କପିଳାସ ପୀଠରେ ଯାତ୍ରୀ ଶୋଷଣ ବନ୍ଦ ପାଇଁ ଦାବି
ଢେଙ୍କାନାଳ: ଓଡ଼ିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର ଢେଙ୍କାନାଳ ଜିଲ୍ଲା କପିଳାସରେ ଏବେ କିଛି ବର୍ଷ ଧରି ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ରାଜ୍ୟ ତଥା ରାଜ୍ୟ ବାହାରୁ ହୋଇ ଆସୁଛି । ଢ଼େଙ୍କାନାଳ ଜିଲ୍ଲାର ଏହି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ପ୍ରାକୃତିକ ମନୋରମ ସୋନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ଏହି ପୀଠଟି ସରକାରଙ୍କ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ହୋଇ ଆସୁଛି । ଦେବୋତ୍ତର ବିଭାଗର ପରିଚାଳନାଗତ ଅବ୍ୟବସ୍ଥା ପାଇଁ କପିଳାସର ଠାକୁର ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କର ଅଚଳାଚଳ ଭୁ ସମ୍ପତ୍ତିରୁ ଆୟ ଆସୁନାହିଁ । ଠାକୁର୍ଙ୍କର ଅନେକ ଜମି ମାଫିଆମାନଙ୍କ ଦ୍ୱାରା ବେଦଖଲ ହୋଇ ସାରିଲାଣି । ଦେବୋତ୍ତର ବିଭାଗର କର୍ମଚାରୀମାନେ କେବଳ ପୀଠ ଉପରେ ଥିବା ବିଭିନ୍ନ ସଇରାତ ଗୁଡ଼ିକୁ ନିଲାମ କରି କିଛି ଆଖି ଦୃଷ୍ଟିଆ ଅର୍ଥ ରୋଜଗାର କରି ଢ଼େଙ୍କାନାଳ ଅଫିସରେ ବସି ଦରମା ନେଉଛନ୍ତି । ଅତ୍ୟଧିକ ଦରରେ କପିଳାସରେ ଭୋଗ ଦୋକାନ ନିଲାମ ହେବା ଯୋଗୁଁ ପୀଠରେ ଅତ୍ୟଧିକ ଦରରେ ଭୋଗ ବିକ୍ରୟ ହେଉଛି ବୋଲି ଅଭିଯୋଗ ମିଳିଛି । ଏପରିକି ଭୋଗ ନଡ଼ିଆ ଗୋଟିକ ବଜାର ଦର ୨୦/୨୫ ଟଙ୍କା ହୋଇଥିବା ବେଳେ କପିଳାସ ମନ୍ଦିର ନିକଟରେ ୭୦/୮୦ ଟଙ୍କା ଦରରେ ଦୋକାନୀ ବିକ୍ରି କରୁଛନ୍ତି । କପିଳାସ ମନ୍ଦିରରେ ଭୋଗ କଲେ ୧୦୦୦ ଟଙ୍କାର ଭୋଗ କିଣିଲେ ବି ଥାଳି ପୁରୁ ନାହିଁ । ଏପରିକି ଘିଅ ଦୀପ ୫ ଟଙ୍କା ବଦଳରେ ୫୦ ଟଙ୍କା ପଡୁଛି ବୋଲି କିଛି ଭକ୍ତ ଅଭିଯୋଗ ଆଣିଛନ୍ତି । ଗୋଟିଏ ସାଧାରଣ ଗରିବ ଲୋକ ଭୋଗ ଠାକୁରଙ୍କ ପାଖରେ ଲଗାଇବା ସମ୍ଭବପର ନୁହେଁ । କପିଳାସ ପୀଠରେ ପୂର୍ବରୁ ଦୁଇଟି ଭୋଗ ଦୋକାନ ରହିଥିବାବେଳେ ସେହି ଦୋକାନୀମାନେ ଭୋଗର ରେଟ ଚାର୍ଟ ମାରୁଥିଲେ । କିନ୍ତୁ ଏବେ ଦେବୋତ୍ତର ବିଭାଗର କିଛି କର୍ମଚାରୀ ତଞ୍ଚକତା କରି ଦୁଇଟି ଦୋକାନକୁ ମିଶାଇ ଗୋଟିଏ ଦୋକାନ କରିଛନ୍ତି । ଫଳରେ ଗୋଟିଏ ଭୋଗ ଦୋକାନ ହେବାରୁ ଓ ଦେବୋତ୍ତର ବିଭାଗର କିଛି ନିୟନ୍ତ୍ରଣ ନ ଥିବାରୁ ଯାତ୍ରୀମାନଙ୍କୁ ପୀଠ ଉପରେ ଅତ୍ୟଧିକ ଶୋଷଣ କରାଯାଉଛି । ସେହିପରି କପିଳାସର ପାଦ ଦେଶରେ ଦେବୋତ୍ତର ବିଭାଗ ଏକ ଟୋଲ ଗେଟ୍ ନିଲାମ ଦେଇଛନ୍ତି । ସେହି ଟୋଲ ଗେଟଟିରେ ଯେଉଁ ଗାଡି ଗୁଡ଼ିକ କପିଳାସ ଠାକୁର୍ଙ୍କ ଦର୍ଶନ କରିବାକୁ ଗାଡ଼ି ନେଇ ପାହାଡ ଉପରକୁ ଯାଉଛନ୍ତି ସେମାନଙ୍କ ଠାରୁ ଟୋଲ ଫିସ ଓ ପାର୍କିଂ ଫିସ ଆଦାୟ କରିବା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ନିଲାମ ଦିଆଯାଇଛି । କିନ୍ତୁ ଏକ ପରିତାପର ବିଷୟ ଯେଉଁ ପର୍ଯ୍ୟଟକମାନେ ଡିଅର ପାର୍କ ଓ ସାଇନ୍ସ ପାର୍କ ବୁଲିବାକୁ ଆସୁଛନ୍ତି ତାଙ୍କ ଠାରୁ ଟୋଲ ଫିସ ଓ ପାର୍କିଂ ଫିସ ଜୋର୍ ଜବରଦସ୍ତ ଆଦାୟ ହେଉଛି । ତେବେ ରାଜ୍ୟର ଅନ୍ୟ ଧାର୍ମିକ ପୀଠ ସମଲେଶ୍ୱରୀ ମନ୍ଦିର, ତାରିଣୀ ମନ୍ଦିର ଗୁଡିକରେ ଯେପରି କମ୍ ଦରରେ ଭୋଗ ସାମଗ୍ରୀ ମିଲି ପାରୁଛି କପିଳାସ ପୀଠରେ ସେପରି ହେବାର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ କହିଛନ୍ତି । କପିଳାସ ପୀଠ ରେ ଦେବୋତ୍ତର ବିଭାଗ ସର୍ବସାଧାରଣ ବ୍ୟବହାର ପାଇଁ ଉଦ୍ଦିଷ୍ଟ ପାଇଖାନା ଗୁଡ଼ିକୁ ମଧ୍ୟ ନିଲାମ କରି ଅର୍ଥ ରୋଜଗାର କରୁଥିବାରୁ ସେଥିରେ ସାଧାରଣ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଅବ୍ୟବସ୍ଥାର ପ୍ରତିକାର ପାଇଁ ଏବେ କିଛିଦିନ ତଳେ କପିଳାସ ସୁରକ୍ଷା ପରିଷଦ ପକ୍ଷରୁ ଢ଼େଙ୍କାନାଳ ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ତାର କିଛି ପ୍ରତିକାର କରାଯାଇନାହିଁ ବୋଲି ସେବାୟତ ସଂଘର ସମ୍ପାଦକ ଗୁରୁ ଚରଣ ମହାପାତ୍ର ଜଣାଇଛନ୍ତି ।