ଜଙ୍ଗଲରେ ବିତୁଛି ଜୀବନ
ାା ନୂଆପଡା ରୁ ପରମେଶ୍ୱର ବାରିକ ।ା ଚାରିଆଡେ ଘଞ୍ଚ ବନାନୀ, ସବୁବେଳେ ନିରବତା ରାଜୁତି କରୁଥାଏ । ଆଖ ପାଖରେ ଜନ ବସତି ନାହିଁ । କିନ୍ତୁ ଏମିତି ଏକ ଜନ ମାନବ ଶୂନ୍ୟ ଜଙ୍ଗଲ ଭିତରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ହେବ ରହି ଆସୁଛନ୍ତି ଏକ ପରିବାର । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଭଇଁସା ଦାନୀ ଗ୍ରାମ ପଞ୍ଚାୟତ । ଏହି ପଞ୍ଚାୟତର ସିଆଲ୍ ଲଟି ଗ୍ରାମ । ଗ୍ରାମର ଖଇର ପଡା ଠାରୁ ଗୁରୁ ଡଙ୍ଗର ପ୍ରାୟ ୩ କିମି । ଏହି ଡଙ୍ଗରରେ ରହନ୍ତି ଏକ ଆଦିବାସୀ ପରିବାର । ସେମାନଙ୍କ ପାଖକୁ ଯିବା ପାଇଁ ଏକ ସରୁ ରାସ୍ତା । କଷ୍ଟେ ମଷ୍ଟେ ବାଇକରେ ଯାଇ ହୁଏ । ଆମେ ଯେତେବେଳେ ଏହି ପରିବାର କଥା ଶୁଣିଲୁ ଅନେକ କଷ୍ଟରେ କେତେବେଳେ ବାଇକ୍ରେ ତ କେତେବେଳେ ଚାଲି ଚାଲି ଯାଇ ପହଞ୍ଚôଲେ । ୫୦ ବର୍ଷ ପୂର୍ବେ ସ୍ୱର୍ଗତ ଟଙ୍କଧର ମାଝୀ ଓ ଆଉ ୨୦ ପରିବାର ଜାଗା ବାଡି ନଥିବାରୁ ଜଙ୍ଗଲରେ ଯାଇ ବସା ବାନ୍ଧିଲେ । ସେଠାରେ ସେମାନେ ଗାଁ ନାଆଁ ଦେଲେ ଗୋପପୁର । କିଛି ବର୍ଷ ପରେ ଅନ୍ୟ ପରିବାର ସବୁ ଜଙ୍ଗଲ ଛାଡି (ଗୋପପୁର ଛାଡି) ଅନ୍ୟତ୍ର ସବୁ ରହିବାକୁ ଲାଗିଲେ । ଟଙ୍କଧର କିନ୍ତୁ ଜଙ୍ଗଲ ଛାଡି ଆଉ କୋଉଠିକୁ ଗଲେ ନାହିଁ । ପରିବାର ଧରି ସେଇଠି ପଡି ରହିଲେ । ତାଙ୍କର ମୃତୁ୍ୟ ପରେ ଦୁଇ ପୁଅ ନିଜ ମାଆ ଓ ପରିବାର ସହ ସେଠାରେ ରହି ଆସୁଛନ୍ତି । ବଡ ପୁଅ ସୁନ୍ଦର ମାଝୀଙ୍କ ୪ ଜଣିଆ ପରିବାର ଓ ସାନ ପୁଅ ଜୟପାଲର ୮ ଜଣିଆ ପରିବାର । ଏମିତି ମାଆ ସହ ଦୁଇ ଭାଇଙ୍କ ୧୩ ଜଣର ପରିବାର । ଜଙ୍ଗଲରେ ତାଙ୍କ ଘର ଥିବା ବେଳେ ଏପର୍ଯ୍ୟନ୍ତ ରାସ୍ତା ଖଣ୍ଡେ ହୋଇ ପାରିଲା ନାହିଁ । ମଝିରେ କିଛି ଦୂର ମାଟି ପକା ଯାଇଥିଲା । କିନ୍ତୁ କୌଣସି କାରଣ ପାଇଁ ତାହା ବନ୍ଦ ହୋଇଗଲା । ଏହି ପରିବାର ପାଇଁ ପିଇବା ପାଣି ସାତ ସପନ । ଏକ ନାଳରେ ଗାତ ଖୋଲି ପାଣି ସଂଗ୍ରହ କରନ୍ତି । ଖରାଦିନରେ କିନ୍ତୁ ପାଣି ପାଇଁ ବହୁତ୍ ଅସୁବିଧା ଭୋଗ କରିବାକୁ ପଡେ । ଏହି ପରିବାର ଏପର୍ଯ୍ୟନ୍ତ ବିଦୁ୍ୟତ୍ ଆଲୋକ ପାଇ ନାହାନ୍ତି । କିଛି ବର୍ଷ ପୂର୍ବେ ମିଳିଥିବା ଏକ ସୋଲାର ଲାଇଟ୍ ଆଉ ଜଳୁ ନାହିଁ । ଦୁଇ ଭାଇଙ୍କୁ ଦୁଇଟି ପିଏଚ୍ଏଚ୍ କାର୍ଡ ମିଳିଛି ଯହିଁରେ କେବଳ ପାଞ୍ଚ ଜଣଙ୍କୁ ପାଞ୍ଚ କିଲୋ ଚାଉଳ ମିଳୁଛି । ଅନେକ ଥର ଆବେଦନ କଲାପରେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡେ ମିଳୁନାହିଁ । ପରିବାରର ରୋଜଗାର କହିଲେ ମୂଲ ଖଟିବା କିବା ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରି ଦୁଇ ପଇସା ପାଇବା । ଆଗେ ବାପା ବଞ୍ଚôଥିଲା ବେଳେ, ଦୁଇ ଭାଇ ଦାଦନ ଖଟିବାକୁ ବାହାରକୁ ଯାଉଥିଲେ । ବାପାଙ୍କ ଦେହାନ୍ତ ପରେ ସାନ ଭାଇ ପରିବାର ସହ ରହୁଥିବା ବେଳେ ବଡ ଭାଇ ଦାଦନ ଖଟିବାକୁ ଯାଆନ୍ତି । ଅଙ୍ଗନୱାଡି ଓ ସ୍କୁଲରେ ପଢିବା ପାଇଁ ଏହି ପରିବାରର ଶିଶୁଙ୍କୁ ୩ କିମି ସିଆଲ୍ ଲଟି ଗ୍ରାମକୁ ଯିବାକୁ ପଡେ । ଏଥିପାଇଁ ପରିବାର ଲୋକେ ଅନେକ ସମୟରେ ସାଙ୍ଗରେ ଯାଆନ୍ତି । ସେଥିପାଇଁ ସାନ ଭାଇ ନିଜର ୩ ପୁଅ ଝିଅଙ୍କୁ ପ୍ରି ସ୍କୁଲ (ଅଙ୍ଗନୱାଡି) ପରେ ପ୍ରଥମ ଶ୍ରେଣୀରୁ ୩୦ କିମି ଦୂର କରଙ୍ଗାମାଲ ଆଶ୍ରମ ବିଦ୍ୟାଳୟରେ ଛାଡି ଦେଇଛନ୍ତି । ରୋଗରେ ପଡିଲେ କିବା ପ୍ରସବ କଷ୍ଟ ହେଲେ ତିନି କିଲୋମିଟର ପର୍ଯ୍ୟନ୍ତ ବୋହି ନେବାକୁ ପଡେ । ଏହି ପରିବାର ପାଇଁ ଭଲ ରାସ୍ତା ଖଣ୍ଡେ, ନଳକୂପଟିଏ ଓ ବିଦୁ୍ୟତ୍ ଆଲୋକ ବ୍ୟବସ୍ଥା ନିହାତି ଆବଶ୍ୟକ । ଏନେଇ ବୋଡେନ ବିଡିଓ ସୁଶାନ୍ତ ରଣାଙ୍କୁ ପଚାରିବାରୁ ତଦନ୍ତ କରି ନିୟମ ଅନୁସାରେ ଆବଶ୍ୟକ ସହଯୋଗ କରାଯିବ ବୋଲି କହିଛନ୍ତି ।