ଡା.ଜ୍ୟୋତିରଞ୍ଜନ ଚମ୍ପତିରାୟ : କେବଳ ଭାରତ କାହିଁକି ସମଗ୍ର ବିଶ୍ୱର ଆଧ୍ୟାତ୍ମିକ କ୍ଷେତ୍ରକୁ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ଯୋଗଦାନ ଅଭୂତପୂର୍ବ । ବେଦ, ଉପନିଷଦ ସମେତ ଭାରତର ବିଭିନ୍ନ ଧର୍ମ ଗ୍ରନ୍ଥ ଅଧ୍ୟୟନ ଏବଂ ସେଗୁଡ଼ିକର ବ୍ୟାଖ୍ୟା କରି ନିଜ ଲେଖା ମାଧ୍ୟମରେ ସେ ଅନେକ କୃତି ଛାଡ଼ି ଯାଇଛନ୍ତି । ଯୋଗସାଧନା ଉପରେ ସେ ମୌଳିକ ଗ୍ରନ୍ଥ ରଚନା କରିଛନ୍ତି । ବିଶ୍ୱ ଦର୍ଶନ ଶାସ୍ତ୍ରରେ ତାଙ୍କର ଗୁୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ସମଗ୍ର ବିଶ୍ୱରେ ମହାଯୋଗୀଙ୍କ ସାଧନାର ବହୁ ଅନୁଗାମୀ ରହିଛନ୍ତି । ଶ୍ରୀଅରବିନ୍ଦଙ୍କ ବାଣୀ ଏବଂ ତାଙ୍କ ଦର୍ଶନ ଯୁଗ ଯୁଗ ଧରି ପ୍ରାସଙ୍ଗିକ ହୋଇ ରହିବ । ଏହି ମହାଗୁରୁ ବିଦେଶରୁ ଶିକ୍ଷା ଲାଭ କରିବା ସହ ସେ ଇଂରାଜୀ, ଜର୍ମାନ୍, ଫ୍ରେଞ୍ଚ, ଇଟାଲି ଆଦି ଭାଷାରେ ନିପୁଣତା ପ୍ରାପ୍ତ କରିଥିଲେ । ସେ ସଫଳତା ପୂର୍ବକ ଆଇସିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏତେ ସବୁ ସଫଳତା ହାସଲ କରିବା ପରେ ବ୍ରିଟିଶ ସରକାର ଅଧିନରେ ଚାକିରି କରିବା ପରିବର୍ତ୍ତେ ସେ ଦେଶମାତୃକାରେ ସେବାରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ୧୮୭୨, ଅଗଷ୍ଟ ୧୫- ସମଗ୍ର ଭାରତବାସୀଙ୍କ ପାଇଁ ଏକ ଗୌରବର ଦିବସ। ଏହି ଦିନ କେବଳ ଭାରତ ସ୍ୱାଧୀନ ହୋଇଥିଲା ତାହା ନୁହେଁ ବରଂ ଭାରତମାତାର ଜଣେ ଯୋଗ୍ୟତମ ସନ୍ତାନର ଏ ଧରା ପୃଷ୍ଠରେ ଆବିର୍ଭାବ ଘଟିଥିଲା ।
ଏଣୁ ପ୍ରତିବର୍ଷ ଭାରତବାସୀ ପରମ ଶ୍ରଦ୍ଧାରେ ଏକାଧାରରେ ସ୍ମରଣ କରିବେ ଯେ, ଏହି ଦିବସରେ ହୋଇଥିଲା ଭାରତର ସ୍ୱାଧୀନତା ଅଭ୍ୟୁଦୟ ଓ ସ୍ୱାଧୀନତାର ଅଗ୍ରଦୂତ ଶ୍ରୀ ଅରବିନ୍ଦଙ୍କ ଅଭ୍ୟୁଦୟ । ଶ୍ରୀ ଅରବିନ୍ଦ ପିତାମାତା ତାଙ୍କୁ ଆଦରରେ "ଅରୋ' ବୋଲି ଡାକୁଥିଲେ । ସେ ଥିଲେ ପିତାମାତାଙ୍କର ତୃତୀୟ ସନ୍ତାନ । ତାଙ୍କ ବଡ଼ଭାଇଙ୍କ ନାମ ବିନୟ ଭୂଷଣ ଓ ମନ ମୋହନ । ଶ୍ରୀ ଅରବିନ୍ଦଙ୍କ ଜନ୍ମ ପରେ ଜନ୍ମଗ୍ରହଣ କରିଥିଲେ ଭଉଣୀ ସରୋଜିନୀ ଓ ସାନଭାଇ ବାରୀନ୍ଦ୍ର କୁମାର । ଡ.କୃଷ୍ଣଧନ ଘୋଷ ନିଜ ପିଲାମାନଙ୍କୁ ପାଶ୍ଚାତ୍ୟ ଶୈଳୀରେ ଗଢ଼ି ତୋଳିବାକୁ ଚାହୁଁଥିଲେ । ଅପରପକ୍ଷେ ସ୍ୱର୍ଣ୍ଣଲତା ଦେବୀ ଥିଲେ ଜଣେ ଧର୍ମପରାୟଣା, ଦେଶଭକ୍ତି, ଶିକ୍ଷିତା ନାରୀ । ଉଭୟଙ୍କ ଗୁଣାବଳୀ ପ୍ରଭାବ ପିଲାମାନଙ୍କ ଉପରେ ପଡ଼ିଥିଲା । କୃଷ୍ଣଧନ ଶ୍ରୀ ଅରବିନ୍ଦଙ୍କ ଲାଳନପାଳନ ଦାୟିତ୍ୱ ଜଣେ ଇଂରେଜ ଧାଈଙ୍କୁ ସମର୍ପି ଦେଲେ । ଅତି ଛୋଟ ବୟସରୁ ସେ ମାତୃସ୍ନେହରୁ ବଞ୍ôଚତ ହେଲେ । ପିଲାଟି ଦିନରୁ ଶ୍ରୀ ଅରବିନ୍ଦ ମାତୃସ୍ନେହ ଓ ମାତୃଭାଷାର ସ୍ୱାଦ ପାଇପାରିନଥିଲେ ବୋଲି ପରବର୍ତ୍ତୀ ସମୟରେ ସେ ଭାରତକୁ ଭଲଭାବେ ଚିହ୍ନି ପାରିଥିଲେ । ତେଣୁ ସେ କହୁଥିଲେ - "ଭାରତ ଏକ ଜଡ଼ ପଦାର୍ଥ, ମାଟି, କ୍ଷେତ୍ର, ବନ, ପର୍ବତ, ନଦୀକୁ ନେଇ ଗଠିତ ଭୂଗର୍ଭ ନୁହେଁ । ଏ ହେଉଛି ସ୍ୱୟଂ ଜଗଜ୍ଜନନୀ । ପାଞ୍ଚବର୍ଷ ବୟସରୁ ଅରୋଙ୍କ ବାଲ୍ୟଶିକ୍ଷା ଆରମ୍ଭ ହେଲା । ପ୍ରଥମେ ସେ ଲୋରେଟା କନ୍ଭେଣ୍ଟ ସ୍କୁଲ, ଦାର୍ଜିଲିଂରେ ନାମ ଲେଖାଇଲେ। ସାତବର୍ଷ ବୟସରେ ତାଙ୍କୁ ଦେଶ ଛାଡ଼ି ଯିବାକୁ ପଡ଼ିଲା ।
ତାଙ୍କ ମାତାଙ୍କ ମସ୍ତିଷ୍କ ରୋଗ ଚିକିତ୍ସା ପାଇଁ ପିତା କୃଷ୍ଣଧନ ସପରିବାର ଯାଇ ମାଞ୍ଚେଷ୍ଟରରେ ରହିଲେ । ସେଠାରେ ଡ୍ରୁୁଟେ ଦମ୍ପତିଙ୍କ ତତ୍ତ୍ୱାବଧାନରେ ଶ୍ରୀ ଅରବିନ୍ଦଙ୍କ ପାଠପଢ଼ା ଚାଲିଲା । ଏହି ବୟସରୁ ହିଁ ତାଙ୍କ ପ୍ରତିଭାର ବିକାଶ ଘଟିଲା । ତାଙ୍କୁ ଯାହା ଶିକ୍ଷା ଦିଆଯାଉଥିଲା ସେ ସଙ୍ଗେ ସଙ୍ଗେ ସବୁ ଶିଖି ଦେଉଥିଲେ । ଶ୍ରୀ ଅରବିନ୍ଦ ଥିଲେ ଶାନ୍ତ ସ୍ୱଭାବର ଓ ବିଚକ୍ଷଣ ପ୍ରତିଭାର ଅଧିକାରୀ । ମାତ୍ର ଦଶବର୍ଷ ବୟସରୁ ଲାଟିନ୍ ଓ ଇଂରାଜୀ ଭାଷାରେ ସୁନ୍ଦର କବିତା ଲେଖିବାକୁ ଆରମ୍ଭ କଲେ । ଏଗାର ବର୍ଷ ବୟସରେ ସେ ଅନ୍ତରରେ ଅନୁଭୂତି ଲାଭ କଲେ ଯେ ସାରା ଜଗତ ପାଇଁ ତାଙ୍କୁ ଭୂମିକା ଗ୍ରହଣ କରିବାକୁ ପଡ଼ିବ । ତେରବର୍ଷ ବୟସରେ ସେ ଲଣ୍ଡନ ଯାଇ ସେଣ୍ଟ ପଲ୍ସ ସ୍କୁଲରେ ଭର୍ତ୍ତି ହେଲେ । ସେଠାରେ ସେ ଗ୍ରୀକ୍ ଓ ଫରାସୀ ଭାଷା ଶିଖିଲେ । ଚଉଦ ବର୍ଷ ବେଳକୁ ସେ ଇଉରୋପରେ ଇଂରାଜୀ, ଲାଟିନ୍, ଗ୍ରୀକ୍, ଫରାସୀ, ଇଟାଲିୟାନ୍, ଜର୍ମାନୀ ଓ ସ୍ପେନିା୍ ଏହି ପରି ସାତୋଟି ଭାଷାର ଅଧିକାରୀ ହୋଇ ସାରିଥିଲେ । ଏହି ସମୟରେ ତାଙ୍କୁ ନାନା ଦୁଃଖ କଷ୍ଟ ସହ୍ୟ କରିବାକୁ ପଡ଼ିଥିଲା । ଟଙ୍କା ଅଭାବରୁ ବେଳେ ବେଳେ ସେ ଭୋକ ଉପାସରେ ରହୁଥିଲେ । ଶୀତରେ ଘୋଡେ଼ଇ ହେବାପାଇଁ ତାଙ୍କ ନିକଟରେ ଚଦରଟିଏ ନଥିଲା ।
ଶ୍ରୀ ଅରବିନ୍ଦ ଲଣ୍ଡନରେ ରହି ପାଠ ପଢ଼ୁଥିବା ସମୟରେ ତାଙ୍କ ପିତା କୃଷ୍ଣଧନ ତାଙ୍କ ଭିତରେ ଦେଶ ପ୍ରେମର ବୀଜପବନ କରିଥିଲେ । ସେ ସମୟରେ ଭାରତୀୟ ମାନଙ୍କ ପ୍ରତି ଇଂରେଜମାନଙ୍କ ଅକଥନୀୟ ଅତ୍ୟାଚାର ବିଷୟରେ ଚିଠି ଲେଖି ଜଣାଉଥିଲେ । ଏସବୁ ପଢ଼ି ଶ୍ରୀ ଅରବିନ୍ଦଙ୍କ ମନରେ ଦେଶପ୍ରେମର ଭାବ ଜାଗ୍ରତ ହେଲା । ଏହାଥିଲା ଦେଶ କାର୍ଯ୍ୟ ପାଇଁ ଆୟମାରମ୍ଭ । ପରାଧୀନତାର ବନ୍ଧନରୁ ଦେଶକୁ ମୁକ୍ତ କରିବା ପାଇଁ ସେ ତାଙ୍କ ସମଗ୍ର ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ପରାଧୀନତାର ରୁକ୍ଷ ମରୁଭୂମିରେ ସ୍ୱାଧୀନତା - ମନ୍ଦାକିନୀର ଆଦ୍ୟ ଧାରା ବୁହାଇଥିଲେ । ସମଗ୍ର ଭାରତବର୍ଷ ଓ ମାନବ ଜାତି ପାଇଁ ତାଙ୍କ ଅବଦାନ ଅତୁଳନୀୟ । ପରବର୍ତ୍ତୀ ସମୟରେ ଏହି ଅସାଧାରଣ ବାଳକ "ଶ୍ରୀ ଅରବିନ୍ଦ' ନାମରେ ପରିଚିତ ହେଲେ । ସୌଭାଗ୍ୟ ବଶତଃ ତାଙ୍କ ଜନ୍ମ ତିଥିରେ ହିଁ ଭାରତ ସ୍ୱାଧୀନ ହେଲା । ୧୯୫୦ ମସିହା ଡିସେମ୍ବର ୫, ରାତ୍ର ୧.୨୦ ମିନିଟ୍ ସମୟରେ ୭୮ ବର୍ଷ ବୟସରେ ମହାଯୋଗୀ ଦେହତ୍ୟାଗ କରିଥିଲେ ।