କ୍ରୀଡ଼ାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି : ଫ୍ଲଡ୍ ଲାଇଟ୍ ବନ୍ଦ ହେବା ଘଟଣା

ବାରବାଟୀରେ ଫ୍ଲଡ୍ ଲାଇଟ୍ ବନ୍ଦ ଘଟଣାକୁ ନେଇ ଜୋର ଧରିଲା ରାଜନୀତି । ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ । କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଇସ୍ତଫା ଦାବି କରିଛି ବିଜେଡି । ଦଳ କହିଛି, ଓସିଏକୁ କାରଣ ଦର୍ଶାଅ ନୋଟିସ ପଠାଇ ଦାୟିତ୍ବ ସାରିଦେଇଛନ୍ତି ମନ୍ତ୍ରୀ । ଖୋଦ ମନ୍ତ୍ରୀ ବାରମ୍ବାର ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ବାରବାଟୀ ମ୍ୟାଚର ଦାୟିତ୍ବ ନେବା କଥା କହିଛନ୍ତି,କିନ୍ତୁ ପରିଣାମ ଓଲଟା ହେଲା । ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ବିଶ୍ବ ଦରବାରରେ ନିନ୍ଦିତ ହୋଇଛି ଓଡ଼ିଶା । ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି ।
ସେହିପରି କଂଗ୍ରେସ ମଧ୍ୟ ଏଭଳି ଅବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି । ବିଶ୍ବ ଦରବାରରେ ଓଡ଼ିଶା ନିନ୍ଦିତ ହୋଇଛି। ଯେଉଁମାନେ ଭୁଲ କରିଛନ୍ତି, ତାକୁ ଦଣ୍ଡ ମିଳିବା ଦରକାର । ଏପଟେ କ୍ରୀଡ଼ାମନ୍ତ୍ରୀଙ୍କ ଇସ୍ତଫା ଦାବି ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ପୂରା ଘଟଣା ପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିବା ସହ ବିଜେଡି ଇସ୍ତଫା ମାଗିବା ଏକ ଡ୍ରାମାବାଜି । ୨୪ ବର୍ଷ ଧରି ଗୋଟିଏ ସରକାର ଥିଲା, ସେମାନେ କାହିଁକି ବ୍ୟାକଅପ୍ ବ୍ୟବସ୍ଥା କରିନଥିଲେ ବୋଲି ପ୍ରଶ୍ନ କରିଛି ବିଜେପି ।
ଅନ୍ୟପଟେ ଓସିଏକୁ କାରଣ ଦର୍ଶାଅ ନୋଟିସ୍ । କ୍ରୀଡା ବିଭାଗ ପକ୍ଷରୁ ଓଡ଼ିଶା କ୍ରିକେଟ ଆସୋସିଏସନକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାହିଁକି ମ୍ୟାଚ ବେଳେ ଲାଇଟ ବନ୍ଦ ହେଲା । ଖେଳ କ’ଣ ପାଇଁ ୩୦ ମିନିଟ ବନ୍ଦ ରହିଲ? ବିସ୍ତୁତର ଭାବେ ତାର ଉତ୍ତର ରଖିବାକୁ କ୍ରିଡା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । କେଉଁ ବ୍ୟକ୍ତି ଅବା ସଂସ୍ଥାର ଭୁଲ ପାଇଁ ଏଭଳି ଘଟିଲା ତାହା ଚିହ୍ନଟ କରିବାକୁ ମଧ୍ୟ କୁହାଯାଇଛି । ଭବିଷ୍ୟତରେ ଯେମିତି ଏଭଳି ଅବ୍ୟବସ୍ଥା ନହୁଏ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି ।
ଏସମ୍ପର୍କରେ କ୍ରୀଡା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ କହିଛନ୍ତି, ଘଟଣା ଓଡ଼ିଶାର କ୍ରୀଡା ପ୍ରେମୀଙ୍କୁ ଆଘାତ ଦେଇଛି । ସେମାନେ ଦୁଇଥର ଯାଞ୍ଚ କରି ଷ୍ଟ୍ରିମ ଲାଇନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କେଉଁ କମିଟି ତାର ଦାୟିତ୍ୱରେ ଥିଲେ,କାହିଁକି ବ୍ୟାକ ଅପ ଜେନେରେଟର କାମ କଲାନି ତାର ତଦନ୍ତ କରାଯିବ । ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।