।